ରାଜ୍ୟ

Congress: ୨୬ରେ ଭୁବନେଶ୍ବରରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଆସନ୍ତା ୨୬ତାରିଖକୁ ଦେଶବ୍ୟାପୀ ‘ସମ୍ବିଧାନ ରକ୍ଷା ଦିବସ’ ଭାବେ ପାଳନ କରିବାକୁ ଏଆଇସିସି ନିଷ୍ପତ୍ତି ନେଇଛି। ଏହିକ୍ରମରେ ୨୫ ତାରିଖରେ ଭୁବନେଶ୍ବରଠାରୁ ୧୦୦-୧୫୦ କିମି ଦୂରବର୍ତ୍ତୀ ଜିଲ୍ଲାର ପ୍ରତିଟି ପଞ୍ଚାୟତର...

ଭୁବନେଶ୍ବର: ଆସନ୍ତା ୨୬ତାରିଖକୁ ଦେଶବ୍ୟାପୀ ‘ସମ୍ବିଧାନ ରକ୍ଷା ଦିବସ’ ଭାବେ ପାଳନ କରିବାକୁ ଏଆଇସିସି ନିଷ୍ପତ୍ତି ନେଇଛି। ଏହିକ୍ରମରେ ୨୫ ତାରିଖରେ ଭୁବନେଶ୍ବରଠାରୁ ୧୦୦-୧୫୦ କିମି ଦୂରବର୍ତ୍ତୀ ଜିଲ୍ଲାର ପ୍ରତିଟି ପଞ୍ଚାୟତର ନେତା ଓ କର୍ମୀ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ୨୬ତାରିଖରେ ରାଜଧାନୀରେ ହେବାକୁ ଥିବା ପଦଯାତ୍ରାରେ ସାମିଲ ହେବେ। ରାଜଧାନୀ ନିକଟବର୍ତ୍ତୀ ଜିଲ୍ଲାର ପ୍ରତିଟି ପଞ୍ଚାୟତରୁ ଅନ୍ୟୁନ ୫ଟି ବାଇକ୍ ଶୋଭାଯାତ୍ରା ଲୋୟର ପିଏମ୍‌ଜିକୁ ଆସିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ଶ୍ରୀ ଦାସ କହିଛନ୍ତି, ଏସ୍‌ଆଇଆର୍‌ ରଦ୍ଦ, ଏସ୍‌ଆଇଆର ପରେ ହୋଇଥିବା ନିର୍ବାଚନ ରଦ୍ଦ, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମ୍‌ଏମ୍‌ଡିଆର ସଂଶୋଧନ ବାତିଲ, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା, କୋଟିଆ ପ୍ରସଙ୍ଗରେ ତତ୍ପରତା ଦାବିରେ କଂଗ୍ରେସ ନେତା ଓ କର୍ମୀ ଏଥିରେ ସାମିଲ ହେବେ। ବରିଷ୍ଠ ନେତା ନଗେନ୍ଦ୍ରନାଥ ପ୍ରଧାନ କହିଲେ, ଆସନ୍ତାବର୍ଷ ଜାତି ଜନଗଣନା ହେବାକୁ ଯାଉଛି। ହେଲେ ୨୦୧୧ ମସିହାର କଂଗ୍ରେସ ଦ୍ବାରା ହୋଇଥିବା ସାମାଜିକ-ଆର୍ଥିକ ଜାତି ଜନଗଣନାର ଫଳାଫଳକୁ ମଧ୍ୟ ଆଜି ପର୍ଯ୍ୟନ୍ତ ମୋଦୀ ସରକାର ପ୍ରକାଶ କରିନାହାନ୍ତି। ଏସ୍‌ସିଏସ୍‌ଟିଙ୍କ ପରି ଓବିସିଙ୍କ ପାଇଁ ପୃଥକ ବିକଳ୍ପ ଓ ମାନକୀକୃତ କୋଡ୍ ଆଧାରିତ ବ୍ୟବସ୍ଥା ଲାଗୁ କରାଯାଉ। ରାଜ୍ୟୱାରୀ ସରକାରୀ ଜାତି ନିର୍ଦ୍ଦେଶିକା, ପ୍ରତ୍ୟେକ ଜାତିକୁ ସ୍ୱତନ୍ତ୍ର କୋଡ୍ ପ୍ରଦାନ, ଅନୁସୂଚିତ ଜାତିର ଯାଞ୍ଚ ବ୍ୟବସ୍ଥା ଓ ତଥ୍ୟ ସଂଗ୍ରହରେ ସ୍ୱଚ୍ଛତା ସୁନିଶ୍ଚିତ କରାଯିବା ଆବଶ୍ୟକ।

ଓବିସି କଂଗ୍ରେସର ଓଡ଼ିଶା ପ୍ରଭାରୀ ଦେବବ୍ରତ ଯାଦବ କହିଲେ, ଜାତି ଜନଗଣନାରେ ବ୍ୟବହୃତ ହେଉଥିବା ଫର୍ମ କିମ୍ବା ସଫ୍ଟୱେର୍‌ରେ ଏସ୍‌ସିଏସ୍‌ଟି ପାଇଁ ସ୍ୱତନ୍ତ୍ର କଲମ୍ କିମ୍ବା ଚୟନ କରିବାର ବିକଳ୍ପ ରହିଛି। ସେହିପରି ଓବିସି ପାଇଁ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଚୟନ ବିକଳ୍ପ ରହିବା ଆବଶ୍ୟକ। ଯେଉଁ ଜାତିଗୁଡ଼ିକ କୌଣସି ତାଲିକାରେ ସ୍ଥାନ ପାଇନାହାନ୍ତି, ସେମାନଙ୍କ ପାଇଁ ନିଜ ଜାତିର ନାମ ଲେଖିବାର ମଧ୍ୟ ବ୍ୟବସ୍ଥା ରହୁ। ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନା ଓ ଓବିସି ବିଭାଗର ସଭାପତି ସରୋଜ ପ୍ରଧାନଙ୍କ ଆବାହକତ୍ବରେ ଏକ ଦାବିପତ୍ର ଉପସ୍ଥାପନ କରାଯାଇଥିଲା। ଏଥିରେ ଜନଗଣନା ପୂର୍ବରୁ ପ୍ରଶ୍ନ ସଂଖ୍ୟା ୧୦ରେ ସଂଶୋଧନ କରିବା, ବର୍ଗ ଓ ଜାତିକୁ ପୃଥକ୍ ଭାବେ ଲିପିବଦ୍ଧ, ଯାଞ୍ଚ ହୋଇଥିବା ରାଜ୍ୟୱାରି ଜାତି ରେଜିଷ୍ଟ୍ରି ଓ ସହଜରେ ଖୋଜିହେବା ଭଳି ଡ୍ୟାସବୋର୍ଡ ପ୍ରସ୍ତୁତ, ଜନଗଣନା ପୂର୍ବରୁ ସ୍ୱୀକୃତିପ୍ରାପ୍ତ ସମାଜର ନାମ, ଉପଜାତି ଓ ଭାଷାଗତ ରୂପଗୁଡ଼ିକୁ ଏକ ମାନକ କୋଡ୍ ସହିତ ସଂଯୁକ୍ତ କରିବା ଓ ଯେଉଁ ଉତ୍ତରଗୁଡ଼ିକ ପାଇଁ କୌଣସି ମାନକୀକୃତ ବିକଳ୍ପ ଉପଲବ୍ଧ ନାହିଁ, କେବଳ ସେହି କ୍ଷେତ୍ରରେ ଓପନ୍ ଟେକ୍ସଟ୍ ବ୍ୟବସ୍ଥା ରଖିବା ଲାଗି ଦଳ ପକ୍ଷରୁ ଦାବି ହୋଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button