ଭଞ୍ଜନଗର(ବିଶ୍ୱମ୍ବର ଜେନା): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଗତ ବାତ୍ୟାର ଅଭିଜ୍ଞତାରୁ ଶିକ୍ଷା ନେଇ ଏଥର ଲୋକଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ଜିଲାରେ ବର୍ତ୍ତମାନ ମୋଟ ୪୦ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିବାବେଳେ ଆବଶ୍ୟକତା ଅନୁସାରେ ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳ ରେଡ୍ ଜୋନ୍ରେ ଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।
ସେହିପରି ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି।
ବିଶେଷ କରି ଜଳଭଣ୍ଡାର ଗୁଡିକର ପରିଚାଳନାକୁ ଅଧିକ ଗୁରୁତ୍ୱ ଦେଇ ପାଣି ଛଡାଯାଇଛି। ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ, ଭଞ୍ଜନଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ଏବଂ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା, ଡହ ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ଭେଙ୍କେଟେସ୍ ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରାତି ତମାମ ପାଟ୍ରୋଲିଂ କରି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଥିସହ ଗତ ଅର୍ଣ୍ଣବ ପ୍ରଭାବରେ ହୋଇଥିବା ବନ୍ୟା ସମୟରେ ଲୋହାରଖଣ୍ଡି ନଦୀରେ ସୃଷ୍ଟି ହୋଇଥିବା ଘାଇ ଉପରେ ଅଧିକ ଫୋକସ କରାଯାଇଥିବା ଦେଖିବାକୁ ମିଳିଛି। ବନ୍ଧ ବାନ୍ଧିବା ସହ ବାଲିବସ୍ତା ପକାଇ ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ଅନେକ ବିପଦ ସଙ୍କୁଳ ଆଶଙ୍କା ଥିବା ସ୍ଥାନରେ ବାଲି ବସ୍ତା ମହଜୁଦ ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ନିମନ୍ତେ ପ୍ରସ୍ତୁତି ଜୋରଦାର କରାଯାଇଥିବା ସୂଚନା ମିଳିଛି। ନିୟମିତ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପଦକ୍ଷେପ ନିଆ ଯାଉଥିବା ଜଣେ ଯନ୍ତ୍ରୀ ଏଠାରେ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ