Climate Change: ଜଳବାୟୁ ପରିବର୍ତ୍ତନରେ ବିଶ୍ୱର ୧୦ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ
ଜଳବାୟୁ ପରିବର୍ତ୍ତନଜନିତ ଅତି ପ୍ରବଳ ପାଣିପାଗ ଘଟଣାରେ ବିଶ୍ୱର ସର୍ବାଧିକ ପ୍ରଭାବିତ ୧୦ଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ଜର୍ମାନୀର ଗବେଷଣା ସଂସ୍ଥା ଜର୍ମାନୱାଚ୍ ପ୍ରକାଶ କରିଥିବା ‘କ୍ଲାଇମେଟ୍ ରିସ୍କ ଇଣ୍ଡେକ୍ସ-୨୦୨୭’ ରିପୋର୍ଟ ଅନୁଯାୟୀ...

ଇଟାନଗର: ଜଳବାୟୁ ପରିବର୍ତ୍ତନଜନିତ ଅତି ପ୍ରବଳ ପାଣିପାଗ ଘଟଣାରେ ବିଶ୍ୱର ସର୍ବାଧିକ ପ୍ରଭାବିତ ୧୦ଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ଜର୍ମାନୀର ଗବେଷଣା ସଂସ୍ଥା ଜର୍ମାନୱାଚ୍ ପ୍ରକାଶ କରିଥିବା ‘କ୍ଲାଇମେଟ୍ ରିସ୍କ ଇଣ୍ଡେକ୍ସ-୨୦୨୭’ ରିପୋର୍ଟ ଅନୁଯାୟୀ, ୧୯୯୬ରୁ ୨୦୨୫ ପର୍ଯ୍ୟନ୍ତ ୩୦ ବର୍ଷର ତଥ୍ୟକୁ ଆଧାର କରି ପ୍ରସ୍ତୁତ ତାଲିକାରେ ଭାରତ ଦଶମ ସ୍ଥାନରେ ରହିଛି। ତେବେ କେବଳ ୨୦୨୫ ବର୍ଷର ତଥ୍ୟକୁ ବିଚାରକୁ ନେଲେ ଭାରତର ସ୍ଥାନ ଦ୍ୱାଦଶ।
ରିପୋର୍ଟ ଅନୁଯାୟୀ, ଏହି ୩୦ ବର୍ଷ ମଧ୍ୟରେ ଭାରତରେ ୪୩୬ଟି ଅତି ପ୍ରବଳ ପାଣିପାଗଜନିତ ଘଟଣା ରେକର୍ଡ କରାଯାଇଛି। ଏଥିରେ ୭୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଘଟଣାଗୁଡ଼ିକ ଯୋଗୁଁ ଭାରତର ଆର୍ଥିକ କ୍ଷତି ୧୭୦ ବିଲିୟନ୍ ଡଲାରରୁ ଅଧିକ ବୋଲି ରିପୋର୍ଟରେ ଆକଳନ କରାଯାଇଛି।
ବନ୍ୟା, ଭୂସ୍ଖଳନ, ଘୂର୍ଣ୍ଣିବାତ୍ୟା, ମରୁଡ଼ି ଓ ଭୟଙ୍କର ଗ୍ରୀଷ୍ମପ୍ରବାହ ଭାରତର ଜଳବାୟୁ ବିପଦକୁ ବଢ଼ାଇଛି। ରିପୋର୍ଟରେ ୧୯୯୮ର ଗୁଜରାଟ ଘୂର୍ଣ୍ଣିବାତ୍ୟା, ୧୯୯୯ର ଓଡ଼ିଶା ମହାବାତ୍ୟା, ୨୦୧୩ର ଉତ୍ତରାଖଣ୍ଡ ବନ୍ୟା, ୨୦୧୪ର ହୁଡ୍ହୁଡ୍ ଓ ୨୦୨୦ର ଅମ୍ଫାନ୍ ବାତ୍ୟାର ଉଦାହରଣ ଦିଆଯାଇଛି। ୨୦୧୯ରେ ୧୩ଟି ରାଜ୍ୟରେ ହୋଇଥିବା ବ୍ୟାପକ ବନ୍ୟା ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ପ୍ରାୟ ୫୦ ଡିଗ୍ରି ସେଲ୍ସିୟସ୍ ତାପମାତ୍ରା ଛୁଇଁଥିବା ଗ୍ରୀଷ୍ମପ୍ରବାହ ୧୯୯୮, ୨୦୦୨, ୨୦୦୩ ଓ ୨୦୧୫ରେ ବହୁ ଜୀବନ ନେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଦୀର୍ଘ ୩୦ ବର୍ଷର ତାଲିକାରେ ଡୋମିନିକା ପ୍ରଥମ, ମ୍ୟାମାର ଦ୍ୱିତୀୟ ଓ ହଣ୍ଡୁରାସ୍ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ପରେ ଲିବ୍ୟା, ହାଇତି, ଗ୍ରେନାଡା, ଫିଲିପାଇନ୍ସ, ନିକାରାଗୁଆ ଓ ବାହାମା ରହିଛନ୍ତି। ୨୦୨୫ରେ ଜାମାଇକା, ଶ୍ରୀଲଙ୍କା ଓ ସ୍ପେନ୍ ସର୍ବାଧିକ ପ୍ରଭାବିତ ଦେଶ ଥିବାବେଳେ ଥାଇଲାଣ୍ଡ, ଫିଲିପାଇନ୍ସ ଓ ପାକିସ୍ତାନ ମଧ୍ୟ ତାଲିକାର ଶୀର୍ଷ ଭାଗରେ ରହିଛନ୍ତି।
ବିଶ୍ୱସ୍ତରରେ ଗତ ୩୦ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର ଜଳବାୟୁଜନିତ ଚରମ ପାଣିପାଗ ଘଟଣାରେ ୯ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରାୟ ୫୫୦ କୋଟି ଲୋକ ପ୍ରଭାବିତ ହୋଇଥିବାବେଳେ ଆର୍ଥିକ କ୍ଷତି ୪.୭ ଟ୍ରିଲିୟନ୍ ଡଲାରରୁ ଅଧିକ। ଏଥିରେ ଗ୍ରୀଷ୍ମଲହରି ଯୋଗୁଁ ୩ ଲକ୍ଷ ୬୪ ହଜାରରୁ ଅଧିକ ଏବଂ ବନ୍ୟା ଯୋଗୁଁ ପ୍ରାୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଜଳବାୟୁ ବିପଦର ମୁକାବିଲା ପାଇଁ ଭାରତକୁ ନିଜର ପ୍ରସ୍ତୁତି ଓ ଅନୁକୂଳନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




