Traffic restrictions: ବାଲିଯାତ୍ରା ପାଇଁ ଟ୍ରାଫିକ୍ କଟକଣା: କେଉଁ ରାସ୍ତାରେ ଗାଡ଼ି ଯିବା ମନା
ବାଲିଯାତ୍ରା ପାଇଁ କଟକ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତା ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି।

କଟକ: ବାଲିଯାତ୍ରା ପାଇଁ କଟକ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତା ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର, ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଓ ଖାନନଗର ରିଂ ରୋଡ଼ ପଟୁ ଆସୁଥିବା ୩ ଚକିଆ ଓ ୪ ଚକିଆ ଗାଡ଼ି ଗୁଡ଼ିକ ମର୍କତନଗର ସିଡିଏ-୧୧ ଛକ ଦେଇ ଆସିବା ପରେ ଚହଟା ଛକ ପାଖରେ ଥିବା ପାର୍କିଂରେ ରଖିବେ। ସେଠାରୁ ପ୍ରଶାସନ ଦ୍ୱାରା ନିୟୋଜିତ ଗାଡ଼ିରେ ବାଲିଯାତ୍ରା ପଡ଼ିଆକୁ ଯିବେ। ବେଲଭ୍ୟୁ, ସତୀଚୌରା, ସେଲଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇହେବନି। ଆଠଗଡ଼ ଓ ବାଙ୍କୀ ପଟୁ ଆସୁଥିବା ଗାଡ଼ି ନରାଜ ସେତୁ ଓ ମଧୂସୂଦନ ସେତୁ ହୋଇ ଆସି ଚହଟା ଛକ ପାଖ, ଗୋରାକବର ପଡ଼ିଆ କିମ୍ୱା ଖ୍ରୀଷ୍ଟିୟାନ ପଡ଼ିଆରେ ପାର୍କିଂ କରିବେ। ସତୀଚୌରା ପଟୁ ଆସୁଥିବା ଦୁଇଚକିଆ ଗାଡ଼ି ସେଲଟର ଛକ ଓ କନିକା ଛକ ଦେଇ ଆସି ଦୟାଶ୍ରମ ସାମ୍ନା ପଡ଼ିଆ, ଖ୍ରୀଷ୍ଟିୟାନ ପଡ଼ିଆ କିମ୍ୱା କ୍ୟାଣ୍ଟନମେଣ୍ଟ ଥାନା ସାମନା ପଡ଼ିଆରେ ପାର୍କିଂ କରିବେ।
କେଉଁଠି ରଖିବେ ଗାଡ଼ି ?
ଯଦି ଆପଣ ବାଲିଯାତ୍ରା ଆସୁଛନ୍ତି ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚହଟା ଛକରେ ୨, ୩, ୪, ୬ ଚକିଆ ଗାଡ଼ି ପାର୍କିଂ ହେବ। ସେହିଭଳି ଗୋରାକବର ପଡ଼ିଆରେ ୨,୩,୪ ଚକିଆ ଗାଡ଼ି ପାର୍କିଂ, ଖ୍ରୀଷ୍ଟିୟାନ ପଡ଼ିଆରେ ୨,୩,୪ ଚକିଆ ଗାଡ଼ି, ଦୟାଶ୍ରମ ସାମନା ପଡ଼ିଆରେ ୨ ଚକିଆ, ସିଲଭର ସିଟି ବୋଟିଂ କ୍ଲବ ପାର୍କିଂ ନିକଟ ତଳ ବାଲିଯାତ୍ରା ପଡ଼ିଆ ପାର୍କିଂରେ ୨,୩,୪ ଚକିଆ, ମାତାମଠ ପାର୍କିଂରେ ୨,୩,୪ ଚକିଆ, ବୋଷ ଇଞ୍ଜିନିୟରିଂ କଲେଜ ସାମନା ଓ ହାଡ଼ିଆ ପଠାରେ ମଧ୍ୟ ୨,୩,୪ ଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା ରହିଛି। ସେହିଭଳି ଉପର ବାଲିଯାତ୍ରା, ବାରବାଟୀ ଫୁଡ କୋର୍ଟ ପଛପଟେ ୨ ଚକିଆ, କ୍ୟାଣ୍ଟନମେଣ୍ଟ ଥାନା ସାମନା ପାର୍କିଂରେ ୨ ଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା ରହିଛି।
ଗୋରାକବର, ଖ୍ରୀଷ୍ଟିୟାନ ପଡ଼ିଆ ଓ କ୍ୟାଣ୍ଟନମେଣ୍ଟ ଥାନା ସାମ୍ନା ପଡ଼ିଆ ପାର୍କିଂ ଫୁଲ ହୋଇଗଲେ ଗାଡ଼ିଗୁଡ଼ିକ ଚହଟା ଛକ ପାଖରେ ଥିବା ପାର୍କିଂରେ ଗାଡ଼ି ରଖିବେ। ଚଣ୍ଡୀ ଛକ ପଟୁ ଆସୁଥିବା ୩ ଓ ୪ ଚକିଆ ଗାଡ଼ି କେମ୍ବ୍ରିଜ ସ୍କୁଲ ଆଗକୁ ଯାଇପାରିବେ ନାହିଁ। ଏହି ଗାଡ଼ି କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ଗୋରାକବର କିମ୍ୱା ଖ୍ରୀଷ୍ଟିୟାନ ପଡ଼ିଆରେ ପାର୍କିଂ କରିବେ। ଏହି ପଟୁ ଆସୁଥିବା ୨ ଚକିଆ ଗାଡ଼ି କନଭେଣ୍ଟ ସ୍କୁଲ ଓ ପିଏଚଡି ଅଫିସ ଦେଇ ଦୟାଶ୍ରମ ସାମନା ପଡ଼ିଆରେ ପାର୍କିଂ କରିବେ। ସମାଜ ଅଫିସ ଛକ ପଟୁ ଓ କଟକ ପୁଲିସ ଲାଇନ ଛକ ପଟୁ ଆସୁଥିବା ୩ ଓ ୪ ଚକିଆ ଗାଡ଼ି ନାରୀସେବା ସଦନ ହୋଇ ବାଲିଯାତ୍ରା ପଡ଼ିଆକୁ ଯିବ ନାହିଁ। ଏହା ମିଶନ ରୋଡ-ଚଣ୍ଡୀ ଛକ-କନିକା ଛକ-ବିଜୁପଟ୍ଟନାୟକ ଛକ ହୋଇ ଗୋରାକବର କିମ୍ବା ଖ୍ରୀଷ୍ଟିଆନ ପଡ଼ିଆରେ ପାର୍କିଂ କରିବେ। ସମାଜ ଅଫିସ ପଟୁ ଓ କଟକ ପୁଲିସ ଲାଇନ ଛକ ପଟୁ ଆସୁଥିବା ଦୁଇଚକିଆ ଗାଡ଼ି ମଧୁସୂଦନ ଛକ ହୋଇ ଉପର ବାଲିଯାତ୍ରା ପଡ଼ିଆ ଓ ଫୁଟ୍କୋର୍ଟ ପଛ ପାର୍କିଂରେ ରଖିବେ। ଲାଏନ୍ସ ଚକ୍ଷୁ ଚିକିତ୍ସାଳୟ ଛକ ପଟୁ ଆସୁଥିବା ଗାଡ଼ି ବାରବାଟୀ ଷ୍ଟାଡିୟମ ପଛପଟ (କିଲ ଖାନା) ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ। ମାତାମଠ ଓ ଯୋବ୍ରା ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ବୋଷ ଇଞ୍ଜିନିୟରିଂ କଲେଜ ସାମନା ପଡ଼ିଆ, ମାତାମଠ ପାଖ, ହାଡ଼ିଆପଠା, ସିଲଭରସିଟି ବୋଟିଂ କ୍ଲବ ପାଖ ଓ ତଳବାଲିଯାତ୍ରା ପଡ଼ିଆରେ ଥିବା ପାର୍କିଂରେ ଗାଡ଼ି ରଖିବେ। ର୍ଗିନାରି ହୋଟେଲ ଛକ ପଟୁ ଆସୁଥିବା ଗାଡ଼ି ଷ୍ଟାଡିୟମ ପାଖ ମଧୁସୂଦନ ପ୍ରତିମା ଛକ ପାଖକୁ ଯିବେ ନାହିଁ। ଏହି କଟକଣାଗୁଡ଼ିକ ପୁଲିସ, ଅଗ୍ନିଶମ, ଅବକାରୀ, ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ଜାରି ପରାମର୍ଶବଳୀରେ ଦର୍ଶାଯାଇଛି।
ସୌଜନ୍ୟ ସମ୍ବାଦ




