ରାଜ୍ୟ

Tragic Accident: ଘରକୁ ଫେରିବା ବାଟକୁ ଚାହିଁ ବସିଥିଲେ ପରିବାର ଲୋକେ, ଅଭାବନୀୟ ଦୁର୍ଘଟଣାରେ ଜୀବନ ହରାଇଲେ ଯୁବକ

ଜଙ୍ଗଲକୁ କାଠ କାଟିବାକୁ ଯାଇଥିବାବେଳେ ଏକ ଅଭାବନୀୟ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ଜଣେ ୪୦ ବର୍ଷୀୟ ଯୁବକ। ଏହି ଅକାଳ ମୃତ୍ୟୁରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼।

ବୈଶିଙ୍ଗା: ଘରକୁ ଫେରିବା ବାଟକୁ ଚାହିଁ ବସିଥିଲେ ପରିବାର ଲୋକେ। ହେଲେ ଆଉ ଫେରିଲେ ନାହିଁ ରୋଜଗାରିଆ ସ୍ୱାମୀ। ଜଙ୍ଗଲକୁ କାଠ କାଟିବାକୁ ଯାଇଥିବାବେଳେ ଏକ ଅଭାବନୀୟ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ଜଣେ ୪୦ ବର୍ଷୀୟ ଯୁବକ। ଏହି ଅକାଳ ମୃତ୍ୟୁରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼। ସ୍ୱାମୀଙ୍କୁ ହରାଇ ପତ୍ନୀ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବାବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଗ୍ରାମର ସ୍ୱର୍ଗତ ବିଦ୍ୟାଧର ଦାସଙ୍କ ପୁତ୍ର ସର୍ବେଶ୍ୱର ଦାସ (୪୦) ଗତକାଲି ରାତିରେ କାଠ କାଟିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସେଠାରେ କାଠ କାଟୁଥିବା ସମୟରେ ଅସାବଧାନତାବଶତଃ ଚଳନ୍ତା କରତଟି ହଠାତ୍ ତାଙ୍କ ଛାତିରେ ଆଘାତ କରିଥିଲା। ଫଳରେ ସେ ଗୁରୁତର ଆହତ ହେବା ସହ ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

ପରିବାର ଲୋକଙ୍କ ମନରେ ଚିନ୍ତା ବଢ଼ିଥିଲା

ଅନ୍ୟପକ୍ଷରେ ସର୍ବେଶ୍ୱର ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ମନରେ ଚିନ୍ତା ବଢ଼ିଥିଲା। ପରେ ପରିବାର ସଦସ୍ୟମାନେ ଖୋଜାଖୋଜି କରି ତାଙ୍କୁ ଜଙ୍ଗଲରେ ପାଇଥିଲେ। ତୁରନ୍ତ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ରାତି ହୋଇଯାଇଥିବାରୁ ମୃତଦେହକୁ ଡାକ୍ତରଖାନାର ଶବଗୃହରେ ରଖାଯାଇଥିଲା।

ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ବାବାଶଙ୍କର ସରାଫ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ଥାନାରେ ୬୨ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆଜି ସ୍ତ୍ରୀ ସମ୍ପୂର୍ଣ୍ଣ ଅସହାୟ

ତେବେ ସର୍ବେଶ୍ୱରଙ୍କ ଏଭଳି ଅକାଳ ବିୟୋଗରେ ପରିବାରର ଆଶା ଓ ଭରସା ଭାଙ୍ଗିପଡ଼ିଛି। ଯେଉଁ ମଣିଷଟି ପରିବାରର ଆଧାର ଥିଲେ, ତାଙ୍କୁ ହରାଇ ଆଜି ସ୍ତ୍ରୀ ସମ୍ପୂର୍ଣ୍ଣ ଅସହାୟ। ଏହି ମର୍ମନ୍ତୁଦ ଘଟଣା ପୁରୁଣିଆ ଗ୍ରାମବାସୀଙ୍କୁ ମଧ୍ୟ ଗଭୀର ଭାବେ ମର୍ମାହତ କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button