ରାଜ୍ୟ

Cheater: ଅଧଘଣ୍ଟା ପରେ ପଡିଥାନ୍ତା ହାତଗଣ୍ଠି, ମାମୁଁ ପହଞ୍ଚି ବିଗାଡିଦେଲେ ଖେଳ

ନିଜକୁ ଓଏଏସ୍ ଅଧିକାରୀର ପରିଚୟ ଦେଇ ନାଲ୍‌କୋରେ ଚାକିରି କରାଇଦେବା ନାଁରେ ୧୧ ଲକ୍ଷ ଟଙ୍କା ଠକି ନେଇଥିବା କେନ୍ଦୁଝର ଜିଲ୍ଲାର ସୁମନ୍ତ ଓରାମଙ୍କୁ ରବିବାର ସନ୍ଧ୍ୟାରେ ସମ୍ବଲପୁର ସଦର ଥାନା ପୁଲିସ ଉଠାଇନେଇଛି।

ସମ୍ବଲପୁର/ମାନେଶ୍ଵର: ନିଜକୁ ଓଏଏସ୍ ଅଧିକାରୀର ପରିଚୟ ଦେଇ ନାଲ୍‌କୋରେ ଚାକିରି କରାଇଦେବା ନାଁରେ ୧୧ ଲକ୍ଷ ଟଙ୍କା ଠକି ନେଇଥିବା କେନ୍ଦୁଝର ଜିଲ୍ଲାର ସୁମନ୍ତ ଓରାମଙ୍କୁ ରବିବାର ସନ୍ଧ୍ୟାରେ ସମ୍ବଲପୁର ସଦର ଥାନା ପୁଲିସ ଉଠାଇନେଇଛି। ବିବାହ କରିବା ପାଇଁ ବରବେଶରେ ବରଯାତ୍ରୀଙ୍କ ସହ ଯାଉଥିବାବେଳେ ପୁଲିସ ତାଙ୍କୁ ଅଧାବାଟରୁ ଧରିଛି। କେବଳ ଚାକିରି ପାଇଁ ନୁହେଁ, ବିବାହ ପାଇଁ ମଧ୍ୟ ସୁମନ୍ତ ନିଜକୁ ଓଏଏସ୍ ଅଧିକାରୀ ଭାବେ ପରିଚୟ ଦେଇଥିବା ଜଣାପଡ଼ିଛି। ଦିବଂଗତ ବାପାଙ୍କ ପେନ୍‌ସନ୍ ଟଙ୍କା ଦେଇ ଅଭିଯୋଗକାରୀ ଲିଙ୍ଗରାଜ ଟପ୍ପୋ ଠକେଇର ଶିକାର ହୋଇଥିବା କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ମୂଳ ନିବାସୀ ତଥା ସମ୍ବଲପୁର ସହର ନୀଳଡୁଙ୍ଗୁରୀରେ ରହୁଥିବା ଲିଙ୍ଗରାଜ ଟପ୍ପୋଙ୍କ କହିବା ଅନୁଯାୟୀ, ୨୦୨୪ ମସିହାରେ ଇନ୍‌ଷ୍ଟାଗ୍ରାମ୍‌ରେ ସୁମନ୍ତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସୁମନ୍ତ ନିଜକୁ ଓଏଏସ୍ ଅଧିକାରୀ ବୋଲି ପରିଚୟ ଦେଇ ବନ୍ଧୁତା ବଢ଼ାଇଥିଲେ।

ଅନ୍‌ଲାଇନ୍ ଚାଟିଂ ବେଳେ ଟଙ୍କା ଦେଲେ ଚାକିରି କରାଇଦେବେ ବୋଲି ବାରମ୍ବାର କହୁଥିଲେ। ଏଭଳି ଅନେକ ବ୍ୟକ୍ତିଙ୍କୁ ଚାକିରି ଦେଇଥିବା କହି ବିଶ୍ଵାସ ଜନ୍ମାଇଥିଲେ। ବିଶ୍ଵାସ ବଢ଼ାଇବା ପାଇଁ ଲିଙ୍ଗରାଜଙ୍କୁ ଭୁବନେଶ୍ଵରସ୍ଥିତ ନିଜ ଘରକୁ ଡାକିଥିଲେ। ସେଠାରେ ବିଶାଳ ଘର, ଆସବାବପତ୍ର ଓ ଗାଡ଼ି ଦେଖି ଲିଙ୍ଗରାଜ ପ୍ରଭାବିତ ହୋଇଥିଲେ। ତଥାପି ତାଙ୍କ ମନରେ ସନ୍ଦେହ ରହିଥିଲା। ତେବେ ଗୁଗୁଲ୍‌ରେ ସୁମନ୍ତଙ୍କ ନାମ ସର୍ଚ୍ଚ କଲେ ଓଏଏସ୍ ପରିଚୟ ସହ ଗାଡ଼ି ପାଖରେ ତାଙ୍କ ଫଟୋ ଆସୁଥିବାରୁ ବିଶ୍ଵାସ ବଢ଼ିଥିଲା। ସୁମନ୍ତ ଲିଙ୍ଗରାଜଙ୍କ ପରିବାର ସହ ମଧ୍ୟ ଘନିଷ୍ଠତା ବଢ଼ାଇଥିଲେ। ଏପରିକି ତାଙ୍କ ମା’ଙ୍କୁ ମା’ ବୋଲି ସମ୍ବୋଧନ କରିବା ସହ ବିଭିନ୍ନ ସମୟରେ ଫୋନ୍‌ରେ କଥା ହେଉଥିଲେ। ସମୟ ସମୟରେ ଘରକୁ ମଧ୍ୟ ଆସୁଥିଲେ। ଏହି ସମୟରେ ନାଲ୍‌କୋରେ ଯନ୍ତ୍ରୀ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଥମେ ଫର୍ମ କିଣିବା ପାଇଁ ଲିଙ୍ଗରାଜ ୨ ହଜାର ଟଙ୍କା ଦେଇଥିଲେ। ପରେ ଚାକିରି କରାଇବା ପାଇଁ ନାଲ୍‌କୋ ଅଧିକାରୀଙ୍କୁ ଟଙ୍କା ଦେବାକୁ ପଡ଼ିବ କହି ୧୧ ଲକ୍ଷ ୫୦ ହଜାର ଟଙ୍କା ଅନ୍‌ଲାଇନ୍‌ରେ ନେଇଥିଲେ। କିଛି ମାସ ପରେ ନାଲ୍‌କୋ ୱେବ୍‌ସାଇଟ୍‌ରୁ ସମ୍ପୃକ୍ତ ନିଯୁକ୍ତି ପ୍ରକ୍ରିୟା ବାତିଲ ହୋଇଯାଇଥିବା ଲିଙ୍ଗରାଜ ଜାଣିବାକୁ ପାଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button