ମୁମ୍ବାଇ: ବକ୍ସ ଅଫିସ୍ରେ ଧମାଲ୍ କରୁଛି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’। କେବଳ ଭାରତ ନୁହେଁ, ପଡ଼ୋଶୀ ଦେଶ ନେପାଳରେ ମଧ୍ୟ ଫିଲ୍ମଟି ନୂଆ ଇତିହାସ ରଚିଛି। ଆୟ କ୍ଷେତ୍ରରେ ଅଲ୍ଲୁ ଅର୍ଜୁନଙ୍କ ବ୍ଲକ୍ବଷ୍ଟର ଫିଲ୍ମ ‘ପୁଷ୍ପା-୨’କୁ ପଛରେ ପକାଇ ନେପାଳରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମର ମାନ୍ୟତା ହାସଲ କରିଛି ‘ରାମାୟଣ’। ଫିଲ୍ମର ଏହି ସଫଳତାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।
‘ପୁଷ୍ପା-୨’କୁ ପଛରେ ପକାଇ ହେଲା ନମ୍ବର ୱାନ୍
ରିପୋର୍ଟ ଅନୁଯାୟୀ, ନେପାଳରେ ‘ରାମାୟଣ’ ମୋଟ ୨୬.୯୦ କୋଟି ନେପାଳୀ ଟଙ୍କା ଆୟ କରିଛି। ଏହି ଆୟ ସହ ଫିଲ୍ମଟି ପୂର୍ବରୁ ରେକର୍ଡ ରଖିଥିବା ‘ପୁଷ୍ପା-୨’କୁ ଅତିକ୍ରମ କରିଛି। ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ ନେପାଳରେ ୨୬.୪୬ କୋଟି ନେପାଳୀ ଟଙ୍କା ଆୟ କରି ଦ୍ୱିତୀୟ ସ୍ଥାନକୁ ଖସିଛି। ଏହାପରେ ପ୍ରଭାସଙ୍କ ‘ବାହୁବଳୀ-୨’ ୨୩ କୋଟି, ୟଶଙ୍କ ‘କେଜିଏଫ୍ ଚାପ୍ଟର-୨’ ୧୯.୮୦ କୋଟି ଏବଂ ‘ଆର୍ଆର୍ଆର୍’ ୧୭.୧୨ କୋଟି ନେପାଳୀ ଟଙ୍କା ଆୟ ସହ ତାଲିକାରେ ରହିଛି। ଏହି ସଫଳତାର ଆଉ ଏକ ବିଶେଷ ଦିଗ ହେଉଛି, ନେପାଳରେ ଏପର୍ଯ୍ୟନ୍ତ ଦକ୍ଷିଣ ଭାରତୀୟ ସିନେମାର ଦବ୍ଦବା ରହିଆସିଥିଲା। ବିଶେଷକରି ତେଲୁଗୁ ଓ କନ୍ନଡ଼ ଫିଲ୍ମଗୁଡ଼ିକ ସେଠାରେ ଭଲ ବ୍ୟବସାୟ କରୁଥିଲେ। ଏପରି ସ୍ଥିତିରେ ଏକ ହିନ୍ଦୀ ଫିଲ୍ମ ଭାବେ ‘ରାମାୟଣ’ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିବା ବଲିଉଡ୍ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି।
ବକ୍ସ ଅଫିସ୍ରେ ରଣବୀର କପୁରଙ୍କ ଫିଲ୍ମର ଧମାକା
ତେବେ ନେପାଳରେ ଫିଲ୍ମଟିର ଏହି ସଫଳତା ପଛରେ ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କର ମଧ୍ୟ ବଡ଼ ଭୂମିକା ରହିଛି। ନେପାଳର ଜନକପୁରକୁ ମାତା ସୀତାଙ୍କ ଜନ୍ମସ୍ଥାନ ଭାବେ ମାନ୍ୟତା ଦିଆଯାଏ। ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ବିବାହ ସହ ଜଡ଼ିତ ଅନେକ ପରମ୍ପରା ଆଜି ମଧ୍ୟ ସେଠାକାର ଲୋକଙ୍କ ଜୀବନର ଅଂଶବିଶେଷ। ଏହି କାରଣରୁ ‘ରାମାୟଣ’ର କାହାଣୀ ନେପାଳବାସୀଙ୍କ ପାଇଁ କେବଳ ମନୋରଞ୍ଜନ ନୁହେଁ, ବରଂ ଆସ୍ଥା ଓ ଭାବନା ସହ ମଧ୍ୟ ଜଡ଼ିତ। ତେଣୁ ଫିଲ୍ମଟିକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା କୁହାଯାଉଛି।
ଅନ୍ୟପଟେ ଭାରତୀୟ ବକ୍ସ ଅଫିସ୍ରେ ମଧ୍ୟ ଫିଲ୍ମଟି ଜବରଦସ୍ତ ବ୍ୟବସାୟ କରିଛି। ରିପୋର୍ଟ ଅନୁସାରେ, ଭାରତରେ ଏହାର ନେଟ୍ କଲେକ୍ସନ ୯୪୨.୭୫ କୋଟି ଟଙ୍କା ରହିଥିବାବେଳେ ଗ୍ରସ୍ କଲେକ୍ସନ ୧,୧୨୬.୫୦ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମରେ ରଣବୀର କପୁର ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ସାଇ ପଲ୍ଲବୀ ମାତା ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିଛନ୍ତି। ଏହାବ୍ୟତୀତ ରବି ଦୁବେ, ଲାରା ଦତ୍ତା, ଅରୁଣ ଗୋଭିଲ ଓ ରକୁଲ ପ୍ରୀତ ସିଂହଙ୍କ ଭଳି କଳାକାର ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ନେପାଳରେ ଏହି ରେକର୍ଡ ସଫଳତା ପରେ ଫିଲ୍ମଟି ଆଗକୁ ଆଉ କେଉଁ ନୂଆ ମାଇଲଖୁଣ୍ଟ ଛୁଉଁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୌଜନ୍ୟ ସମ୍ବାଦ