Indian Army: ସହକର୍ମୀଙ୍କ ଝିଅ ବାହାଘରରେ ବାପାଙ୍କ ଅଭାବ ପୂରଣ କଲେ ସେନା ଯବାନ
ସେନାରେ ସହକର୍ମୀଙ୍କ ମଧ୍ୟରେ ଥିବା ଭାଇଚାରା ଓ ପାରିବାରିକ ସମ୍ପର୍କର ଏକ ଉଦାହରଣ ସାମ୍ନାକୁ ଆସିଛି। ଦିବଂଗତ ହାବିଲଦାରଙ୍କ ଝିଅ ବାହାଘରରେ ତାଙ୍କ ରେଜିମେଣ୍ଟର ଅଧିକାରୀ ଓ ଯବାନମାନେ ପରିବାର ସଦସ୍ୟଙ୍କ ଭଳି ଯୋଗ ଦେଇ ବାପାଙ୍କ ଦାୟିତ୍ୱ...

ନୂଆଦିଲ୍ଲୀ: ସେନାରେ ସହକର୍ମୀଙ୍କ ମଧ୍ୟରେ ଥିବା ଭାଇଚାରା ଓ ପାରିବାରିକ ସମ୍ପର୍କର ଏକ ଉଦାହରଣ ସାମ୍ନାକୁ ଆସିଛି। ଦିବଂଗତ ହାବିଲଦାରଙ୍କ ଝିଅ ବାହାଘରରେ ତାଙ୍କ ରେଜିମେଣ୍ଟର ଅଧିକାରୀ ଓ ଯବାନମାନେ ପରିବାର ସଦସ୍ୟଙ୍କ ଭଳି ଯୋଗ ଦେଇ ବାପାଙ୍କ ଦାୟିତ୍ୱ ତୁଲାଇଛନ୍ତି। ଏଥିସହ ବାହାଘର ଖର୍ଚ୍ଚ ପାଇଁ ୧ ଲକ୍ଷ ୬୧ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି। ରାଜସ୍ଥାନର ଅଲୱର ଜିଲ୍ଲାର ହରସୋଲି ଗାଁରେ ନଭେମ୍ବର ୨୧ ତାରିଖରେ ଏହି ବାହାଘର ହୋଇଥିଲା।
ହାବିଲଦାର ପପ୍ପଲ ସିଂହ ଭାରତୀୟ ସେନାର ୧୬ଶ ଜାଟ୍ ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ପରେ ଝିଅ ପ୍ରୀତିଙ୍କ ବାହାଘର ଅବସରରେ ତାଙ୍କ ବାପାଙ୍କ ପୂର୍ବତନ ସହକର୍ମୀମାନେ ଏକାଠି ହୋଇ ପରିବାର ପାଖରେ ଛିଡ଼ା ହୋଇଥିଲେ। ରେଜିମେଣ୍ଟର ଅଧିକାରୀ, ଜୁନିୟର କମିସନ୍ଡ ଅଫିସର ଏବଂ ଯବାନମାନେ ସେନା ପୋଷାକରେ ବାହାଘରରେ ଯୋଗ ଦେଇଥିଲେ।
କନ୍ୟାପକ୍ଷରୁ ହୋଇଥିବା ପାରମ୍ପରିକ ରୀତିନୀତିରେ ମଧ୍ୟ ସେମାନେ ସାମିଲ ହୋଇଥିଲେ। ରେଜିମେଣ୍ଟ ପକ୍ଷରୁ ପ୍ରୀତିଙ୍କ ବାହାଘର ପାଇଁ ୧.୬୧ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହାସହ ପପ୍ପଲ ସିଂହଙ୍କ ପତ୍ନୀ ଅନୀତା ଦେବୀଙ୍କୁ ଶାଲ୍ ଦେଇ ସମ୍ମାନିତ କରାଯାଇଥିଲା। ଏହି ବାହାଘରର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ଥିଲା ପ୍ରୀତିଙ୍କ ବିଦାୟ ସମୟ। ବାପାଙ୍କ ଅନୁପସ୍ଥିତିରେ ଝିଅକୁ ବିଦାୟ ଦେବାର ଦାୟିତ୍ୱ ରେଜିମେଣ୍ଟର ଯବାନମାନେ ତୁଲାଇଥିଲେ। ସେମାନେ ପ୍ରୀତିଙ୍କୁ ଆଶୀର୍ବାଦ ଦେବା ସହ ପରିବାରକୁ ସମର୍ଥନ ଜଣାଇଥିଲେ।
ସୌଜନ୍ୟ ସମ୍ବାଦ




