ଅନୁଗୋଳ: ଜଣେ କି ଦୁଇ ଜଣ ନୁହଁ, ବର୍ଷକୁ ଦେଢ଼ ଶହରୁ ଅଧିକ ଶିଶୁ ନିଖୋଜ ହୋଇ ଯାଉଛନ୍ତି। କିଏ ଘର ଅଗଣାରୁ ହଜି ଯାଉଛି ତ’ କିଏ ଘରୁ ବାହାରକୁ ଯାଇ ଆଉ ଫେରୁନି। ସରକାରୀ ହିସାବ କହୁଛି, ଗତ ୩ ବର୍ଷରେ ଅନୁଗୋଳ ଜିଲ୍ଲାରୁ ୫୩୦ ଜଣ ଶିଶୁ ନିଖୋଜ ହୋଇଛନ୍ତି। ନିଖୋଜଙ୍କ ମଧ୍ୟରୁ ପୁଲିସ ଅଧିକାଂଶ ଶିଶୁଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଏବେ ବି ୧୯ ଜଣଙ୍କ ପତ୍ତା ମିଳିନି। ସରକାରୀ ସ୍ତରରେ ଶିଶୁ ସୁରକ୍ଷା ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଅନୁଗୋଳ ଜିଲ୍ଲାରେ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ମାସକ ତଳେ ଅନୁଗୋଳ ସହରରେ ଥିବା ଏକ ଶିକ୍ଷାନୁଷ୍ଠାନର ଛାତ୍ରାବାସରୁ ଦୁଇଜଣ ନାବାଳକ କୁଆଡ଼େ ଚାଲି ଯାଇଥିଲେ। ରାତିସୁଦ୍ଧା ସେମାନଙ୍କୁ ନ ପାଇ ଛାତ୍ରାବାସ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଥିଲା। ଏ ନେଇ ସେମାନେ ଅନୁଗୋଳ ସଦର ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ନିଖୋଜ ମାମଲା ରୁୁଜୁ କରି ଖୋଜାଖୋଜି କରିଥିଲା। ବିଭିନ୍ନ ସୂତ୍ରରୁ ଖବର ପାଇ ଉଭୟ ଛାତ୍ରଙ୍କୁ ପୁରୀ ସମୁଦ୍ରକୂଳରୁ ଉଦ୍ଧାର କରିଥିଲା। ନିଖୋଜ ପିଲାଙ୍କ ସନ୍ଧାନ ମିଳିବା ମିଳିବା ପରେ ପରିବାର ଲୋକଙ୍କ ମୁହଁରେ ହସ ଫେରିଥିଲା।
ଜିଲ୍ଲାରେ ପ୍ରାୟ ୨ ଦିନରେ ହାରାହାରି ଜଣେ ଶିଶୁ ନିଖୋଜ ହେଉଥିବାରୁ ଏହା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ଗତ ୨୦୨୩ରୁ ୨୦୨୫ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୫୩୦ ଶିଶୁ ନିଖୋଜ ନେଇ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୫୧୧ ଜଣଙ୍କୁ ପୁଲିସ ଠାବ କରିଥିବା ବେଳେ ଆଉ ୧୯ ଜଣଙ୍କର ପତ୍ତା ମିଳିନାହିଁ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩ରେ ଜିଲ୍ଲାରୁ ୧୪୦ ଶିଶୁ ନିଖୋଜ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩୮ ଜଣଙ୍କୁ ଠାବ କରାଯାଇଥିବା ବେଳେ ୨ ଜଣ ଏବେ ବି ନିଖୋଜ ଅଛନ୍ତି। ୨୦୨୪ରେ ନିଖୋଜ ଶିଶୁଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଥିଲା। ଏଥିରୁ ୧୪୮ ଜଣଙ୍କୁ ଠାବ କରାଯାଇଥିବା ବେଳେ ୬ ଜଣଙ୍କ ସନ୍ଧାନ ମିଳିନାହିଁ। ୨୦୨୫ରେ ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି। ଏହି ବର୍ଷ ୨୩୬ ଶିଶୁ ନିଖୋଜ ହୋଇଥିବାବେଳେ ୨୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୧ ଜଣଙ୍କ ଏଯାଏଁ ପତ୍ତା ମିଳିନାହିଁ।
ପରିସଂଖ୍ୟାନ ଅନୁଯାୟୀ ଅନୁଗୋଳ ଥାନା ଅଞ୍ଚଳରେ ନିଖୋଜ ଶିଶୁଙ୍କ ସଂଖ୍ୟା ଅଧିକ। ୨୦୨୫ରେ ଏହି ଥାନା ଅଞ୍ଚଳରୁ ୪୨ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ୪୧ ଜଣଙ୍କୁ ଠାବ କରାଯାଇଛି। ସେହିପରି ଅନୁଗୋଳ ସଦର ଥାନା ଅଞ୍ଚଳରୁ ୨୬ ଜଣ, ବଅଁରପାଳରୁ ୨୧ ଜଣ ଓ ତାଳଚେରରୁ ୧୬ ଜଣ ନିଖୋଜ ହୋଇଥିଲେ। ଏ ସଂପର୍କରେ ଅନୁଗୋଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଏବେ ପିଲାମାନେ ସାମାନ୍ୟ କଥାରେ ରାଗି ଘର ଛାଡ଼ି ପଳାଉଛନ୍ତି। ପାଠପଢ଼ାରେ ଆକଟ କଲେ କିମ୍ବା ମୋବାଇଲ୍ ଫୋନ୍ ନ ଦେଲେ ପ୍ରତିକ୍ରିୟାଶୀଳ ହୋଇ ଘରୁ ଚାଲି ଯାଉଛନ୍ତି। ଏ କ୍ଷେତ୍ରରେ ସେମାନଙ୍କୁ ଉପଯୁକ୍ତ କାଉନ୍ସେଲିଂର ଆବଶ୍ୟକତା ରହିଛି।
ସୌଜନ୍ୟ ସମ୍ବାଦ