Handicrafts: ଅଦରକାରୀ ଘାସରୁ ସୁନ୍ଦର କଳାକୃତି! ବିଦେଶରେ ବି ବଢୁଛି ‘ସିକ୍କି ଆର୍ଟ’ର ଚାହିଦା
ସାଧାରଣତଃ ନଦୀ ଓ କେନାଲ କୂଳରେ ଆପେଆପେ ଉଠୁଥିବା ଘାସକୁ ଲୋକେ ଅଦରକାରୀ ଭାବି ଅଣଦେଖା କରିଥାନ୍ତି। କିନ୍ତୁ ଏହି ଘାସ ଯେ ଦିନେ ଏକ ରାଜ୍ୟର ପରିଚୟ ପାଲଟିପାରେ, ତାହା ବିହାରର ମିଥିଳାଞ୍ଚଳକୁ ଦେଖିଲେ ଜଣାପଡ଼େ।

ସାଧାରଣତଃ ନଦୀ ଓ କେନାଲ କୂଳରେ ଆପେଆପେ ଉଠୁଥିବା ଘାସକୁ ଲୋକେ ଅଦରକାରୀ ଭାବି ଅଣଦେଖା କରିଥାନ୍ତି। କିନ୍ତୁ ଏହି ଘାସ ଯେ ଦିନେ ଏକ ରାଜ୍ୟର ପରିଚୟ ପାଲଟିପାରେ, ତାହା ବିହାରର ମିଥିଳାଞ୍ଚଳକୁ ଦେଖିଲେ ଜଣାପଡ଼େ। ଏଠାରେ ପ୍ରାକୃତିକ ଭାବେ ଉଠୁଥିବା ଏକ ସ୍ୱତନ୍ତ୍ର ଘାସରୁ ତିଆରି ହେଉଛି ଆକର୍ଷଣୀୟ ହସ୍ତଶିଳ୍ପ। ଏହି ପାରମ୍ପରିକ କଳାକୁ ‘ସିକ୍କି ଆର୍ଟ’ କୁହାଯାଏ। ଏବେ ଏହା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
‘ଗୋଲ୍ଡେନ୍ ଗ୍ରାସ୍ ଅଫ୍ ବିହାର’
ଏହି କଳାରେ ବ୍ୟବହାର ହେଉଥିବା ଘାସକୁ ‘ଗୋଲ୍ଡେନ୍ ଗ୍ରାସ୍ ଅଫ୍ ବିହାର’ ବୋଲି କୁହାଯାଏ। ଏହାକୁ ଚାଷ କରିବାକୁ ପଡ଼େନାହିଁ। ନଦୀ ଓ କେନାଲ କୂଳରେ ପ୍ରାକୃତିକ ଭାବେ ଏହା ବଢ଼ିଥାଏ। ଏହି ଘାସ ପ୍ରାୟ ୩ରୁ ୪ ଫୁଟ ଉଚ୍ଚ ହୋଇଥାଏ। ଏହାର କାଣ୍ଡରୁ ସୁନ୍ଦର ସାଜସଜ୍ଜା ସାମଗ୍ରୀ ତିଆରି ହେଉଥିବା ବେଳେ ମୂଳରୁ ତେଲ, ସୁଗନ୍ଧିତ ଦ୍ରବ୍ୟ ଏବଂ କେତେକ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ। ପ୍ରକୃତିର ଏହି ଅମୂଲ୍ୟ ଉପହାର ଏବେ ସ୍ଥାନୀୟ ଲୋକଙ୍କ ଜୀବିକାର ମାଧ୍ୟମ ପାଲଟିଛି।
କଳାର ମୁଖ୍ୟ ଆଧାର ‘ସଦାୟ’ ଗୋଷ୍ଠୀ
ସିକ୍କି ଆର୍ଟର ଲୋକପ୍ରିୟତା ପଛରେ ରହିଛି ଗ୍ରାମାଞ୍ଚଳର ମହିଳାଙ୍କ ଅକ୍ଳାନ୍ତ ପରିଶ୍ରମ। ବିଶେଷକରି ‘ସଦାୟ’ ଗୋଷ୍ଠୀର ମହିଳାମାନେ ଏହି କଳାର ମୁଖ୍ୟ ଆଧାର। ସେମାନେ ନଦୀକୂଳରୁ ଘାସ ସଂଗ୍ରହ କରିବା ସହ ଏହାକୁ ସୁରକ୍ଷିତ ଭାବେ କାରିଗରଙ୍କ ପାଖରେ ପହଞ୍ଚାଇଥାନ୍ତି। ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ସେମାନେ ‘ସଦାୟ ଦିଦି’ ଭାବେ ପରିଚିତ। ଏହି ପାରମ୍ପରିକ କଳା ମାଧ୍ୟମରେ ମହିଳାମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଆର୍ଥିକ ସ୍ୱାବଲମ୍ବୀ ହେବାର ସୁଯୋଗ ପାଉଛନ୍ତି।
ଘାସରୁ ଆକର୍ଷଣୀୟ କଳାକୃତି
ତେବେ ଏହି ଘାସକୁ ଆକର୍ଷଣୀୟ କଳାକୃତିରେ ପରିଣତ କରିବା ପାଇଁ ରହିଛି ଏକ ସ୍ୱତନ୍ତ୍ର ପ୍ରକ୍ରିୟା। ପ୍ରଥମେ ମାଟି ହାଣ୍ଡିରେ ପାଣି ଗରମ କରି ସେଥିରେ ଘାସକୁ ରଖାଯାଏ। ଏହାପରେ ଘାସକୁ ବାହାର କରି ଥଣ୍ଡା ପାଣିରେ ଭଲ ଭାବେ ଧୁଆଯାଏ। ପରବର୍ତ୍ତୀ ସମୟରେ ଏହାକୁ ଖରାରେ ଶୁଖାଯାଏ। ଘାସ ସମ୍ପୂର୍ଣ୍ଣ ଶୁଖି ଶକ୍ତ ହୋଇଗଲେ ଆବଶ୍ୟକତା ଅନୁସାରେ ବିଭିନ୍ନ ରଙ୍ଗରେ ରଙ୍ଗାଯାଏ। ରଙ୍ଗ ପକ୍କା ହେବା ପରେ କାରିଗରମାନେ ନିଜର କଳା ଓ ଦକ୍ଷତା ବଳରେ ଏହାକୁ ଭିନ୍ନ ଭିନ୍ନ ଆକାର ଦେଇଥାନ୍ତି।
ଚମକ କମିବା ପରିବର୍ତ୍ତେ ଆହୁରି ବଢ଼ିଥାଏ
ଏହି ଘାସରୁ ତିଆରି ହେଉଛି ୱାଲ୍ ହ୍ୟାଙ୍ଗିଂ, ସାଜସଜ୍ଜା ପ୍ଲେଟ୍, ଟେବୁଲ ଲ୍ୟାମ୍ପ, କୋଷ୍ଟର, ଡାଲା, ଶିଶୁଙ୍କ ଖେଳନା, କଣ୍ଢେଇ ଏବଂ ଫୁଲକୁଣ୍ଡ ଭଳି ଅନେକ ଆକର୍ଷଣୀୟ ସାମଗ୍ରୀ। ବିଶେଷକରି ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ଏହି ହସ୍ତନିର୍ମିତ ସାମଗ୍ରୀ ଉପହାର ଭାବେ ଦେବାକୁ ଲୋକେ ପସନ୍ଦ କରୁଛନ୍ତି। ଏହାର ଆଉ ଏକ ବିଶେଷତ୍ୱ ହେଉଛି, ସମୟ ବିତିବା ସହ ଏହାର ଚମକ କମିବା ପରିବର୍ତ୍ତେ ଆହୁରି ବଢ଼ିଥାଏ। ତେଣୁ ଏହାର ଆକର୍ଷଣ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ।
ଆଜି ସିକ୍କି ଆର୍ଟର ଚାହିଦା ବିହାରର ସୀମା ଡେଇଁ ବିଦେଶରେ ମଧ୍ୟ ପହଞ୍ଚିଛି। ଏହାର ବଢ଼ୁଥିବା ଲୋକପ୍ରିୟତା ସ୍ଥାନୀୟ କାରିଗରଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିଛି। ଏକଦା ଅଦରକାରୀ ଭାବେ ପରିତ୍ୟକ୍ତ ହେଉଥିବା ଘାସ ଆଜି ମିଥିଳାର ସାଂସ୍କୃତିକ ପରିଚୟ ଓ ଆର୍ଥିକ ସମୃଦ୍ଧିର ମାଧ୍ୟମ ପାଲଟିଛି। ପ୍ରକୃତିର ଏହି ସୁନାର ଘାସ ଗ୍ରାମୀଣ ମହିଳାଙ୍କ ହାତରେ ନୂଆ ଜୀବନ ପାଇବା ସହ ଭାରତୀୟ ଲୋକକଳାର ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସଫଳ ହୋଇଛି।
ସୌଜନ୍ୟ ସମ୍ବାଦ




