ରାଜ୍ୟ

Violence prevention: ଗଞ୍ଜାମରେ ଲିଙ୍ଗଭିତ୍ତିକ ହିଂସା ନିରୋଧ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ

ମହିଳାଙ୍କ ପ୍ରତି ହିଂସା ନିରୋଧ ଆନ୍ତର୍ଜାତୀୟ ଦିବସ। ଏହି ଦିବସଠାରୁ ଡିସେମ୍ବର ୧୦, ମାନବାଧିକାର ଦିବସ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ‘୧୬ ଦିନିଆ ହିଂସା ନିରୋଧ ଅଭିଯାନ’ ପାଳନ କରାଯାଏ। ଏହା କେବଳ ଏକ ସଚେତନତା ଅଭିଯାନ ନୁହେଁ, ବରଂ...

ଛତ୍ରପୁର: ମହିଳାଙ୍କ ପ୍ରତି ହିଂସା ନିରୋଧ ଆନ୍ତର୍ଜାତୀୟ ଦିବସ। ଏହି ଦିବସଠାରୁ ଡିସେମ୍ବର ୧୦ (ମାନବାଧିକାର ଦିବସ) ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ‘୧୬ ଦିନିଆ ହିଂସା ନିରୋଧ ଅଭିଯାନ’ ପାଳନ କରାଯାଏ। ଏହା କେବଳ ଏକ ସଚେତନତା ଅଭିଯାନ ନୁହେଁ, ବରଂ ମହିଳା ଓ ବାଳିକାଙ୍କ ସୁରକ୍ଷା, ସମ୍ମାନ, ଅଧିକାର ଓ ସମାନତା ପ୍ରତି ଆମର ସାମୂହିକ ସଂକଳ୍ପ।

ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ତତ୍ତ୍ୱାବଧାନରେ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ, ଶକ୍ତି ଆପା, ଓଡ଼ିଶା ଜୀବିକା ମିସନର ଅଧିକାରୀ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମଚାରୀ, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ସଦସ୍ୟ, ଉତ୍କଳ ବାଳାଶ୍ରମ ଓ ସ୍ୱାଧାରର କର୍ମକର୍ତ୍ତା, ଜେଣ୍ଡର CRP, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା, ସଖୀ କେନ୍ଦ୍ର, ଶକ୍ତି ସଦନ, ସଖୀ ନିବାସର କର୍ମଚାରୀ, SEVA, CARD ଓ CURE NGOର ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରୀମାନେ ଯୋଗଦେଇଥିଲେ।

ଏହି ଅବସରରେ ଯୌନ ଉତ୍ପୀଡ଼ନ ନିରୋଧ ଆଇନ ସମ୍ପର୍କିତ ପ୍ରତିଜ୍ଞା ଗ୍ରହଣ କରାଯିବା ସହ ମହିଳା ଓ ବାଳିକାଙ୍କ ପ୍ରତି ସମସ୍ତ ପ୍ରକାରର ହିଂସା ନିରୋଧ ନିମନ୍ତେ ଶପଥ ଗ୍ରହଣ କରାଯାଇଥିଲା। ଏହି ଶପଥ କାର୍ଯ୍ୟକ୍ରମ ଅତିରିକ୍ତ ମାଜିଷ୍ଟ୍ରେଟ୍ ଜେନେରାଲ୍ ସଚ୍ଚିଦାନନ୍ଦ ନାୟକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ମହିଳା ଓ ବାଳିକାଙ୍କ ପ୍ରତି ହିଂସା ନିରୋଧରେ ସାମୂହିକ ସଚେତନତା, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଘରୋଇ ହିଂସା, ଯୌତୁକଜନିତ ନିର୍ଯାତନା, ଯୌନ ହିଂସା, ଶିଶୁ ଯୌନ ଶୋଷଣ, ବାଲ୍ୟବିବାହ, ମାନବ ଚାଲାଣ, ସାଇବର ହିଂସା, କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ, ମାନସିକ ଓ ଆର୍ଥିକ ନିର୍ଯାତନା ଏବଂ ସାମାଜିକ ଭେଦଭାବ ଭଳି ବିଭିନ୍ନ ହିଂସା ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।

ଜିଲ୍ଲାର ବିଭିନ୍ନ ବ୍ଲକ୍, ଗ୍ରାମପଞ୍ଚାୟତ, ଶିକ୍ଷାନୁଷ୍ଠାନ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ସର୍ବସାଧାରଣ ସ୍ଥାନରେ ‘ସେଫ୍ ସିଟି’ ସଚେତନତା କାର୍ଯ୍ୟକ୍ରମ, ରାଲି, ଶପଥ ଗ୍ରହଣ, ଆଲୋଚନାଚକ୍ର, ଯୁବ ଅଂଶଗ୍ରହଣ, ମହିଳା ସଭା ଓ ପାଲା–ଦାସକାଠିଆ ଭଳି ଲୋକକଳା ମାଧ୍ୟମରେ ହିଂସା ନିରୋଧ ସନ୍ଦେଶ ପ୍ରଚାର କରାଯିବ। ଏଥିସହ ମାନସିକ ସ୍ୱାସ୍ଥ୍ୟ, ଶିଶୁମାନଙ୍କ ସୁସ୍ଥ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ଅଧିକାର ଓ ସୁରକ୍ଷା ଉପରେ ବ୍ଲକ୍ ଓ ଗ୍ରାମସ୍ତରରେ ବିଭିନ୍ନ ସଚେତନତା ସଭା ଓ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି ୧୬ ଦିନିଆ ଅଭିଯାନ ଅବସରରେ ମହିଳା ଓ ଶିଶୁଙ୍କ ସୁରକ୍ଷା, ଘରୋଇ ହିଂସା, ଯୌତୁକ ପ୍ରଥା, ବାଲ୍ୟବିବାହ, ଯୌନ ଉତ୍ପୀଡ଼ନ, POCSO ଆଇନ, ସାଇବର ସୁରକ୍ଷା, ମହିଳାଙ୍କ ଅଧିକାର, ଲିଙ୍ଗଗତ ସମାନତା ଓ ବିଭିନ୍ନ ହେଲ୍ପଲାଇନ୍ ସମ୍ପର୍କିତ ୩୦ଟି ସଚେତନତାମୂଳକ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ। ଏହାସହ ହିଂସାର ଶିକାର ମହିଳା ଓ ଶିଶୁଙ୍କୁ ସହଯୋଗ, ସୁରକ୍ଷା ଓ ନ୍ୟାୟ ପ୍ରଦାନ ଏବଂ ହିଂସାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ।

ଜିଲ୍ଲାପାଳ ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମ୍ମାନଜନକ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା ସହ ହିଂସାର ଶିକାର ବ୍ୟକ୍ତିଙ୍କୁ ଆବଶ୍ୟକ ସହାୟତା, ସୁରକ୍ଷା ଓ ନ୍ୟାୟ ପ୍ରଦାନରେ ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ସମୁଦାୟ ଓ ନାଗରିକଙ୍କ ସାମୂହିକ ଦାୟିତ୍ୱ ଏବଂ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମର ସମନ୍ୱୟ ଓ ଆୟୋଜନ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଗଞ୍ଜାମ ପକ୍ଷରୁ ଜିଲ୍ଲା ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ମହାରଣାଙ୍କ ଦ୍ୱାରା କରାଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ସମସ୍ତ ବିଭାଗ, NGOs, ଶକ୍ତି ଆପା, ଓଡ଼ିଶା ଜୀବିକା ମିଶନ, ସମୁଦାୟ ଓ ନାଗରିକଙ୍କ ସକ୍ରିୟ ସହଯୋଗରେ ହିଂସାମୁକ୍ତ, ସୁରକ୍ଷିତ, ସମାନତାପୂର୍ଣ୍ଣ ଓ ସମ୍ମାନଜନକ ସମାଜ ଗଠନ ପାଇଁ ଆହ୍ୱାନ କରାଯାଇଛି। ହିଂସାକୁ ନା, ସମ୍ମାନକୁ ହଁ, ସମାନତାକୁ ହଁ ଓ ନ୍ୟାୟକୁ ହଁ—ଆସନ୍ତୁ, ଏକ ସୁରକ୍ଷିତ, ହିଂସାମୁକ୍ତ ଓ ସମାନତାପୂର୍ଣ୍ଣ ସମାଜ ଗଢ଼ିବା। ଆୟୋଜକ: ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଗଞ୍ଜାମ, ଛତ୍ରପୁର।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button