ରାଜ୍ୟ

Data center: ଡାଟା ସେଣ୍ଟରର କେଁ କାଢ଼ିଲେ; ଓଡ଼ିଶାକୁ କିଛି ଲାଭ ମିଳିବନି: ବିରୋଧୀ

ନରାଜଠାରେ ପ୍ରସ୍ତାବିତ ଡାଟା ସେଣ୍ଟରକୁ ନେଇ ବିଧାନସଭାରେ ଆଜି ଉଦ୍‌ବେଗ ପ୍ରକାଶ ପାଇଛି। ଶୂନ୍ୟକାଳରେ ବିଜେଡିର ଦୁଇ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ ‌ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଜବାବ ମାଗିଥିଲେ।

ଭୁବନେଶ୍ବର: ନରାଜଠାରେ ପ୍ରସ୍ତାବିତ ଡାଟା ସେଣ୍ଟରକୁ ନେଇ ବିଧାନସଭାରେ ଆଜି ଉଦ୍‌ବେଗ ପ୍ରକାଶ ପାଇଛି। ଶୂନ୍ୟକାଳରେ ବିଜେଡିର ଦୁଇ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ ‌ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଜବାବ ମାଗିଥିଲେ। ଅପର୍ଯ୍ୟାପ୍ତ ବିଦ୍ୟୁତ୍‌, ଜଳ ଦେଇ ଡାଟା ସେଣ୍ଟର ପ୍ରତିଷ୍ଠା କରିବାରେ କାହାର କି ଉଦ୍ଦେଶ୍ୟ ସାଧିତ ହେବ ବୋଲି ପ୍ରଶ୍ନ କରିଥିଲେ।

ଶୂନ୍ୟକାଳରେ ଉଠାଇଲେ

ଓଡ଼ିଶାକୁ କିଛି ଲାଭ ମିଳିବନି: ବିରୋଧୀ

ବିରୋଧୀ ଦଳର ଉପନେତା ଶ୍ରୀ ଆଚାର୍ଯ୍ୟ କହିଲେ, ନରାଜଠାରେ ଆଦାନୀ ଗ୍ରୁପ୍‌ ପକ୍ଷରୁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଡାଟା ସେଣ୍ଟର ପାଇଁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି। ଆମେ ଶିଳ୍ପ ସଂସ୍ଥାକୁ ରାଜ୍ୟକୁ ଆମନ୍ତ୍ରଣ କରୁଛୁ। ଏହା ସ୍ବାଗତଯୋଗ୍ୟ, କିନ୍ତୁ ଯେଉଁ ଶିଳ୍ପ ରାଜ୍ୟର କ୍ଷତି କରିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିବ, ସେପରି ଶିଳ୍ପ ଆମର ଦରକାର ନାହିଁ। ପ୍ରସ୍ତାବିତ ଡାଟା ସେଣ୍ଟର ପାଇଁ ୨.୪ କୋଟି ୟୁନିଟ୍‌ ବିଦ୍ୟୁତ୍‌ ଦରକାର। ପୁଣି କୁଲିଂ ପାଇଁ ଦୈନିକ ତିନି କୋଟି ଲିଟର ପାଣି ଦରକାର। ଅଥଚ ନିଯୁକ୍ତି ସୁଯୋଗ ଅତି ବେଶୀରେ ଏକ ହଜାର ହେବ। ଓଡ଼ିଶାକୁ ଏଥିରୁ କି ଲାଭ ମିଳିବ? ଶିଳ୍ପ ସଂସ୍ଥା ସହ ଏ କି ପ୍ରକାର ମଧୁଚନ୍ଦ୍ରିକା? ପୁଞ୍ଜିପତିମାନଙ୍କୁ ଏ ରାଜ୍ୟ ଟେକି ଦିଆଯିବ କି?

ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ଡାଟା ସେଣ୍ଟର ପାଇଁ ନରାଜକୁ କାହିଁକି ମନୋନୀତ କରାଗଲା? ଡାଟା ସେଣ୍ଟର ନାଁରେ ସରକାର ବିଷ ମଞ୍ଜି ଆଣିଛନ୍ତି କି? ଏହା ଉପରେ ଏଠାରେ ବିସ୍ତୃତ ଆଲୋଚନା ହେଉ। ସରକାର ଶ୍ବେତପତ୍ର ଜାରି କରନ୍ତୁ। ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସମୁଦ୍ର ଭିତରେ କରିବାର ବ୍ୟବସ୍ଥା କରାଯାଉ। ଡାଟା ସେଣ୍ଟର ଏବେ ଆମେରିକା ରାଜନୀତିରେ ବଡ଼ ପ୍ରସଙ୍ଗ ହୋଇଛି। ଡାଟା ସେଣ୍ଟରକୁ ବିରୋଧ କରି ସେଠାକାର ଲୋକମାନେ ଶାସକ ଦଳ ବିରୋଧରେ ଭୋଟ ଦେଇଛନ୍ତି। ତେଣୁ ଏଠି ସରକାର ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button