Ramayana: ୨୦୦୦ କୋଟି ମୁହାଁ ‘ରାମାୟଣ’: ‘ବାହୁବଳୀ-୨’ର ରେକର୍ଡ ଭାଙ୍ଗିବା ଲକ୍ଷ୍ୟ
ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ କରି ଚାଲିଛି ରଣବୀର କପୁର ଓ ୟଶଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’। ରିଲିଜ୍ର ୨୨ ଦିନ ପରେ ମଧ୍ୟ ଫିଲ୍ମର କ୍ରେଜ୍ ଜାରି ରହିଛି। ଭାରତୀୟ ବକ୍ସ ଅଫିସରେ ଏହା ୧୦୦୦ କୋଟି ଟଙ୍କାର ନେଟ୍ କଲେକ୍ସନ ଅତିକ୍ରମ କରିବାକୁ ଆଉ ମାତ୍ର...

ମୁମ୍ବାଇ: ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ କରି ଚାଲିଛି ରଣବୀର କପୁର ଓ ୟଶଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ରାମାୟଣ’। ରିଲିଜ୍ର ୨୨ ଦିନ ପରେ ମଧ୍ୟ ଫିଲ୍ମର କ୍ରେଜ୍ ଜାରି ରହିଛି। ଭାରତୀୟ ବକ୍ସ ଅଫିସରେ ଏହା ୧୦୦୦ କୋଟି ଟଙ୍କାର ନେଟ୍ କଲେକ୍ସନ ଅତିକ୍ରମ କରିବାକୁ ଆଉ ମାତ୍ର କିଛି ପାଦ ଦୂରରେ ରହିଛି। ଅନ୍ୟପଟେ ବିଶ୍ୱବ୍ୟାପୀ ଆୟ କ୍ଷେତ୍ରରେ ମଧ୍ୟ ଏହା ନୂଆ ରେକର୍ଡ ଆଡ଼କୁ ଅଗ୍ରସର ହେଉଛି।
ରିପୋର୍ଟ ଅନୁସାରେ, ରିଲିଜ୍ର ୨୨ତମ ଦିନରେ ‘ରାମାୟଣ’ ଭାରତରେ ୯.୬୫ କୋଟି ଟଙ୍କାର ନେଟ୍ ଆୟ କରିଛି। ଏଥିସହ ଭାରତରେ ଫିଲ୍ମର ମୋଟ ନେଟ୍ କଲେକ୍ସନ ୯୯୨.୧୦ କୋଟି ଟଙ୍କାରେ ପହଞ୍ଚିଛି। ମୋଟ ଗ୍ରସ୍ କଲେକ୍ସନ ୧୧୮୫ କୋଟି ଟଙ୍କା ହୋଇଛି। ହିନ୍ଦୀ ଭାଷାରୁ ସର୍ବାଧିକ ୬.୭୫ କୋଟି ଟଙ୍କା ଆୟ ହୋଇଥିବାବେଳେ ମାଲାୟାଲମ୍ରୁ ୧ କୋଟି, କନ୍ନଡ଼ରୁ ୮୫ ଲକ୍ଷ, ତାମିଲରୁ ୭୫ ଲକ୍ଷ ଏବଂ ତେଲୁଗୁରୁ ୩୦ ଲକ୍ଷ ଟଙ୍କା ମିଳିଛି।
ବିଶ୍ୱବ୍ୟାପୀ ଆୟ ୧୭୭୭ କୋଟି
ଘରୋଇ ବଜାର ସହ ବିଦେଶରେ ମଧ୍ୟ ଫିଲ୍ମର ଦମ୍ଦାର ପ୍ରଦର୍ଶନ ଜାରି ରହିଛି। ୨୨ତମ ଦିନରେ ବିଦେଶୀ ବଜାରରୁ ଏହା ୧୦ କୋଟି ଟଙ୍କା ଆୟ କରିଛି। ଫଳରେ ବିଦେଶରେ ମୋଟ ଗ୍ରସ୍ କଲେକ୍ସନ ୫୯୨ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ଓ ବିଦେଶର ଆୟକୁ ମିଶାଇ ଫିଲ୍ମର ମୋଟ ବିଶ୍ୱବ୍ୟାପୀ ଗ୍ରସ୍ କଲେକ୍ସନ ୧୭୭୭ କୋଟି ଟଙ୍କା ହୋଇଛି।
‘ବାହୁବଳୀ-୨’ ରେକର୍ଡ ଉପରେ ନଜର
ଏହା ପୂର୍ବରୁ ଫିଲ୍ମଟି ‘ପୁଷ୍ପା-୨: ଦ ରୁଲ୍’ର ୧୭୪୨.୧୦ କୋଟି ଟଙ୍କାର ବିଶ୍ୱବ୍ୟାପୀ ଲାଇଫ୍ଟାଇମ୍ କଲେକ୍ସନକୁ ପଛରେ ପକାଇଛି। ଏବେ ଏହାର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏସ୍.ଏସ୍. ରାଜମୌଳୀଙ୍କ ଫିଲ୍ମ ‘ବାହୁବଳୀ-୨: ଦ କନ୍କ୍ଲୁଜନ୍’। ଏହି ଫିଲ୍ମର ବିଶ୍ୱବ୍ୟାପୀ ଲାଇଫ୍ଟାଇମ୍ କଲେକ୍ସନ ୧୭୮୮.୦୬ କୋଟି ଟଙ୍କା ରହିଛି। ଏହି ରେକର୍ଡକୁ ଅତିକ୍ରମ କରିବା ପାଇଁ ‘ରାମାୟଣ’କୁ ଆଉ ପ୍ରାୟ ୧୧ କୋଟି ଟଙ୍କା ଆୟ କରିବାକୁ ପଡ଼ିବ।
ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ଚତୁର୍ଥ ସ୍ଥାନ
୧୭୭୭ କୋଟି ଟଙ୍କାର ବିଶ୍ୱବ୍ୟାପୀ ଆୟ ସହ ‘ରାମାୟଣ’ ଭାରତୀୟ ସିନେମାର ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଏହି ତାଲିକାରେ ‘ଦଙ୍ଗଲ’ ୨୦୭୦.୩୦ କୋଟି ଟଙ୍କା ସହ ପ୍ରଥମ, ‘ଧୁରନ୍ଧର: ଦ ରିଭେଞ୍ଜ’ ୧୮୫୦.୮୮ କୋଟି ସହ ଦ୍ୱିତୀୟ ଏବଂ ‘ବାହୁବଳୀ-୨’ ୧୭୮୮.୦୬ କୋଟି ସହ ତୃତୀୟ ସ୍ଥାନରେ ରହିଛି। ଏବେ ସମସ୍ତଙ୍କ ନଜର ‘ରାମାୟଣ’ର ପରବର୍ତ୍ତୀ ବକ୍ସ ଅଫିସ୍ ରେକର୍ଡ ଉପରେ ରହିଛି।
ସୌଜନ୍ୟ ସମ୍ବାଦ




