ଦେଶ ବିଦେଶ

Drone Attack: କୁଏତ୍‌ରେ ଡ୍ରୋନ୍‌ ଆକ୍ରମଣରେ ୨ ଇଟାଲୀୟଙ୍କ ମୃତ୍ୟୁ

କୁଏତରେ ଗୁରୁବାର ଏକ ଡ୍ରୋନ୍ ଆକ୍ରମଣରେ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ କାର୍ଯ୍ୟ କରୁଥିବା ଦୁଇ ଇଟାଲୀୟ ଟେକ୍ନିସିଆନ୍‌ଙ୍କର ମୃତ୍ୟୁ ହୋଇଛି। କିଛି ମାସ ବ୍ୟବଧାନରେ ଉପସାଗରୀୟ ରାଜ୍ୟରେ ଏହା ପ୍ରଥମ ଘାତକ ଆକ୍ରମଣ ଥିଲା। ଇଟାଲୀ ଓ କୁଏତ ଉଭୟ ଟେକ୍ନିସିଆନଙ୍କ...

କୁଏତ୍‌ ସିଟି: କୁଏତରେ ଗୁରୁବାର ଏକ ଡ୍ରୋନ୍ ଆକ୍ରମଣରେ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ କାର୍ଯ୍ୟ କରୁଥିବା ଦୁଇ ଇଟାଲୀୟ ଟେକ୍ନିସିଆନ୍‌ଙ୍କର ମୃତ୍ୟୁ ହୋଇଛି। କିଛି ମାସ ବ୍ୟବଧାନରେ ଉପସାଗରୀୟ ରାଜ୍ୟରେ ଏହା ପ୍ରଥମ ଘାତକ ଆକ୍ରମଣ ଥିଲା। ଇଟାଲୀ ଓ କୁଏତ ଉଭୟ ଟେକ୍ନିସିଆନଙ୍କ ମୃତ୍ୟୁକୁ ନିଶ୍ଚିତ କରି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି। ତେବେ ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘଚି ତାଙ୍କ କୁଏତ ଓ ଇଟାଲୀୟ ପ୍ରତିପକ୍ଷଙ୍କୁ ଫୋନ କରି ଏହି ଘାତକ ଆକ୍ରମଣ ପଛରେ ଇରାନର ହାତ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଇରାନ ବିବାଦୀୟ ହର୍ମୁଜ ପ୍ରଣାଳୀର ନିୟନ୍ତ୍ରଣ ପାଇଁ ଆମେରିକା ସହିତ ଲଢ଼େଇ ଜାରି ରଖିଥିବାବେଳେ ଗତ ସପ୍ତାହରେ କୁଏତ ଓ ଉପସାଗରୀୟ ପଡ଼ୋଶୀ ବାହାରିନ ଉପରେ ଆକ୍ରମଣ ବୃଦ୍ଧି କରିଛି।

ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ସିନେଟରେ କହିଛନ୍ତି ଯେ, ଇରାନରେ ନିର୍ମିତ ଅନେକ ଡ୍ରୋନ କୁଏତ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ଏକ ଏୟାର-ଡିଫେନ୍ସ ଡିଟେକ୍ସନ ଷ୍ଟେସନ ମଧ୍ୟ ଅନ୍ତର୍ଭୁକ୍ତ ଯେଉଁଠାରେ ରେନମେଟାଲର ଦୁଇଜଣ ଇଟାଲୀୟ ଟେକ୍ନିସିଆନ କାମ କରୁଥିଲେ।

ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। କିନ୍ତୁ ଇରାନ ଏହି ଘାତକ ଆକ୍ରମଣ ପଛରେ ଥିବା ଅଭିଯୋଗକୁ ତୁରନ୍ତ ଖଣ୍ଡନ କରିଛି। ଇରାନର ସରକାରୀ ଟିଭି ଓ ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ, ଆରାଘଚି ତାଙ୍କ କୁଏତ ପ୍ରତିପକ୍ଷ ଜାରାହ ଜାବେର ଅଲ-ଅହମଦ ଅଲ-ସବାହ ଓ ଇଟାଲୀୟ ପ୍ରତିପକ୍ଷ ଆଣ୍ଟୋନିଓ ତାଜାନିଙ୍କ ସହ ଫୋନ୍ କଲ୍ କରି ତେହେରାନର ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ। ଆକ୍ରମଣ ପାଇଁ କିଏ ଦାୟୀ ତା’ର ତଦନ୍ତରେ ସହଯୋଗ କରିବାକୁ ଇରାନ ପ୍ରତିଶ୍ରୁତି ଦେଇଥିବା ଇଟାଲୀର ବିଦେଶ ମନ୍ତ୍ରୀ କହିଛନ୍ତି। ଏପରିକି ଆରାଘାଚି ମିଳିତ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଦୁଇ ଇଟାଲୀୟଙ୍କ ମୃତ୍ୟୁ ପରେ ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେଏନ୍ ତେହେରାନ ଉପରେ ଅଧିକ ଚାପ ପକାଇବାକୁ ଆହ୍ୱାନ କରିଛନ୍ତି। ଏହି ଆକ୍ରମଣରେ ୪ ଜଣ ଲୋକ ଆହତ ହୋଇଥିବା କୁଏତ୍‌ ସୂଚନା ଦେଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button