A new era : ରକେଟ୍‌ ଇଞ୍ଜିନ୍‌ ଉତ୍ପାଦନରେ ନୂଆଯୁଗ

ନିକଟରେ ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟ-ଅପ୍‌ ଆଷ୍ଟ୍ରୋବେସ୍‌ ସ୍ପେସ୍‌ ଟେକ୍‌ନୋଲୋଜିରେ ଦେଶର ବୃହତ୍ତମ ଥ୍ରି-ଡି ପ୍ରିଣ୍ଟର୍‌ ପହଞ୍ଚିଛି। ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେବାକୁ ଥିବା ଏହି ବୃହତ୍‌କାୟ....

ନିକଟରେ ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟ-ଅପ୍‌ ଆଷ୍ଟ୍ରୋବେସ୍‌ ସ୍ପେସ୍‌ ଟେକ୍‌ନୋଲୋଜିରେ ଦେଶର ବୃହତ୍ତମ ଥ୍ରି-ଡି ପ୍ରିଣ୍ଟର୍‌ ପହଞ୍ଚିଛି। ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେବାକୁ ଥିବା ଏହି ବୃହତ୍‌କାୟ ପ୍ରିଣ୍ଟର୍‌ ଆମ ଦେଶରେ ବେସରକାରୀ ମହାକାଶ ଶିଳ୍ପକୁ ଆଗେଇନେବ। ବିଦେଶୀ ବୈଷୟିକ ଜ୍ଞାନ ଉପରେ ନିର୍ଭର ନ କରି ସ୍ବଦେଶୀ ଜ୍ଞାନକୌଶଳରେ ରକେଟ୍‌ ଇଞ୍ଜିନ୍‌ ଉତ୍ପାଦନ କରିବା କ୍ଷେତ୍ରରେ ଏହି ପ୍ରକାଣ୍ଡ ଥ୍ରି-ଡି ପ୍ରିଣ୍ଟିଂ ମେସିନ୍‌ ବିଶେଷ ସହାୟକ ହେବ। କହିବାକୁ ଗଲେ ଏଥିସହିତ ଦେଶୀୟ ରକେଟ୍‌ ଇଞ୍ଜିନ୍‌ ଉତ୍ପାଦନର ନୂଆ ଯୁଗ ଆରମ୍ଭ ହୋଇଛି। ଏହି ପ୍ରିଣ୍ଟର୍‌ ଦ୍ବାରା ଆଷ୍ଟ୍ରୋବେସ୍‌ ବର୍ଷକୁ ଏକାଧିକ ୮୦ ଟନ୍‌ ଥ୍ରଷ୍ଟ୍‌ ଇଞ୍ଜିନ୍‌ ଉତ୍ପାଦନ କରିପାରିବ। ଶକ୍ତିଶାଳୀ ରକେଟ୍‌ ଇଞ୍ଜିନ୍‌ ପାଇଁ ଦରକାର ହେଉଥିବା ସୂକ୍ଷ୍ମ ବା ଜଟିଳ ଯନ୍ତ୍ରାଂଶ ମଧ୍ୟ ଏହି ପ୍ରିଣ୍ଟର୍‌ ଦ୍ବାରା ଆଷ୍ଟ୍ରୋବେସ୍‌ କାରଖାନାରେ ତିଆରି କରାଯାଇ ପାରିବ।

ଏ ଧରଣର ରକେଟ୍‌ ଇଞ୍ଜିନ୍‌ଗୁଡ଼ିକୁ ଫୁଲ୍‌-ଫ୍ଲୋ ଷ୍ଟେଜ୍‌ଡ କମ୍ବଶ୍ଚନ୍‌ ବା ‘ଏଫ୍‌ଏଫ୍‌ଏସ୍‌ସି’ କୁହାଯାଏ। ଏହି ରକେଟ୍‌ ଇଞ୍ଜିନ୍‌ ସବୁ ତରଳ ଅମ୍ଳଜାନ ଓ ଦ୍ରବୀଭୂତ ପ୍ରାକୃତିକ ବାଷ୍ପ ବା ଲିକ୍ବିଫାଏଡ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ ବଳରେ ଚାଲେ। ‘ଏଫ୍‌ଏଫ୍‌ଏସ୍‌ସି’ ଇଞ୍ଜିନ୍‌ରେ ଇନ୍ଧନ ଓ ଅକ୍ସିଡାଇଜର୍‌ ପ୍ରଥମେ ଦୁଇଟି ପୃଥକ୍‌ ପ୍ରି-ବର୍ଣ୍ଣର୍‌ରେ ଆଂଶିକ ଜଳିଥାଏ। ଏହି ଦହନରୁ ଉତ୍ପନ୍ନ ଉତ୍ତପ୍ତ ବାଷ୍ପରେ ଟର୍ବୋ ପମ୍ପ୍‌ ଚାଲିଥାଏ। ପରେ ବାହାରୁଥିବା ବାଷ୍ପ ମୁଖ୍ୟ କମ୍ବଶ୍ଚନ୍‌ ଚାମ୍ବର୍‌ରେ ପ୍ରବେଶ କରି ପୁଣି ଜଳିଉଠେ। ଏଭଳି ପ୍ରକ୍ରିୟାରେ ଇନ୍ଧନ ନଷ୍ଟ ହେଉ ନ ଥିବାରୁ ରକେଟ୍‌ ଇଞ୍ଜିନ୍‌ ବେଶ୍ ଶକ୍ତିଶାଳୀ ହୋଇଥାଏ। ପ୍ରତି ରକେଟ୍‌ ଇଞ୍ଜିନ୍‌ ୮୦ ଟନ୍‌ ଥ୍ରଷ୍ଟ୍ ବା ଧକ୍କା ଦେଇପାରେ। ଓଜନଦାର ସାଟେଲାଇଟ୍‌ଗୁଡ଼ିକୁ ଉଠାଇ ନେଇ କକ୍ଷପଥରେ ସ୍ଥାପନ କରିବା ପାଇଁ ଏତିକି ଥ୍ରଷ୍ଟ୍‌ ଯଥେଷ୍ଟ ହେବ। ଆଷ୍ଟ୍ରୋବେସ୍‌ ଦ୍ବାରା ବର୍ଷକୁ ପ୍ରାୟ ୫୦ଟି ଏହି ଧରଣର ଇଞ୍ଜିନ୍‌ ଉତ୍ପାଦନ କରିବା ଯୋଜନା ରଖାଯାଇଛି। ତେଣୁ, ରକେଟ୍‌ ଇଞ୍ଜିନ୍‌ ପାଇଁ ଆବଶ୍ୟକ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ଏହି ପ୍ରିଣ୍ଟର୍‌ ଦ୍ବାରା ଶୀଘ୍ର ନିର୍ମାଣ କରାଯାଇ ପାରିବ। ଏସବୁ ଉନ୍ନତମାନର ସାଙ୍ଗକୁ ଶସ୍ତା ମଧ୍ୟ ହେବ। ଏହି ଅତ୍ୟାଧୁନିକ ଯନ୍ତ୍ରପାତି ନିର୍ମାଣ ବ୍ୟବସ୍ଥା ହାଇ-ଥ୍ରଷ୍ଟ୍‌ ରକେଟ୍‌ ଇଞ୍ଜିନ୍‌ ନିର୍ମାଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବ। ସେହିପରି ଆଉ ବିଦେଶରୁ ଆମଦାନି ହେଉଥିବା ଯନ୍ତ୍ରାଂଶକୁ ଅପେକ୍ଷା ନ କରି ରକେଟ୍‌ ଇଞ୍ଜିନ୍‌ ନିର୍ମାତାମାନେ ଗୋଟିଏ ସ୍ଥାନରେ ରହି ଡିଜାଇନ୍‌, ପ୍ରିଣ୍ଟ୍‌, ଟେଷ୍ଟ୍‌ ଓ ଆସେମ୍ବଲ୍‌ କରିପାରିବେ।

୨୦୨୪ରେ ସ୍ଥାପିତ ଆଷ୍ଟ୍ରୋବେସ୍‌ ଏକ ପୂର୍ଣ୍ଣାଙ୍ଗ ଭାରତୀୟ ରକେଟ୍‌ ସିଷ୍ଟମ୍‌ ନିର୍ମାଣ କରୁଛି। ଏହି କମ୍ପାନି ଟର୍ବୋ ପମ୍ପ୍‌ ‌ପରୀକ୍ଷା କରିସାରିଛି ଓ ଆନ୍ଧ୍ରପ୍ରଦେଶରେ ଭାରତର ପ୍ରଥମ ହାଇ-ଥ୍ରଷ୍ଟ୍‌ ଇଞ୍ଜିନ୍‌ ପରୀକ୍ଷା କାରଖାନା ନିର୍ମାଣ ଲାଗି ଅନୁମତି ମଧ୍ୟ ପାଇଛି। ୨୦୨୮ ବା ୨୦୨୯ରେ ପ୍ରଥମ ଅର୍ବିଟାଲ୍‌ ମିସନ୍‌ ଆରମ୍ଭ କରିବାକୁ ଆଷ୍ଟ୍ରୋବେସ୍‌ ଯୋଜନା ଚଳାଇଛି। ପୂର୍ବରୁ ଚେନ୍ନାଇସ୍ଥିତ ନ୍ୟୁ ସ୍ପେସ୍‌ ଷ୍ଟାର୍ଟ-ଅପ୍‌ ଅଗ୍ନିକୁଳ କସ୍‌ମସ୍‌ରେ ଦେଶର ବୃହତ୍ତମ ଥ୍ରି-ଡି ପ୍ରିଣ୍ଟର୍‌ ଥିଲା। ଗତବର୍ଷ ଚେନ୍ନାଇରେ ଏହି କମ୍ପାନି ତା’ର ‘ଲାର୍ଜ ଫର୍ମାଟ୍‌ ଆଡିକ୍ଟିଭ୍‌ ମେଟାଲ୍‌ ମ୍ୟାନୁଫ୍ୟାଚରିଂ’ ବା ‘ଏଲ୍‌ଏଫ୍‌ଏଏମ୍‌ଏମ୍‌’ ୟୁନିଟ୍‌ ସ୍ଥାପନ କରିଥିଲା। ଏହାପରେ ଏବେ କମ୍ପାନି ଆଉ ପାଦେ ଆଗକୁଯାଇଛି। ଏହା ଘରୋଇ ରକେଟ୍‌ ଇଞ୍ଜିନ୍‌ ଉତ୍ପାଦନକୁ କେବଳ ନୁହେଁ, ଷ୍ଟାର୍ଟ-ଅପ୍‌କୁ ନୂଆ ବଳ ଦେଇଛି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version