ଭୁବନେଶ୍ବର: ଉଚ୍ଚ ଶିକ୍ଷାଠାରୁ ଦୂରେଇ ଯାଉଛନ୍ତି ଛାତ୍ରଛାତ୍ରୀ। ଦଶମ, ଏକାଦଶ, ଦ୍ବାଦଶ (ଯୁକ୍ତ୨) ଶ୍ରେଣୀ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି। ହେଲେ ଶେଷ କରୁନାହାନ୍ତି। କେଉଁଠି ଫର୍ମ ପୂରଣ କରି ଛାତ୍ରଛାତ୍ରୀ ପରୀକ୍ଷା ଦେଉ ନାହାନ୍ତି ତ ଆଉ କେଉଁଠି ପାଠପଢ଼ା ଛାଡ଼ି ଚାକିରି ପଛରେ ଧାଉଁଛନ୍ତି। ଯାହାର ସଦ୍ୟତମ ଉଦାହରଣ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାରୁ ଜଣାପଡ଼ିଛି। ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ ମଧ୍ୟ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ୧୪ ହଜାର ୯୬୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। କେଉଁ କାରଣ ପାଇଁ ଏତେ ସଂଖ୍ୟକ ପିଲା ପରୀକ୍ଷା ଦେଇନାହାନ୍ତି ତାହା ଜଣା ପଡ଼ି ନଥିଲେ ମଧ୍ୟ ଶିକ୍ଷାବିତ୍ମାନେ ଡ୍ରପ୍ଆଉଟ୍ ଆଶଙ୍କା ପ୍ରକାଶ କରିଛନ୍ତି।
ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ୫ ଲକ୍ଷ ୪୬ ହଜାର ୮୭୬ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୫ ଲକ୍ଷ ୩୬ ହଜାର ୯୪୬ ପିଲା ପରୀକ୍ଷା ଦେଇଛନ୍ତି। ଆହୁରି ୯,୯୩୦ ଜଣ ତଥା ୧.୮୧% ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଓଡ଼ିଶା ବୋର୍ଡରେ ପ୍ରଥମ ଥର ଏମିତି ହୋଇନାହିଁ। ଗତ ଏକ ଦଶନ୍ଧି ହେଲା ଓଡ଼ିଶାରେ ଦଶମ ଶ୍ରେଣୀ ପରେ ଡ୍ରପ୍-ଆଉଟ୍ ବଢ଼ୁଥିବା ନେଇ ବିଭିନ୍ନ ସଂସ୍ଥା ନିଜ ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷର ୟୁଡାଇଜ୍+ ତଥ୍ୟରେ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ଡ୍ରପ୍ଆଉଟ୍ ୭.୩% ଓ ମାଧ୍ୟମିକ ସ୍ତରରେ ୨୭.୩% ରହିଥିଲା। ହାଇସ୍କୁଲ ଶିକ୍ଷା ପରେ ରାଜ୍ୟର ୨୪% ଛାତ୍ରଛାତ୍ରୀ ପାଠ ଛାଡ଼ୁଥିବା ଉଲ୍ଲେଖ କରାଯାଇଥିଲା।
ଦଶମ ଓ ଦ୍ବାଦଶ ଶ୍ରେଣୀରେ ଡ୍ରପ୍ଆଉଟ୍
ଫର୍ମ ପୂରଣ କରି ପରୀକ୍ଷା ଦେବାକୁ ଆସିଲେନି
ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଶିକ୍ଷାବିତ୍ଙ୍କ ଦାବି
ଯୁକ୍ତ ୨ ଶିକ୍ଷା ଗ୍ରହଣ ପରେ ପିଲାମାନେ ଆଉ ଉଚ୍ଚଶିକ୍ଷା ଆଡ଼କୁ ମୁହାଁଉ ନାହାନ୍ତି। ସେମାନେ ବିଭିନ୍ନ ପ୍ରକାର ସଂକ୍ଷିପ୍ତ ପନ୍ଥା ଆପଣାଇବା ସହ ଚାକିରି ପଛରେ ଧାଉଁଛନ୍ତି ଏବଂ ପାଠପଢ଼ା ପ୍ରଭାବିତ ହେଉଛି। ଏମିତିକି କିଛି ଛାତ୍ରଛାତ୍ରୀ ପାଠପଢ଼ା ସମୟରେ ଚାକିରି ପାଇ ଯାଉଥିବାରୁ ପାଠପଢ଼ା ଅଧାରୁ ବନ୍ଦ କରିଦେଉଛନ୍ତି। ଏବେ ଶେଷ ହୋଇଥିବା ଯୁକ୍ତ ୨ ପରୀକ୍ଷା ଦେବାକୁ ୪ ଲକ୍ଷ ୧ ହଜାର ୬୨୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୬ ହଜାର ୫୯୨ ଜଣ ପରୀକ୍ଷା ଦେଇଛନ୍ତି। ଆହୁରି ୫ ହଜାର ୩୧ ଜଣ ଅନୁପସ୍ଥିତ ରହିଛନ୍ତି। କଳା ବିଭାଗରେ ପଞ୍ଜୀକରଣ କରିଥିବା ୨ ଲକ୍ଷ ୫୬ ହଜାର ୭୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୩,୧୫୭ ଜଣ ପରୀକ୍ଷା ଦେଇ ନାହାନ୍ତି। ବିଜ୍ଞାନରେ ୯୨୪, ବାଣିଜ୍ୟରେ ୫୪୯, ଧନ୍ଦାମୂଳକ ବିଭାଗରେ ୪୦୧ ଜଣ ଅନୁପସ୍ଥିତ ରହିଥିବା ପରିଷଦ ପକ୍ଷରୁ କୁହାଯାଇଛି। ଉପାନ୍ତ ଅଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ମଧ୍ୟ ପରୀକ୍ଷା ଦେବାକୁ ଆସି ନ ଥିବା ଜଣାପଡ଼ିଛି।
ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ କହିବାନୁଯାୟୀ, ଦଶମ ପରେ ପାଠପଢ଼ା ଛାଡ଼ିବାରେ ପାରିବାରିକ ଓ ଆର୍ଥିକ ସମସ୍ୟା ପ୍ରମୁଖ କାରଣ। ପ୍ରତିବର୍ଷ ମାଟ୍ରିକ୍ ପରେ ଏଭଳି ସମସ୍ୟା ସାମନାକୁ ଆସିଥାଏ। ତେବେ ଫର୍ମପୂରଣ ପରେ ମଧ୍ୟ ପରୀକ୍ଷା ନ ଦେବାର କାରଣ ଖୋଜିବାକୁ ପଡ଼ିବ। ପିଲାମାନେ କାହିଁକି ପରୀକ୍ଷା ଦେଲେନି ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରିବା ସହ ରୋକିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯେଉଁମାନେ ପରୀକ୍ଷା ଦେଇନାହାନ୍ତି ସେମାନେ କିଭଳି ପରୀକ୍ଷା ଦେଇପାରିବେ ସେ ନେଇ ବ୍ୟବସ୍ଥା ହେଉ।
ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ପ୍ରତିବର୍ଷ ୧୦ ହଜାରରୁ ଅଧିକ ପିଲା ମାଟ୍ରିକ୍ ପରୀକ୍ଷା ଦେଉନାହାନ୍ତି। ନିୟମିତ ଘଟଣା ହୋଇଥିଲେ ମଧ୍ୟ ନିରାକରଣ ଦିଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ନାହାନ୍ତି। ପ୍ରତି ଜିଲ୍ଲାରୁ ହାରାହାରି ୩୦୦ରୁ ୪୦୦ ପିଲା ପରୀକ୍ଷା ଦେବାରୁ ବାଦ୍ ପଡ଼ିବା ଆଦୌ ଶୁଭ ଲକ୍ଷଣ ନୁହେଁ। ଏହାଦ୍ବାରା ସେମାନେ ପାଠପଢ଼ା ଅଧାରୁ ଛାଡ଼ିବାର ଆଶଙ୍କା ପ୍ରକାଶ ପାଉଛି। ତେଣୁ ତୁରନ୍ତ ସେମାନଙ୍କୁ ଚିହ୍ନଟ ସହ ବିକଳ୍ପ ବ୍ୟବସ୍ଥା ଆପଣାଯାଉ।
ସୌଜନ୍ୟ ସମ୍ବାଦ
