ସୁବ୍ରତ ବାଗ୍ଚୀ
ଅଧିକାଂଶ ଦିନ ଅଫିସ ଯିବାବେଳେ ଠିକ୍ ଏଇ ଛକରେ ମୁଁ ଅଟକା ପଡ଼ିଯାଏ। ଅନ୍ୟମାନଙ୍କ ସାଙ୍ଗରେ ପ୍ରତିଦ୍ବନ୍ଦ୍ବିତା କରି କୌଣସି ମତେ ଛକ ଡେଇଁବା ଆଗରୁ ହିଁ ବାଦ ସାଧିବା ଭଳି ଶାଗୁଆ ବତିଟା ନାଲି ହୋଇଯାଏ। ତରବର ହୋଇ ଆଗେଇ ଯିବାକୁ ଅସ୍ଥିର କାର୍, ଅଟୋ, ସାଇକେଲ, ସ୍କୁଟର, ମଟର ସାଇକେଲମାନେ ବ୍ରେକ୍ ଦିଅନ୍ତି। କରିବାର କିଛି ନାହିଁ। ଏଇ ପରିସ୍ଥିତିରେ ମନକୁ ଶାନ୍ତ ରଖିବା ପାଇଁ ମୁଁ ସାଙ୍ଗରେ ଖବରକାଗଜ ଖଣ୍ଡିଏ ରଖିଥାଏ। ନ ହେଲେ କମ୍ପ୍ୟୁଟର ଖୋଲି କାମ କରେ। ତେବେ ସେଦିନ କଥାଟି ଭିନ୍ନ। ଗାଡ଼ି ବାହାରେ ଆର ପଟୁ ଆସୁଥିବା ଟ୍ରାଫିକର ଅତ୍ୟଧିକ ଆଲୋଡ଼ନ, ଅସହିଷ୍ଣୁ ଭାବରେ ହର୍ନ, ଲୋକଙ୍କର ପାଟିତୁଣ୍ଡ। କ’ଣ ହୋଇଛି? ଗାଡ଼ିର କାଚ ଝରକା ଦେଇ ବାହାରକୁ ଚାହିଁଲି। ଯାହା ଦେଖିଲି, ତାହା ଅତ୍ୟନ୍ତ ହୃଦୟ ବିଦାରକ। ବଡ଼ ହାଟରୁ କିଛି ବସ୍ତା ପରିବା କିଣି ଟ୍ରଲି ରିକ୍ସାଟିଏ କୌଣସି କାରଣରୁ ଭାରସାମ୍ୟ ହରାଇ ମଝି ଛକରେ ଓଲଟି ପଡ଼ିଛି। ରାସ୍ତା ସାରା ବିଛାଡ଼ି ହୋଇଯାଇଛି ବିଭିନ୍ନ ରକମର ପରିବା। ଏତିକି ବେଳକୁ ସିଗ୍ନାଲର ନାଲି ବତିଟି ଶାଗୁଆ ହୋଇଯାଇଛି। ଗାଡ଼ିଚାଳକମାନେ ଅଧୈର୍ଯ୍ୟ ହୋଇ ଆଗକୁ ମାଡ଼ି ଯାଉଛନ୍ତି। ଗାଡ଼ି ଚକ ତଳେ ଚାପି ହୋଇ ପରିବାତକ ଛିନ୍ଛତ୍ର ହୋଇଯାଉଛି। ମଝିରେ ଅସହାୟ ଭାବରେ ଠିଆ ହୋଇଛନ୍ତି ଟ୍ରଲି ରିକ୍ସା ଚାଳକ ଜଣକ। ଜଣେ ଦୁଇ ଜଣ ସହୃଦୟ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ କେତେ ବା ସାହାଯ୍ୟ କରିହେବ? ଗାଡ଼ିମାନଙ୍କର ଚକ ତଳେ ଦଳିଚକଟି ହୋଇ ପ୍ରାୟ ସବୁ ପରିବା ନଷ୍ଟ। ଏଇ ଛକର ସବୁଦିନିଆ ନାଲି/ଶାଗୁଆ ବତିର ଖେଳରେ ବିକ୍ଷୁବ୍ଧ, ଅଧୈର୍ଯ୍ୟ ହୋଇ ଗାଡ଼ିଚାଳକମାନଙ୍କର ସମବେଦନାଶୀଳତା ହଜିଯାଇଛି।
ଠିକ୍ ଏତିକି ବେଳକୁ ମୋ ପଟ ରାସ୍ତା ଖୋଲିଗଲା। ମୋ ଗାଡ଼ିର ଡ୍ରାଇଭର ଯନ୍ତ୍ରଚାଳିତ ଭାବରେ ଗିଅର ବଦଳାଇଲେ। ଶୀଘ୍ର ଆଗେଇ ଯିବା ପାଇଁ ପଛ ପଟୁ ହର୍ନ। ଅଫିସରେ ପହଞ୍ଚିବା ପରେ ମୁଁ ସାରା ଦିନ କେବଳ ସେଇ ଟ୍ରଲି ରିକ୍ସା ଚାଳକଙ୍କ କଥା ଭାବି ହେଲି। ଟ୍ରଲି ରିକ୍ସା ଓଲଟି ପଡ଼ିବାର ଘଟଣା ଗୋଟିଏ, ହେଲେ ସେଇ ଘଟଣା ପଛରେ ଆହୁରି କେତେ କାହାଣୀ ନିଶ୍ଚିତ ଭାବରେ ରହି ଯାଇଥିବ। ହୁଏତ ସହର ଉପାନ୍ତ ନର୍ଦ୍ଦମା କଡ଼ରେ ଥିବା ସରକାରୀ ଜମିରେ ବେଆଇନ ଭାବରେ ମୁଣ୍ଡ ଟେକିଥିବା ବସ୍ତିର ମଣିଷ ଏଇ ଟ୍ରଲି ରିକ୍ସା ଚାଳକ। ହୁଏତ ନିୟମିତ ରୋଜଗାରର ଚାକିରି ନାହିଁ, ପାଖରେ ସଞ୍ଚିତ ଧନ ମଧ୍ୟ ନାହିଁ। ଗୋଟିଏ ଦିନ କାମ କରି ଅର୍ଥ ରୋଜଗାର କଲେ ପର ଦିନର ସାଧନ ତିଆରି ହୁଏ। ଭୋର ହେବାର ଢେର ପୂର୍ବରୁ ରାତି ଅନ୍ଧାର ଥିବା ବେଳେ ଟ୍ରଲି ଆଉ ଖାଲି ବସ୍ତା ନେଇ ସେ ଯାଆନ୍ତି ବଡ଼ ହାଟକୁ। ଥୋକ ବଜାରରୁ ମାଲ କିଣିବାକୁ ହୁଏ। ବସ୍ତାରେ ବନ୍ଧା ହୁଏ ବିଭିନ୍ନ ପନିପରିବା। ଆଳୁ, ପିଆଜ, ଟମାଟୋ, ବାଇଗଣ, ଜହ୍ନି। ବସ୍ତା ଉପରେ ଗୋଛାଏ ସଜନାଛୁଇଁ ଆଉ କିଛି କଞ୍ଚା କଦଳୀ। ଫେରିବା ବେଳେ ମାଲ ବୋଝେଇ ଟ୍ରଲିକୁ ଠେଲିବା ସହଜ ନୁହଁ। ଉଠାଣି ରାସ୍ତାରେ ଯିବା ବେଳେ ଦେହମୁଣ୍ଡ ଝାଳେଇ ଯାଏ। ପୁଣି ଗଡ଼ାଣିଆ ରାସ୍ତାରେ ଟିକିଏ ଉଶ୍ବାସ। ଏହିପରି ପଡ଼ିଉଠି ମଣିଷଟି ଫେରି ଆସନ୍ତି ନିଜ ବସ୍ତିକୁ। ହୁଏତ ସେତେବେଳେ ଆକାଶରେ ଉଷାର କିରଣ। ଘରେ ପହଞ୍ଚିବା ପରେ ସ୍ତ୍ରୀ ଓ ପିଲାମାନେ ବୋଝ ଓହ୍ଲେଇବାରେ ସାହାଯ୍ୟ କରନ୍ତି। ବର୍ତ୍ତମାନ ଘର ଘର ବୁଲି ପରିବା ବିକିବାର ସମୟ। ନୂଆ ବୋହୂ ପାଇଁ ଭାର ସଜାଡ଼ିବା ଭଳି ପରିବା ତକ ଟ୍ରଲି ଉପରେ ସଜେଇ ଦିଆ ହୁଏ। ଏହାରି ଭିତରେ ମଣିଷ ଜଣକ ଧୁଆଧୋଇ ହୋଇ ପାଟିରେ ଟିକିଏ ଚୁଡ଼ାମୁଢ଼ି ପକେଇ ଦେଇ ଟ୍ରଲି ରିକ୍ସା ନେଇ ବାହାରି ଆସନ୍ତି।
ଟ୍ରଲି ଗଡ଼େ। ଗଳି, ଉପଗଳି, ଚିହ୍ନାଅଚିହ୍ନା ଦ୍ବାର, ଚିହ୍ନାଅଚିହ୍ନା ଗରାଖ। ଖରା ମୁଣ୍ଡ ଉପରକୁ ଉଠିବା ବେଳକୁ ପ୍ରାୟ ଅଧିକାଂଶ ପରିବା ବିକ୍ରି ହୋଇଯାଇଥାଏ। ସେ ଘରକୁ ଫେରନ୍ତି। ପଖାଳ ଗଣ୍ଡେ ଖାଇ କିଛି ସମୟ ବିଶ୍ରାମ ନେଇ ଅପରାହ୍ଣରେ ପୁଣି ବାହାରନ୍ତି। ଭିନ୍ନ ଗଳିରେ ବଳକା ପରିବା ବିକ୍ରି କରି ଘରକୁ ଫେରିବା ବେଳକୁ ବୋଧହୁଏ ସନ୍ଧ୍ୟା ହୋଇ ଆସୁଥାଏ। ଘରେ ଟଙ୍କା ପଇସା ହିସାବ ହୁଏ। ଘରଣୀଙ୍କୁ ଘର ଖର୍ଚ୍ଚ ଦେଇ ପରଦିନର ପରିବା କିଣା ପାଇଁ ସେ ବାକି ଟଙ୍କା ରଖନ୍ତି ଗୋଟିଏ ମୁଣିରେ। ପର ଦିନ ଋତୁଚକ୍ର ପରି ପୁଣି ଥରେ ଟ୍ରଲି ରିକ୍ସା, ରାଜରାସ୍ତା, ବଡ଼ ହାଟର ଆବର୍ତ୍ତନ। ଆଜି କିନ୍ତୁ ଏଇ ଧରାବନ୍ଧା କାହାଣୀର ଡୋର ଛିଣ୍ଡିଗଲା। ଆଜି ଏହି ମଣିଷଜଣକ କ’ଣ କରିବେ?
ଆମେ ସବୁ ମଟର ସାଇକେଲ, ସ୍କୁଟର, କାରରେ ଚୌଛକି ପାର ହେଉଥିବା ଅଦମ୍ୟ ଗତିର ଉପାସକ। ପ୍ରତି ମୁହୂର୍ତ୍ତରେ ଅଣନିଃଶ୍ୱାସୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରିଚାଲିଛୁ। ଟ୍ରାଫିକର ଲାଲ ବତିକୁ ପ୍ରତିହତ କରି ଆଗକୁ ଧସେଇ ଯିବାରେ ହିଁ ଆମର ସଫଳତା। ଆମର ଚାକିରି ଅଛି, ସଞ୍ଚୟ ଅଛି, ଇ.ଏମ୍.ଆଇ. ଗଣିବାର କ୍ଷମତା ଅଛି। ଅଥଚ ନିଜ ଭବିଷ୍ୟତ କଥା ଭାବି ଭାବି ଅହର୍ନିଶ ମାନସିକ ଚାପ। ମନରେ ବହୁ ଆଶଙ୍କା, ଅନବରତ ଆଲୋଡ଼ନ। ଭୁବନେଶ୍ବରରୁ ଯଦି ବଦଳି ହୋଇଯାଏ, କେମିତି ସମ୍ଭାଳିବି? ଉପରିସ୍ଥ ହାକିମ ଅସନ୍ତୁଷ୍ଟ ହେଲେ କ’ଣ ହେବ? ମୋର ଅନ୍ୟ ସହକର୍ମୀଙ୍କର ଯଦି ଆଗୁଆ ପଦୋନ୍ନତି ହୁଏ, ବେତନ ବଢ଼ିଯାଏ? କମ୍ପାନିରେ କିଛି ଏପଟସେପଟ ହୋଇ ଯଦି ଚାକିରି ଯିବାର ସମ୍ଭାବନା ଦେଖାଯାଏ, ତେବେ ମୋର କ’ଣ ହେବ? ଏସବୁ ଭିତରେ ରହିଛି ବ୍ୟକ୍ତିଗତ ଆଶାଆକାଂକ୍ଷା, ବସ୍ତୁଜଗତର ମାୟା। ଦୁଇଚକିଆ ଗାଡ଼ି ଥିଲେ ଚାରିଚକିଆ ଦରକାର। ଗୋଟିଏ ଘର ଥିଲେ, ଆଉ ଗୋଟିଏ ପ୍ଲଟ୍ କି ଆପାର୍ଟମେଣ୍ଟ ଦରକାର। ପିଲା ସାଧାରଣ ପ୍ରାଇଭେଟ ସ୍କୁଲରେ ପାଠ ପଢୁଥିଲେ ତାକୁ ଇଣ୍ଟରନ୍ୟାସନାଲ ସ୍କୁଲରେ ଭର୍ତ୍ତି କରିବା ଦରକାର। ଭାବନାର ସୀମା ନାହିଁ। ଭୟର ଅନ୍ତ ନାହିଁ।
ଓଲଟି ପଡ଼ିଥିବା ଟ୍ରଲି ରିକ୍ସା ଚାଳକଙ୍କ ପରି ମଣିଷମାନଙ୍କ ପାଇଁ ଭାବନା ଓ ଭୟ- ଦୁଇଟି ଯାକ ବିଳାସ। ଏଭଳି ବ୍ୟକ୍ତିଙ୍କ ପାଇଁ ଆଜି ପରି ଅଘଟଣ ନିତ୍ୟନୈମିତ୍ତିକ ନହେଲେ ମଧ୍ୟ ଅସାଧାରଣ ନୁହଁ। ପ୍ରତି ବର୍ଷ ଆକସ୍ମିକ ଭାବରେ ଥରେ ଦୁଇ ଥର ଏଇଭଳି କିଛି ଘଟିଯାଏ। ଗୁପ୍ଚୁପ୍ ପସରା ମେଲାଇବା ପାଇଁ ଆସିଥିବା ଲୋକଟିଏକୁ ସ୍ଥାନୀୟ ଗୁଣ୍ଡାମାନେ ଧମକେଇ କହନ୍ତି- ଆଜି ଚକ ଜାମ୍, ରାସ୍ତା ବନ୍ଦ; ଏହି କ୍ଷଣି ଦୋକାନ ଉଠା। ଅଗତ୍ୟା ଉଠିଯିବାକୁ ହୁଏ। ଆର ଦିନକୁ କିଛି ଗୁପ୍ଚୁପ୍ ସେମେଟା ହୋଇଯାଏ। ଆଳୁ ଚକଟା ପର ଦିନକୁ ରହେ ନାହିଁ। ଖଟା ପାଣି ଫୋପଡ଼ା ହୁଏ। ଠିକ୍ ସେମିତି ରାସ୍ତା କଡ଼ରେ ବସିଥିବା ଫଳବାଲାମାନଙ୍କୁ ଅକସ୍ମାତ ବର୍ଷା ଝଡ଼ର ସାମନା କରିବାକୁ ହୁଏ। ହୁଏତ ତା’ ପର ଦୁଇ ତିନି ଦିନ ପାଗ ଖରାପ ରହେ। ଗ୍ରାହକ ଆସନ୍ତି ନାହିଁ। ରଙ୍ଗବେରଙ୍ଗ ପାଚିଲା ଫଳ ପଚିବା ଆରମ୍ଭ ହୁଏ। ଝଡ଼ ଘୁଞ୍ଚିବା ପରେ ଅଧା ଜିନିଷ ଫୋପଡ଼ା ହୁଏ। ଲାଭର ଦୁଇ ପଇସା ତ ହଜିଯାଏ, ମୂଳ ଧନର କିଛିଟା ମଧ୍ୟ ଭାସିଯାଏ।
ଏପରି ପରିସ୍ଥିତିରେ ଯାହାର ସାଧ୍ୟ ନାହିଁ, କେବଳ ସହିବା ଶକ୍ତି ଟିକିଏ ଅଛି, ସେ ମଣିଷ କରେ କ’ଣ? ଆଜିର ଚୌଛକିରେ ଠିଆ ସେଇ ବିବର୍ଣ୍ଣ ମଣିଷଜଣକ ଧୀରେ ଧୀରେ ଟ୍ରଲି ରିକ୍ସାଟିକୁ ଉଠାଇ, ପୁଣି ଠେଲି ଠେଲି ଫେରିଥିବେ ଘରକୁ। ପର ଦିନର ମୂଳ ଧନ ଚାଲିଯାଇଛି। ଏବେ ଭାବି ବିଚଳିତ ହୋଇ କିଛି ସମାଧାନ ହୋଇପାରିବ ନାହିଁ। ଅଗତ୍ୟା, ସେ ସାହି ମହାଜନ ପାଖକୁ ଯିବେ। ତିନି ଗୁଣ ସୁଧରେ ଟଙ୍କା ଧାର ଆଣି ପୁଣି ଭୋର ହେବାର ଆଗରୁ ଉପାନ୍ତ ବସ୍ତିରୁ ଚାଲିବେ ସହରର ବଡ଼ ହାଟକୁ, ଯେଉଁଠି ତାଙ୍କ ପାଇଁ ଜୀବନ ନିଜ ପସରା ମେଲାଇ ବସିଥିବ।
(ମତାମତ ଲେଖକଙ୍କ ନିଜସ୍ବ)
ସୌଜନ୍ୟ ସମ୍ବାଦ