Editorial: ଭାସମାନ ଭାରତ?

ଆବଶ୍ୟକତାର ଗୁରୁତ୍ବ ଆଧାରରେ ସଂପର୍କଗୁଡ଼ିକରେ ଏକ କ୍ରମିକତା ରହିଥିବାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଇସ୍ରାଏଲ ଗସ୍ତ ହୁଏତ ଆବଶ୍ୟକ ହୋଇଥାଏ, କିନ୍ତୁ ଏଥି ଲାଗି ଇରାନ ଭାରତକୁ ଏକ ଶତ୍ରୁ ଭଳି ଏକାବେଳକେ ତ୍ୟାଜ୍ୟ କରିଦିଏ ନାହିଁ।

ଆବଶ୍ୟକତାର ଗୁରୁତ୍ବ ଆଧାରରେ ସଂପର୍କଗୁଡ଼ିକରେ ଏକ କ୍ରମିକତା ରହିଥିବାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଇସ୍ରାଏଲ ଗସ୍ତ ହୁଏତ ଆବଶ୍ୟକ ହୋଇଥାଏ, କିନ୍ତୁ ଏଥି ଲାଗି ଇରାନ ଭାରତକୁ ଏକ ଶତ୍ରୁ ଭଳି ଏକାବେଳକେ ତ୍ୟାଜ୍ୟ କରିଦିଏ ନାହିଁ। ସଂପର୍କରେ ସୂକ୍ଷ୍ମ ଭାରସାମ୍ୟ ରକ୍ଷା କରିବା ଲାଗି ହୁଏତ ଭାରତର ନୀତି ସାଧାରଣ ବୁଦ୍ଧିର ପରିଚାୟକ ‌ହୋଇଥାଏ।

ଡୋନାଲ୍‌ଡ ଟ୍ରଂପଙ୍କ ଭଳି ଜଣେ ମତ୍ତ ପୁରୁଷ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଶାସନ କ୍ଷମତା ଲାଭ କଲା ପରେ ପାଗଳାମି ଓ ଅହମିକାର ବିସ୍ଫୋରକ ସମ୍ମିଶ୍ରଣ ହେତୁ ପୃଥିବୀ ଯେମିତି ଅଶାନ୍ତ ହୋଇଉଠିଛି, ‌ସେଥିରେ ସୁରକ୍ଷିତ କୂଳଟିଏ ଠାବ କରି ଆଶ୍ରୟ ନେବା ଏକ ଦୁଷ୍କର ବ୍ୟାପାର ହୋଇ ଉଠିବା ସ୍ବାଭାବିକ। ସୋଭିଏତ ରୁଷିଆର ବିଘଟନ ଘଟିବା ପରେ, ଏକ-ଧ୍ରୁବୀୟ ପୃଥିବୀର ଧାରଣା ନେଇ ଦେଶଗୁଡ଼ିକ ଯେଉଁ ଅକ୍ଷ ଚାରି ପଟେ ଘୂରି ବୁଲୁଥିଲେ, ସଂପ୍ରତି ସେହି ଅକ୍ଷ ହିଁ ତା’ର ପକ୍ଷ ପରିବର୍ତ୍ତନ କରିଦେଇଛି। ଫଳରେ ଏକ ଅତ୍ୟନ୍ତ ଟଳମଳ ପରିସ୍ଥିତି ଉପୁଜିଛି, ଯେଉଁ ପରିବେଶରେ ଆମ ଦେଶ ଭାରତ ତା’ର ବିଦେଶ ବ୍ୟାପାର ସଂକ୍ରାନ୍ତ ନୀତି, ରଣନୀତି ଓ ରାଜନୀତିରେ କୌଣସି ନିର୍ଦ୍ଦିଷ୍ଟ ମତ ଉପସ୍ଥାପନ ନ କରି ଏବଂ ବାଦ-ବିବାଦର ଘନଘଟା ଭିତରେ ପ୍ରାୟତଃ ନିରବ ରହି ଲକ୍ଷ୍ୟହୀନ ଭାବେ ଭାସି ବୁଲୁଥିବା ଲଙ୍ଗରହୀନ ଜାହାଜ ଭଳି ଦିଶୁଛି ବୋଲି ଅସଂଖ୍ୟ ସମାଲୋଚକ ଏକ ମତ ହେଉଛନ୍ତି। କିନ୍ତୁ, ଏଭଳି ସମାଲୋଚନା ଯଥାର୍ଥ କି? ଏହାର ଉତ୍ତର ଲାଗି ଏ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ‌ହୋଇଥାଏ।

ଭାରତ ଯେଉଁ ଯେଉଁ ପ୍ରସଙ୍ଗରେ ଆମେରିକାକୁ ତୀବ୍ର ଜବାବ ଦେବା ଉଚିତ ହୋଇଥିବା ସତ୍ତ୍ବେ ନିଘଞ୍ଚ ନିରବତା ଅବଲମ୍ବନ କରିଛି, ସେଗୁଡ଼ିକ ହେଲେ ‘ଅପରେସନ ସିନ୍ଦୂର’ ସମୟରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରାଇବାରେ ନିଜର ଭୂମିକା ନେଇ ଟ୍ରଂପଙ୍କ ବାରମ୍ବାର ଦାବି, ହାତ ଓ ଗୋଡ଼ରେ କଡ଼ି ଓ ବେଡ଼ି ପକାଇ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଭାରତ ପ୍ରେରଣ, ରୁଷିଅ‌ାରୁ ଖଣିଜ ତୈଳ ଖର୍ଦ୍ଦି ନ କରିବାକୁ ଟ୍ରଂପଙ୍କ ଧମକ ଓ ଚାପ ପ୍ରୟୋଗ, ଭାରତକୁ ଏକ ମୃତ ଅର୍ଥନୀତି ବୋଲି ଟ୍ରଂପଙ୍କ ତାଚ୍ଛଲ୍ୟ, ଏବର ଯୁଦ୍ଧ ହେତୁ ସୃଷ୍ଟ ବୈଶ୍ବିକ ଶକ୍ତି ସଂକଟ ପରିପ୍ରେକ୍ଷୀରେ ରୁଷୀୟ ତୈଳ କ୍ରୟ କରିବା ଲାଗି ଭାରତକୁ ଅନୁମତି ଦେଇଥିବା ନେଇ ଆମେରିକାର ସ୍ପର୍ଦ୍ଧିତ ଘୋଷଣା, ଚୀନ ଭଳି ଭାରତକୁ ଅଗ୍ରଗତି କରିବାର ପ୍ରଶ୍ରୟ ଦେବାର ଭୁଲ୍‌ ଆମେରିକା ଦୋହରାଇବ ନାହିଁ ବୋଲି ଦିଲ୍ଲୀ ଠାରେ ଆମେରିକାର ଡେପୁଟି ସେକ୍ରେଟାରି ଅଫ ଷ୍ଟେଟ୍ ଖ୍ରୀଷ୍ଟୋଫର ଲାଣ୍ଡୋଙ୍କ ଉକ୍ତି। ସମାଲୋଚକମାନେ ଯଥାର୍ଥରେ କହିଥାଆନ୍ତି ଯେ ଏହି ସବୁ ଦାବି, ମନ୍ତବ୍ୟ ଘୋଷଣା ଓ ଘଟଣାମାନ ଭାରତର ରଣନୈତିକ ସ୍ବାଧୀନତା ଓ ବିବେଚନାଗତ ସାର୍ବଭୌମତ୍ବର ହନନ; ଏଭଳି ସ୍ଥିତିରେ ଭାରତ ଭଳି ପୃଥିବୀର ବୃହତ୍ତମ ଗଣତନ୍ତ୍ର ଏବଂ ଚତୁର୍ଥ ବୃହତ୍ତମ ଅର୍ଥନୀତି ପକ୍ଷରୁ ପ୍ରତିବାଦ ବା ପ୍ରତିକ୍ରିୟା ପ୍ରଦର୍ଶନ ଅତ୍ୟନ୍ତ ସ୍ବାଭାବିକ ହେବା କଥା। ଆମେରିକା ଦ୍ବାରା ଅପମାନିତ ହେବାର ଅଭିଜ୍ଞତା ଏବେ ଅନେକ ରାଷ୍ଟ୍ର ଲାଭ କରୁଥିବା ବେଳେ କେତେକ ଅପେକ୍ଷାକୃତ କ୍ଷୁଦ୍ର ରାଷ୍ଟ୍ର (କଲମ୍ବିଆ) ଏଭଳି ସ୍ଥିତିରେ ସାମାନ୍ୟ ହେଲେ ସୁଦ୍ଧା ପ୍ରତିକ୍ରିୟା ପ୍ରଦର୍ଶନ କରିଛନ୍ତି! ସୁତରାଂ, ଏଭଳି ସ୍ଥିତିରେ ଭାରତର ନିରବତା ତା’ର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି, ଏକ ଧାରଣା ସୃଷ୍ଟି ହୋଇଛି ଯେ ଭାରତର ‌େମରୁଦଣ୍ଡ ଦୁର୍ବଳ! ସେମାନଙ୍କ ମତରେ ଗୋଟିଏ ପଟେ ଇରାନ ଉପରେ ଆକ୍ରମଣର ଅବ୍ୟବହିତ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଯାତ୍ରା ଓ‌ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହିତ ନିବିଡ଼ତା ପ୍ରଦର୍ଶନ, ଇସ୍ରାଏଲୀ ବୋମା ମାଡ଼ରେ ଇରାନର ସୁପ୍ରିମ ଲିଡର ଆୟୋତୋଲ୍ଲା ଖାମିନେଇଙ୍କ ନିଧନରେ ଶୋକ ପ୍ରକାଶ ନ କରି ନିରବତା ଅବଲମ୍ବନ, ଭାରତର ଆମନ୍ତ୍ରଣ କ୍ରମେ ସାମରିକ ଅଭ୍ୟାସରେ ଅଂଶ ଗ୍ରହଣ କରିବା ଲାଗି ଆସିଥିବା ଇରାନୀ ଯୁଦ୍ଧ ଜାହାଜକୁ, ତା’ର ଘର ବାହୁଡ଼ା ପଥରେ, ଆମେରିକାର ଟର୍ପିଡୋ ବୁଡ଼ାଇ ଦେଇଥିବା ସତ୍ତ୍ବେ ଏକ ମୂକ ଦର୍ଶକ ସୁଲଭ ଆଚରଣ ପରିଦୃଷ୍ଟ ହୋଇଥିବା ବେଳେ ଅନ୍ୟ ପଟେ ଆରବ ରାଷ୍ଟ୍ରଗୁଡ଼ିକ ଉପରେ ଇରାନର ଆକ୍ରମଣ ସଂଦର୍ଭରେ ତୁରନ୍ତ ଉଦ୍‌ବେଗ ପ୍ରକାଶ କରାଯିବା, ଅତି ବିଳମ୍ବରେ ଅର୍ଥାତ୍ ଗଲା ୧୨ ତାରିଖରେ କାମ ଚଳାଇବା ଢଙ୍ଗରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ କଥାବାର୍ତ୍ତା କରିବା ଭଳି ବିଷୟ ସୂଚାଇ ଥାଏ ଯେ ଭାରତ ସମ୍ଭବତଃ ଏକ ଦିଗହୀନ ଭାସମାନ ଦେଶରେ ପରିଣତ ହୋଇଛି, ଯାହା ଏକ ଘଡ଼ିସନ୍ଧି ବେଳାରେ କ’ଣ କରଣୀୟ ତାହା ବୁଝି ପାରୁନାହିଁ।
କିନ୍ତୁ, ଏଭଳି ଆଭିମୁଖ୍ୟରେ ଏକ ଭିନ୍ନ ପ୍ରକାରର ରଣନୀତି ଅଛି କି? ଅନେକ ବିଶେଷଜ୍ଞ ତାହା ହିଁ ଦେଖନ୍ତି। ସେମାନେ କହିଥାଆନ୍ତି ଯେ ସ୍ଥାନ, କାଳ ଓ ପାତ୍ର ଅନୁସାରେ ଉଚ୍ଚାଟ ପ୍ରଦର୍ଶନ ପରିବର୍ତ୍ତେ ହୁଏତ ନିରବ ରହିବା ହିଁ ଶ୍ରେୟସ୍କର ହୋଇଥାଏ। ଟ୍ରଂପଙ୍କ ଉପଦ୍ରବରୁ ସୃଷ୍ଟ ଅସାଧାରଣ ପରିସ୍ଥିତିରେ ଭାରତ (ଅନେକ ଦେଶଙ୍କ ଭଳି) ସହସା ତା’ର ଦୁର୍ବଳ ବିନ୍ଦୁଗୁଡ଼ିକ ସଂପର୍କରେ ସଚେତନ ହୋଇଉଠିଛି ଏବଂ ସେହି ଦୁର୍ବଳତା ଯେମିତି ଶୋଷଣର ସୁଯୋଗ ଭାବେ ବ୍ୟବହୃତ ନ ହୁଏ, ସେ ନେଇ ସତର୍କ ରହିଛି। ଏଭଳି ସ୍ଥଳେ ହଠାତ୍‌ ପ୍ରତିକ୍ରିୟା ପ୍ରଦର୍ଶନ କାମ୍ୟ ନୁହେଁ, ବରଂ ତଦ୍ଦ୍ବାରା ବିପରୀତ ଫଳ ମିଳିବାର ସମ୍ଭାବନା ରହିଛି। ଉଦାହରଣ ସ୍ବରୂପ ଆମେରିକାର ଟାରିଫ ଆକ୍ରମଣକୁ ମୁକାବିଲା କରିବାରେ ଚୀନ ସୁଲଭ ଦମ୍ଭ ଭାରତର ନାହିଁ; କାରଣ ପୃଥିବୀର ବୃହତ୍ତମ ନିର୍ମାଣ କେନ୍ଦ୍ର ଓ ‘କ୍ରିଟିକାଲ ମିନେରାଲ’ ଯୋଗାଣରେ ଏକାଧିପତ୍ୟ ବଳରେ ଚୀନ ଆମେରିକା ସହିତ ମୁହାଁମୁହିଁ ଛିଡ଼ା ହେବାକୁ ସମର୍ଥ। ତେଣୁ, ଏଭଳି ସ୍ଥିତିରେ ଭାରତ ସକାଶେ ଯାହା ଆବଶ୍ୟକ, ତାହା ହେଲା ପ୍ରତିକ୍ରିୟା ପ୍ରଦର୍ଶନ ପରିବର୍ତ୍ତେ ସାମର୍ଥ୍ୟ ସୃଷ୍ଟି ଓ ବୃଦ୍ଧି ଦିଗରେ ନିମଜ୍ଜିତ ହେବା। କହିବା ଅନାବଶ୍ୟକ ଯେ ଟ୍ରଂପଙ୍କ ଆଭିମୁଖ୍ୟ ହେତୁ ଆନ୍ତର୍ଜାତିକ ରଣନୀତି କ୍ଷେତ୍ରରେ ବହୁପାକ୍ଷିକ ସଂପର୍କ ବା ‘ମଲଟି ଆଲାଇନ‌େମଣ୍ଟ’ ଏକ ବାସ୍ତବତାରେ ପରିଣତ ହୋଇଛି, ଯାହାର ଅର୍ଥ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀଭୁକ୍ତ ନ ହୋଇ ନିଜ ହିତାର୍ଥେ ବିଭିନ୍ନ ଦେଶ ସହିତ ସୁସଂପର୍କ ସ୍ଥାପନ କରିବା।

ଏହା ସୁବିଦିତ ଯେ ‘ଗୋଷ୍ଠୀ ନିରପେକ୍ଷତା’ ବା ‘ନନ-ଆଲାଇନମେଣ୍ଟ’ର ବୀଜ ମୂଳରୁ ଭାରତର ବୈଦେଶିକ ନୀତିରେ ନିହିତ ଅଛି; ଯାହା ନାମ ଦୃଷ୍ଟିରୁ ‘ମଲଟି ଆଲାଇନମେଣ୍ଟ’ ଠାରୁ ଭିନ୍ନ ହୋଇଥିଲେ ହେଁ ନୀତି ଦୃଷ୍ଟିରୁ ପ୍ରାୟ ସମଧର୍ମା। ତେଣୁ, ଭାରତର ବୈଦେଶିକ ସମ୍ବନ୍ଧଗୁଡ଼ିକର ଏକ ବିଶେଷ ବିଭାବ ହେଲା ଯେ ପରସ୍ପର ପ୍ରତି ଶତ୍ରୁତା ରଖିଥିବା ଦେଶଗୁଡ଼ିକ ସହିତ ଭାରତ ସହଜରେ ସଂପର୍କ ଗଢ଼ିପାରେ ଓ ରଖିପାରେ; ଯେମିତି ରୁଷିଆ ଓ ୟୁକ୍ରେନ ଭିତରୁ କେହି ହେଲେ ଭାରତର ଶତ୍ରୁରେ ପରିଣତ ହୋଇ ନ ଥାନ୍ତି, ଯଦିଓ ଆନ୍ତର୍ଜାତିକ ବାସନ୍ଦ ସତ୍ତ୍ବେ ରୁଷିଆ ଠାରୁ ତୈଳ ଖର୍ଦ୍ଦି କରି ଭାରତ ତା’ର ଅର୍ଥନୀତିକୁ ପୁଷ୍ଟ କରୁଥାଏ। ଅଥବା ଇସ୍ର‌ାଏଲର ମିତ୍ର ହୋଇଥିଲେ ମଧ୍ୟ ଭାରତ ଇରାନର ବିଷ ଦୃଷ୍ଟିର ଶରବ୍ୟ ହୋଇ ନ ଥାଏ; ଯୁଦ୍ଧର ଘନଘଟା ଭିତରେ ନିଜର ଯୁଦ୍ଧ ଜାହାଜକୁ ଭାରତର ‌େକୗଣସି ବନ୍ଦରରେ ଆଶ୍ରୟ ଦେବାକୁ ଇରାନ ଅନୁରୋଧ କରିପାରେ, ଯାହାକୁ ଭାରତ ମଧ୍ୟ ରକ୍ଷା କରିଥାଏ। ଉଲ୍ଲେଖଯୋଗ୍ୟ ଯେ ସୁରକ୍ଷା ଓ ପ୍ରଯୁକ୍ତି ସଂଦର୍ଭରେ ଭାରତ ସକାଶେ ଇସ୍ରାଏଲ ଏକ ମହତ୍ତ୍ବପୂର୍ଣ୍ଣ ଆବଶ୍ୟକତା ହୋଇଥିବା ବେଳେ ଖଣିଜ ତୈଳ ଓ ସେଠାରେ କାର୍ଯ୍ୟରତ ଓ ବସବାସ କରୁଥିବା ପ୍ରାୟ କୋଟିଏ ସରିକି ଭାରତୀୟଙ୍କ ସ୍ବାର୍ଥ ଦୃଷ୍ଟିରୁ ଆରବ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ସଂପର୍କ ଉତ୍ତମ ଏବଂ ଏଣେ ଇରାନର ଚବାହାର ବନ୍ଦରକୁ ଭାରତ ବ୍ୟବହାର କରି ଆସୁଥିବାରୁ ଇରାନ ମଧ୍ୟ ଭାରତୀୟ ହିତର ଅଂଶୀଦାର। ଆବଶ୍ୟକତାର ଗୁରୁତ୍ବ ଆଧାରରେ ସଂପର୍କଗୁଡ଼ିକରେ ଏକ କ୍ରମିକତା ରହିଥିବାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଇସ୍ରାଏଲ ଗସ୍ତ ହୁଏତ ଆବଶ୍ୟକ ହୋଇଥାଏ, କିନ୍ତୁ ଏଥି ଲାଗି ଇରାନ ଭାରତକୁ ଏକ ଶତ୍ରୁ ଭଳି ଏକାବେଳକେ ତ୍ୟାଜ୍ୟ କରିଦିଏ ନାହିଁ। ସଂପର୍କରେ ସୂକ୍ଷ୍ମ ଭାରସାମ୍ୟ ରକ୍ଷା କରିବା ଲାଗି ହୁଏତ ଭାରତର ନୀତି ସାଧାରଣ ବୁଦ୍ଧିର ପରିଚାୟକ ‌ହୋଇଥାଏ।
ସଂପ୍ରତି ହର୍ମୁଜ ପ୍ରଣାଳିକୁ ସଂପୂର୍ଣ୍ଣ ଅବରୁଦ୍ଧ କରି ପୃଥିବୀର ପ୍ରାୟ ସବୁ ରାଷ୍ଟ୍ରଙ୍କ ସକାଶେ ତୀବ୍ର ଶକ୍ତି ସଂକଟ ସୃଷ୍ଟି କରିଥିବା ଇରାନ ଗଲା ୧୩ ତାରିଖରେ ଭାରତ ଅଭିମୁଖୀ ଦୁଇ ବିଶାଳ ଏଲ.ପି.ଜି. ବୋଝେଇ ଟ୍ୟାଙ୍କରକୁ ସେହି ବାଟ ଦେଇ ଯାତ୍ରା କରିବାକୁ ଛାଡ଼ିଦେଇଛି। ଏହା ଦର୍ଶାଇଥାଏ ଯେ ଭାରତର ରଣନୀତି ହୁଏତ ଲକ୍ଷ୍ୟହୀନ ନୁହେଁ, ସୂକ୍ଷ୍ମ ମୂଲଚାଲ କରିବାର ସାମର୍ଥ୍ୟ ଏଥିରେ ରହିଥାଏ।

 

ସୌଜନ୍ୟ ସମ୍ବାଦ

 

 

Exit mobile version