Adhara Pana: ରଥାରୁଢ଼ ଶ୍ରୀଜିଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ, ୩ ରଥରେ ୧୨ ହାଣ୍ଡି ଅର୍ପଣ, ଅଶରୀରଙ୍କ ପାଇଁ ଭାସିଲା ପଣା

ପୁରୀ, ୨୭/୦୭: ଆଷାଢ଼ ଶୁକ୍ଳ ଦ୍ୱାଦଶୀ ରାତ୍ରରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଅର୍ପଣ କରାଯାଇଛି । ତିନି ରଥରେ ଦାରୁବ୍ରହ୍ମଙ୍କ ଅଧର ଉଚ୍ଚା ୯ଟି ମାଟି ହାଣ୍ଡିରେ ପଣା ଭୋଗ ଲାଗିଥିଲା । ଏଥିସହ ରାମକୃଷ୍ଣଙ୍କୁ ୨ ହାଣ୍ଡି ଓ ମଦନମୋହନଙ୍କୁ ୧ ମାଟି ହାଣ୍ଡି (ବଡ଼ ମଠ କୁଡ଼ୁଆ)ରେ ପଣା ଭୋଗ ଅର୍ପଣ ଲାଗିଲା । ପରେ ସମସ୍ତ ହାଣ୍ଡିକୁ ଗଡ଼ାଇ ଭାଙ୍ଗି ଦିଆଯାଇଥିଲା । ରାତି ୯ଟା ୧୫ରୁ ୯ଟା ୪୦ ମଧ୍ୟରେ ତିନି ରଥରେ ଅଧର ହାଣ୍ଡି ଭଙ୍ଗା ନୀତି ସମ୍ପନ୍ନ ହୋଇଥିଲା । ରଥର ପାଶ୍ୱ ର୍ଦେବଦେବୀ, ଚଣ୍ଡୀଚାମୁଣ୍ଡା ତଥା ଅଶରୀରଙ୍କ ପାଇଁ ଅଧର ହାଣ୍ଡିଗୁଡ଼ିକୁ ଭଙ୍ଗା ଯାଏ । ଠାକୁରଙ୍କ ପଣା ଭୋଗ ପାଇଲେ ଏମାନେ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।
କ୍ରମାନୁସାରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥରେ ଅଧର ହାଣ୍ଡି ଭଙ୍ଗା ନୀତି ସମ୍ପନ୍ନ ହୋଇଥିଲା । ରଥ ତଳେ ଠିଆ ହୋଇ ସେବକମାନେ ପଣା ସଂଗ୍ରହ କରିଥିଲେ । ରଥରୁ ଅଧର ପଣା ବୋହିଯାଇ ବଡ଼ଦାଣ୍ଡରେ ଭାସିଥିଲା । ପଣା ଭୋଗରେ ମିଶୁଥିଲା ବର୍ଷା ଜଳ । ପ୍ରଭୁଙ୍କ ପ୍ରସାଦରେ ଟୋପାଏ ପାଇବାକୁ ଶ୍ରଦ୍ଧାଳୁମାନେ ପ୍ରତିଯୋଗିତା କରୁଥିଲେ । ଭକ୍ତମାନେ ବେଶ୍ ଭକ୍ତି ଭାବରେ ବଡ଼ଦାଣ୍ଡରୁ ପଣା ନେଉଥିଲେ । ଯିଏ ଯେଉଁଥିରେ ପାରୁଥିଲେ ପଣା ସଂଗ୍ରହ କରୁଥିଲେ । ଧାର୍ଯ୍ୟ ସମୟ ଠାରୁ ଅଧର ନୀତି କିଛି ସମୟ ବିଳମ୍ବ ହୋଇଥିଲା । ରବିବାର ସକାଳ ୮ଟା ୩୫ରୁ ୮ଟା ୫୦ ମଧ୍ୟରେ ତିନି ରଥରେ ମଙ୍ଗଳ ଆଳତି ଶେଷ ହେଲା । ପରେ ଅନ୍ୟାନ୍ୟ ନୀତି ହୋଇ ଅପରାହ୍ଣ ୪ଟା ୫ ସୁଦ୍ଧା ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲା । ପରେ ଅଧର ପଣା ପ୍ରସ୍ତୁତି ଆରମ୍ଭ ହେଲା ।
ସୌଜନ୍ୟ ପ୍ରମେୟ




