ଅଙ୍କାରା: ତୁର୍କୀରେ ଅନୁଷ୍ଠିତ ଜାତିସଂଘର ୩୧ଶ ଜଳବାୟୁ ସମ୍ମିଳନୀ (ସିଓପି୩୧) ବିନା ଚୁକ୍ତିରେ ଶେଷ ହୋଇଛି। ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଏକ ସାଧାରଣ ପ୍ରସ୍ତାବ ଉପରେ ପ୍ରାୟ ୨୦୦ ଦେଶ ମଧ୍ୟରେ ସହମତି ହୋଇପାରି ନାହିଁ। ସମ୍ମିଳନୀର ଅଧ୍ୟକ୍ଷ ତଥା ତୁର୍କୀର ପରିବେଶ ମନ୍ତ୍ରୀ ମୁରାତ କୁରୁମ୍ ଏହା ସ୍ପଷ୍ଟ କରିଛନ୍ତି। ପ୍ରସ୍ତାବିତ ନିଷ୍ପତ୍ତି ଗୃହୀତ ହୋଇ ନ ଥିବାରୁ ଏହା ଉପରେ ଆଉ ଏକ ନୂଆ ଚିଠା ପ୍ରସ୍ତୁତ ହେବ ନାହିଁ ବୋଲି ସେ କହିଛନ୍ତି।
ସମ୍ମିଳନୀର ଅନ୍ତିମ ପର୍ଯ୍ୟାୟରେ ୟୁରୋପୀୟ ସଂଘ (ଇୟୁ) ପ୍ରସ୍ତାବିତ
ଚୁକ୍ତିକୁ ଗ୍ରହଣ କରିବାକୁ ମନା କରିଥିଲା। ଚୁକ୍ତିରେ ଜୀବାଶ୍ମ ଇନ୍ଧନ ବା କୋଇଲା, ତୈଳ ଓ ଗ୍ୟାସ୍ର ସ୍ପଷ୍ଟ ଉଲ୍ଲେଖ ନ ଥିବାରୁ ଏହାକୁ ବିରୋଧ କରିଥିଲା ଇୟୁ। ତୈଳ
ଉତ୍ପାଦକ ଦେଶଗୁଡ଼ିକ ଆଲୋଚନାକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଇୟୁ ମତରେ, ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ଜୀବାଶ୍ମ ଇନ୍ଧନ ହୋଇଥିବାବେଳେ ଏହାକୁ ଅଣଦେଖା କରି କୌଣସି ଚୁକ୍ତି ଗ୍ରହଣୀୟ ନୁହେଁ।
ତୁର୍କୀ ଓ ଅଷ୍ଟ୍ରେଲିଆର ମିଳିତ ଅଧ୍ୟକ୍ଷତାରେ ପ୍ରସ୍ତୁତ ଚିଠାରେ ୨୦୨୩ରେ ହୋଇଥିବା ଜୀବାଶ୍ମ ଇନ୍ଧନର ବ୍ୟବହାରରୁ ଧୀରେ ଧୀରେ ଦୂରେଇବା ସମ୍ପର୍କିତ ବିଶ୍ୱସ୍ତରୀୟ ରାଜିନାମାକୁ ପରୋକ୍ଷରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ କୋଇଲା, ତୈଳ ଓ ଗ୍ୟାସ୍ର ନାମ ନିଆଯାଇନଥିଲା।
ଆଲୋଚନାର ମୁଖ୍ୟ ସଂଯୋଜକ ତଥା ଅଷ୍ଟ୍ରେଲିଆର ଜଳବାୟୁ ଓ ଶକ୍ତି ମନ୍ତ୍ରୀ କ୍ରିସ୍ ବୋଏନ୍ କହିଛନ୍ତି, ଜୀବାଶ୍ମ ଇନ୍ଧନରୁ ଦୂରେଇବା ଏବଂ ଜଳବାୟୁ ପାଣ୍ଠି ସମ୍ପର୍କିତ ପ୍ରସଙ୍ଗ ହିଁ ଆଲୋଚନାରେ ମୁଖ୍ୟ ବାଧା ସୃଷ୍ଟି କରିଥିଲା।
ବିକାଶଶୀଳ ଦେଶଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ମୁକାବିଲା ପାଇଁ ଦିଆଯିବାକୁ ଥିବା ଅର୍ଥ ସହାୟତାର ପରିମାଣ ଓ ଆଧାରକୁ ନେଇ ମଧ୍ୟ
ମତଭେଦ ରହିଥିଲା। ଶୁକ୍ରବାର ଶେଷ ହେବାକୁ ଥିବା ସମ୍ମିଳନୀ ରବିବାର ପର୍ଯ୍ୟନ୍ତ ଚାଲିଥିଲା। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୪୪ ଘଣ୍ଟା ଅଧିକ ଆଲୋଚନା ହୋଇଥିଲେ ମଧ୍ୟ ମୁଖ୍ୟ ଚୁକ୍ତି ଉପରେ ସହମତି ହୋଇପାରିଲାନି। ତେବେ ଏହାଦ୍ୱାରା ପୂର୍ବରୁ ହୋଇଥିବା ଜଳବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ପ୍ରତିଶ୍ରୁତି ଓ ରାଜିନାମା ବାତିଲ ହୋଇନାହିଁ।