ରାଜ୍ୟ

Agricultural tradition: ହଜୁଛି ୩ହଜାର ବର୍ଷ ତଳର ଚାଷ ପରମ୍ପରା: ବିଲୁପ୍ତ ହେଉଛି ‘ପାଏନ୍‌ ସିଙ୍ଗଡ଼ା’

ବିଲୁପ୍ତ ହେବାକୁ ଯାଉଛି ଵାଟର୍‌ ଚେଷ୍ଟନଟ୍‌ (ପାଣି ସିଙ୍ଗଡ଼ା) ବା ସ୍ଥାନୀୟ ଭାଷାରେ ‘ପାଏନ୍‌ ସିଙ୍ଗଡ଼ା’। ଗୋଟିଏ ଦଶନ୍ଧି ତଳେ ପଶ୍ଚିମ ଓଡ଼ିଶାରେ ପ୍ରଚୁର ମାତ୍ରାରେ ପାଏନ୍‌ ସିଙ୍ଗଡ଼ା ଚାଷ ହେଉଥିଲା।

ବଲାଙ୍ଗୀର (ଅଞ୍ଜନ କୁମାର ପ୍ରଧାନ): ବିଲୁପ୍ତ ହେବାକୁ ଯାଉଛି ଵାଟର୍‌ ଚେଷ୍ଟନଟ୍‌ (ପାଣି ସିଙ୍ଗଡ଼ା) ବା ସ୍ଥାନୀୟ ଭାଷାରେ ‘ପାଏନ୍‌ ସିଙ୍ଗଡ଼ା’। ଗୋଟିଏ ଦଶନ୍ଧି ତଳେ ପଶ୍ଚିମ ଓଡ଼ିଶାରେ ପ୍ରଚୁର ମାତ୍ରାରେ ପାଏନ୍‌ ସିଙ୍ଗଡ଼ା ଚାଷ ହେଉଥିଲା। ଚାଷୀମାନେ ଭଲ ଦି’ ପଇସା ରୋଜଗାର କରୁଥିଲେ। ପାଏନ୍‌ ସିଙ୍ଗଡ଼ା ଗଦାଗଦା ହୋଇ ବଜାରରେ ଦେଖିବାକୁ ମିଳୁଥିଲା। ଏତେ ମାତ୍ରାରେ ଉପଲବ୍ଧ ହେଉଥିଲା ଯେ ବେପାରୀମାନେ ବିନା ଓଜନରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ। ଲୋକେ ଏହାକୁ ଜଳଖିଆରେ ଖାଇବାକୁ ପସନ୍ଦ କରୁଥିଲେ। ହେଲେ ପାଏନ୍‌ ସିଙ୍ଗଡ଼ା କ୍ରମଶଃ ଲୋକଲୋଚନରୁ ଦୂରେଇ ଯାଉଛି। କାଁଭାଁ କୌଣସି ହାଟରେ ଏହାକୁ ଦେଖିବାକୁ ମିଳୁଛି। ତାହା ପୁଣି ଚଢ଼ା ଦରରେ ବିକ୍ରି ହେଉଛି। ସହରାଞ୍ଚଳ ବଜାରରେ କିଲୋ ୧୫୦ରୁ ୨୦୦ ଟଙ୍କାରେ ଏହା ବିକ୍ରି ହେଉଛି।

ବିଷକୁଣ୍ଡ ପାଲଟିଛି ଜଳାଶୟ

ଫଳରେ ଗ୍ରାହକମାନେ ପାଏନ୍‌ ସିଙ୍ଗଡ଼ାରେ ଆଉ ହାତ ମାରିପାରୁ ନାହାନ୍ତି। ଏହି କିସମର ଚାଷ ମଧ୍ୟ ପ୍ରାୟତଃ ଠପ୍‌ ହୋଇସାରିଛି। ଅନ୍ୟପକ୍ଷରେ ଜଳାଶୟଗୁଡ଼ିକ ବିଷାକ୍ତ ହୋଇ ଯାଉଥିବାରୁ ପାଏନ୍‌ ସିଙ୍ଗଡ଼ା ଚାଷ ପାଇଁ ସ୍ଥିତି ଅନୁକୂଳ ରହୁନାହିଁ। ବିଭିନ୍ନ ରାସାୟନିକ ଦ୍ରବ୍ୟ, ବାୟୋ ବର୍ଜ୍ୟବସ୍ତୁ ଓ ପ୍ରଦୂଷିତ ପାଣି ସିଧା ଯାଇ ପୋଖରୀଗୁଡ଼ିକରେ ମିଶୁଛି। ତେଣୁ ପ୍ରଦୂଷିତ ଜଳରେ ପାଏନ୍‌ ସିଙ୍ଗଡ଼ା ଚାଷ ହୋଇ ପାରୁନାହିଁ। ଚାଷ କଲେ ବି ଭଲ ଉତ୍ପାଦନ ହେଉନାହିଁ। ପାଣିରେ ଥିବା ଅତ୍ୟଧିକ ରାସାୟନିକ ଦ୍ରବ୍ୟ ଯୋଗୁଁ ଏହା ଠିକ୍‌ ଭାବେ ବିକଶିତ ହୋଇପାରୁ ନାହିଁ। ପାଣି ଭିତରେ ଏହା ପଚି ନଷ୍ଟ ହୋଇଯାଉଛି। ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ହେକ୍ଟରରେ ୧୨ଟନ୍‌ ପର୍ଯ୍ୟନ୍ତ ଏହାର ଉତ୍ପାଦନ ହେଉଥିବା କୃଷି ବିଭାଗର ରେକର୍ଡ କହୁଛି।

ଏବେ ପରୀକ୍ଷାମୂଳକ ଭାବେ ଚାଷ କଲେ ବି ଗୋଟିଏ ହେକ୍ଟରରେ ହାରାହାରି ୧/୨ ଟନ୍‌ ଉତ୍ପାଦନ ହେଉଥିବା ଚାଷୀ ବୃଷଭ ସାହୁ କହିଛନ୍ତି। ୩ ହଜାର ବର୍ଷ ତଳେ ଭାରତରେ ଏହାର ଚାଷ ଆରମ୍ଭ ହୋଇଥିବା ରେକର୍ଡ କହୁଛି। ଆୟୁର୍ବେଦରେ ଏହାକୁ ଉପକାରୀ ଔଷଧ ଭାବେ ବିବେଚନା କରାଯାଇଛି। ବିଭିନ୍ନ ରୋଗର ଉପଚାର ପାଏନ୍‌ ସିଙ୍ଗଡ଼ା ଦ୍ୱାରା ସମ୍ଭବ ବୋଲି ଡାକ୍ତରମାନେ କୁହନ୍ତି। ତେବେ ଉତ୍ପାଦନ କମିଯିବା ଯୋଗୁଁ ପାଏନ୍‌ ସିଙ୍ଗଡ଼ା ଏବେ ବିଲୁପ୍ତ ହେବାକୁ ଯାଉଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ପାଏନ୍‌ ସିଙ୍ଗଡ଼ା ଚାଷ ହେଉଥିଲା। ଇତିମଧ୍ୟରେ କିଛି  କିଛି ଜଳାଶୟର ପୁନରୁଦ୍ଧାର ସରିଛି, କିଛି କାମ ଆରମ୍ଭ ହୋଇଛି। ହେଲେ ପୁନରୁଦ୍ଧାର ପରେ ବି ପାଏନ୍‌ ସିଙ୍ଗଡ଼ା ଚାଷ ଆଉ ସମ୍ଭବ ନୁହେଁ ବୋଲି ଚାଷୀମାନେ କହୁଛନ୍ତି। ପ୍ରଦୂଷିତ ଜଳ ଯୋଗୁଁ  ପାଏନ୍‌ ସିଙ୍ଗଡ଼ା ଓ ଅନ୍ୟ ପ୍ରାକୃତିକ ଗୁଳ୍ମ ତିଷ୍ଠିବା ମୁସ୍କିଲ ବୋଲି ପରିବେଶବିତ୍‌ କୁହନ୍ତି। ଏହାବାଦ ସରକାରୀ ସ୍ତରରେ କିଛି ପ୍ରୋତ୍ସାହନ ବ୍ୟବସ୍ଥା ନ ଥିବାରୁ ଚାଷ ପାଇଁ ପଛଘୁଞ୍ଚା ଦେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button