Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା
ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ। କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଘର ପାଖରୁ ଦୟନୀୟ ଭାବେ ପଣ୍ୟବାହୀ ଯାନରେ ବୁହା ହେଉଛନ୍ତି। ଯାଜପୁର ସୀମାନ୍ତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ନଗଡ଼ା ଠାରୁ ଆରମ୍ଭ କରି କୁହିକା ପର୍ଯ୍ୟନ୍ତ...

କାଳିଆପାଣି (ରବି ନାରାୟଣ କର): ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ। କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଘର ପାଖରୁ ଦୟନୀୟ ଭାବେ ପଣ୍ୟବାହୀ ଯାନରେ ବୁହା ହେଉଛନ୍ତି। ଯାଜପୁର ସୀମାନ୍ତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ନଗଡ଼ା ଠାରୁ ଆରମ୍ଭ କରି କୁହିକା ପର୍ଯ୍ୟନ୍ତ ଖଣି ପ୍ରଭାବିତ ୭ ପଞ୍ଚାୟତର ୩୦ରୁ ଅଧିକ ଗାଁ ଓ ବସ୍ତିରୁ ଦଳଦଳ ହୋଇ ଲୋକେ ପିକଅପ୍ ଭ୍ୟାନ ଓ ଡାଲା ଅଟୋରେ ବୁହା ହେଉଥିବା ଦେଖାଯାଉଛି। ସେମାନଙ୍କୁ ବିପଜ୍ଜନକ ଭାବେ ବିନା ବୀମାରେ ୨୦ ରୁ ୫୦ କିଲୋମିଟର ଯାତ୍ରା କରିବାକୁ ପଡ଼ଛି।
ବର୍ଷାମାଡ଼ ଓ ପାଣି କାଦୁଅ ପଚରପଚର ପରିସ୍ଥିତିରେ ଦୈନିକ ୮ ରୁ ୧୦ ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି। ସେହି ହାରରେ ସେମାନଙ୍କୁ ମଜୁରି ମିଳୁନଥିବା ସାଧାରଣରେ ଅଭିଯୋଗ ହୁଏ। ଏବେ ଜମି କାଦୁଅ କରାଯିବା, ତଳି ଉପାଡ଼ିବା ଓ ରୋଇବା ଭଳି କାର୍ଯ୍ୟ ପାଇଁ ଲୋଡ଼ା ପଡ଼ୁଥିବା ଶ୍ରମିକଙ୍କୁ ଥରେ ମାତ୍ର ଖାଇବାକୁ ଦେଇ ଦୈନିକ ୨ ଶହରୁ ଅଢ଼େଇ ଶହ ଟଙ୍କା ପ୍ରାପ୍ୟରେ ଖଟାଇବାକୁ ବାଧ୍ୟ କରାଯାଉଛି। ଶୋଷଣର ଶିକାର ହୋଇଆସୁଥିଲେ ହେଁ ଗରିବ ଖଟିଖିଆ ମଣିଷମାନେ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି।
ସୁକିନ୍ଦା ବ୍ଲକର ବଣପାହାଡ଼ ଘେରା ଆଦିବାସୀ ବହୁଳ ଉପାନ୍ତ ଇଲାକାରେ ବେକାରୀ ସମସ୍ୟା ଉତ୍କଟ। ୯୦ ପ୍ରତିଶତ ଗାଁରେ ୯୫ ପ୍ରତିଶତ ପରିବାର ରାସନ କାର୍ଡ ତାଲିକାଭୁକ୍ତ। ଗାଁ ପାଖରେ ମାଳମାଳ କ୍ରୋମାଇଟ୍ ଖଣି ଥିଲେ ବି ୯୦ ପ୍ରତିଶତ ପରିବାର ଅଭାବଗ୍ରସ୍ତ। ୬୦ ପ୍ରତିଶତ ପରିବାର ଭାତଲୁଣରେ ବଞ୍ଚିଥାନ୍ତି। ସପ୍ତାହରେ ଦିନେ ୨ ଦିନ ଭୋଜନରେ ପିଆଜ, ଆଳୁ ଓ ଡାଲି ଖାଇଲେ ବଡ଼କଥା। ସେମାନଙ୍କ ଖାଦ୍ୟ ଥାଳିରେ ବିବିଧତା ନଥାଏ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଓ ଜାମାଯୋଡ଼ ପାଇଁ ରୋଜଗାର ସୁଯୋଗକୁ ଅଭାବୀମାନେ ଚାହି ରହିଥାନ୍ତି।
ସେହିପରି ଡିଜିଟାଲ୍ ଯୁଗରେ ସଭିଏଁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଆଗ୍ରହୀ। ଅନ୍ୟପକ୍ଷରେ ସୁକିନ୍ଦା, ଏହା ପାର୍ଶ୍ବବର୍ତ୍ତୀ ଧର୍ମଶାଳା ଓ କୋରେଇ ବ୍ଲକ ଏବଂ ସୀମାନ୍ତ ଢେଙ୍କାନାଳଜିଲ୍ଲା ଭୁବନ, କାମାକ୍ଷାନଗର ଓ କଙ୍କଡ଼ାହାଡ଼ ବ୍ଲକର ଅଧିକାଂଶ ଜମି ମାଲିକ ସ୍ବଚ୍ଛଳ ବର୍ଗର। ମଜୁରି ଓ ଆନୁଷଙ୍ଗିକ ଖର୍ଚ୍ଚ ତୁଳନାରେ ଅଧିକ ଲାଭ ମିଳୁଥିବାରୁ ସେଠାରେ ଉପାନ୍ତ ଇଲାକାର ନିରୀହ ଓ ସରଳ ପ୍ରକୃତିର ଶ୍ରମିକମାନଙ୍କର ଢେର ଚାହିଦା ରହିଛି। ଏହି ମଉକାରେ କିଛି ଶ୍ରମିକ ଦଲାଲ୍ ଓ ଜମିମାଲିକ ମାଲାମାଲ୍ ହେଉଛନ୍ତି।
ସୌଜନ୍ୟ ସମ୍ବାଦ




