ଜୀବନଚର୍ଯ୍ୟା

Air pollution concerns: ପୁଣି ବଢ଼ିଲା ବାୟୁ ପ୍ରଦୂଷଣ ଚିନ୍ତା: ସପ୍ତାହେ କଟକଣା ପରେ ସମସ୍ତେ ଭୁଲିଗଲେ, ପଟିଆ ଅଞ୍ଚଳ ବାୟୁରେ ‘ଓଜୋନ୍‌’ ଗ୍ୟାସ୍‌

ନୂଆଦିଲ୍ଲୀ ଭଳି ଭୁବନେଶ୍ବରର ବାୟୁ ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିବା ପରେ ପ୍ରଶାସନ ନିଦ ଭାଙ୍ଗିଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଘନ ଘନ ବୈଠକ କରି ବାୟୁ ପ୍ରଦୂଷଣ ରୋକିବାକୁ ଅଣ୍ଟା ଭିଡ଼ିଥିଲେ।

ଭୁବନେଶ୍ବର: ନୂଆଦିଲ୍ଲୀ ଭଳି ଭୁବନେଶ୍ବରର ବାୟୁ ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିବା ପରେ ପ୍ରଶାସନ ନିଦ ଭାଙ୍ଗିଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଘନ ଘନ ବୈଠକ କରି ବାୟୁ ପ୍ରଦୂଷଣ ରୋକିବାକୁ ଅଣ୍ଟା ଭିଡ଼ିଥିଲେ। ୭ ଦିନିଆ କଟକଣା ଜାରି ହୋଇଥିଲା। ଜାନୁଆରି ୬ ତାରିଖରେ ୭ ଦିନ ପାଇଁ ଅର୍ଥାତ୍‌ ଚଳିତମାସ ୧୨ ତାରିଖ ଯାଏ ବିଭିନ୍ନ କଟକଣା ଲଗାଯାଇଥିଲା। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସହରରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ସହ ସହର ଭିତରେ କୌଣସି ପ୍ରକାର ଭଙ୍ଗା କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରିଣାମ ସ୍ବରୂପ ବାୟୁ ପ୍ରଦୂଷଣର ମାନ କ୍ରମାଗତ ଭାବେ ହ୍ରାସ ପାଇଥିଲା। ଚଳିତ ମାସର ପ୍ରଥମ ଦୁଇ ଦିନ ଅତ୍ୟନ୍ତ ଖରାପ ସ୍ତରରେ ଥିବା ସହରର ବାୟୁର ମାନ କ୍ରମାଗତ ଭାବେ ତଳକୁ ଖସିବା ସହ ମଧ୍ୟମଧରଣ ପ୍ରଦୂଷିତ ସ୍ତରରେ ପହଞ୍ଚିଥିଲା। ଜାନୁଆରି ୧୦ରେ ସହରର ହାରାହାରି ଏକ୍ୟୁଆଇ ୧୩୦କୁ ଖସି ଆସିଥିଲା।

ଦିନର କିଛି ସମୟ ବାୟୁର ମାନ ଭଲ ସ୍ତରରେ ରହିଥିଲା। ଏପରିକି ୧୨ ତାରିଖରେ ଏକ୍ୟୁଆଇ ୧୮୮ ରହିଥିଲା। ଏହାପରେ ଆଉ କଟକଣା ବଢ଼ିଲା ନାହିଁ କି ତଦାରଖ କରାଗଲା ନାହିଁ। ବିଏମ୍‌ସିର ଅଧିକାରୀମାନେ ବାୟୁ ପ୍ରଦୂଷଣ କଥାକୁ ସମ୍ପୂର୍ଣ୍ଣ ଭୁଲିଯାଇ ସହରର ପରିବେଶକୁ ପୁଣିଥରେ ଖରାପ ସ୍ତରକୁ ଠେଲିଦେଇଛନ୍ତି। ୧୩ ତାରିଖଠାରୁ ହିଁ ବାୟୁ ପ୍ରଦୂଷଣ ପୁଣିଥରେ ଉପରମୁହାଁ ହୋଇଛି। ଗତ ୧୦ ଦିନ ମଧ୍ୟରୁ କେବଳ ୨୦ ତାରିଖ ବ୍ୟତୀତ(ଏକ୍ୟୁଆଇ ୧୪୩) ଅନ୍ୟ ସମସ୍ତ ଦିନରେ ବାୟୁର ମାନ ଖରାପ ସ୍ତର ଦେଇ ଗତି କରୁଛି। ଆଜି ଦିନରେ ବାୟୁ ଖରାପ ସ୍ତର ଦେଇ ଗତି କରିବା ସହ ଏକ୍ୟୁଆଇ ୨୭୪ ରହିଛି। ଗତ ୨୪ ଘଣ୍ଟା ହେଲା ପଟିଆ ଅଞ୍ଚଳରେ ହାରାହାରି ବାୟୁ ପ୍ରଦୂଷଣ ମାତ୍ରା ଖରାପ ସ୍ତରରେ ରହିଛି। ଏଠାରେ ଏକ୍ୟୁଆଇ ୩୦୩ ଥିବା ବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ହାରାହାରି ଏକ୍ୟୁଆଇ ୨୫୨ରେ ପହଞ୍ଚିଛି। ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଗତକାଲି ସନ୍ଧ୍ୟା ୭ଟାଠାରୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ଖରାପ ଓ ମଧ୍ୟମଧରଣ ପ୍ରଦୂଷିତ ରହିଥିଲା। ପରବର୍ତ୍ତୀ ସମୟରେ ସାମାନ୍ୟ ସୁଧାର ଆସିଛି। ପଟିଆ ଅଞ୍ଚଳରେ ବାୟୁ ପ୍ରଦୂଷଣର ‘ଓଜୋନ୍‌’(ଓ୩) ଗ୍ୟାସ୍‌ର ମାନ ୩୦୩ରେ ପହଞ୍ଚିଛି। ଅପରାହ୍ଣ ୩ଟାରୁ ୫ଟା ମଧ୍ୟରେ ଯଥାକ୍ରମେ ୩୦୨, ୩୧୦ ଓ ୩୦୩ ରହିଥିଲା।

ସପ୍ତାହେ କଟକଣା ପରେ ସମସ୍ତେ ଭୁଲିଗଲେ
୧୩ ତାରିଖଠାରୁ ଖରାପ ସ୍ତରରେ ରହୁଛି 
ପଟିଆ ଅଞ୍ଚଳ ବାୟୁରେ ‘ଓଜୋନ୍‌’ ଗ୍ୟାସ୍‌

ଗତ ୧୦ ଦିନ ହେଲା ବାୟୁର ଗୁଣବତ୍ତା ଖରାପ ହୋଇଥିଲେ ମଧ୍ୟ ରୋକିବାକୁ ସେଦିଗରେ କେହି ଆନ୍ତରିକତା ଦେଖାଉ ନାହାନ୍ତି। ନିର୍ମାଣ କଟକଣା ବିଏମ୍‌ସି ପାସୋରି ଦେଇଥିବା ବେଳେ ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୈନିକ ୩ଥର ରାସ୍ତାରେ ପାଣି ସିଞ୍ଚନ କରୁନାହାନ୍ତି। ବିନା ଘୋଡ଼ଣିରେ କୌଣସି ମାଲ ବୋଝେଇ ଟ୍ରକ୍‌ ସହର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ ବୋଲି କୁହାଯାଇଥିଲେ ମଧ୍ୟ ତାହା ପାଳନ ହେଉ ନାହିଁ। ପୁଲିସ, ସ୍ଥାନୀୟ ପ୍ରଶାସନ, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଆର୍‌ଟିଓ କର୍ତ୍ତୃପକ୍ଷ ମଧ୍ୟ ସବୁ ଜାଣି ଚୁପ୍‌ ବସିପଡ଼ିଛନ୍ତି। ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି କରିଥିଲେ ମଧ୍ୟ ତାହାକୁ ପାଳନ କିମ୍ବା କାର୍ଯ୍ୟକାରୀ କରିବା ଦିଗରେ ଅଧିକାରୀମାନେ ଆନ୍ତରିକତା ଦେଖାଉ ନାହାନ୍ତି। ବାୟୁ ପ୍ରଦୂଷଣ କରୁଥିବା କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button