uncategories

Liver: ଲିଭର୍‌ ଓ ଫାଇବ୍ରୋସ୍କାନ୍‌

ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କୁହାଯାଉଥିବା ଫାଇବ୍ରୋସ୍କାନ୍‌ ସମ୍ପର୍କରେ ଅନେକ ଜାଣି ନଥାନ୍ତି। ଲିଭର୍‌ର ସ୍ଥିତି, ଏହାର ନିରାପତ୍ତା, ଏହାର କୌଣସି କ୍ଷତି ହୋଇଛି କି ନାହିଁ, ଏସବୁ...

ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କୁହାଯାଉଥିବା ଫାଇବ୍ରୋସ୍କାନ୍‌ ସମ୍ପର୍କରେ ଅନେକ ଜାଣି ନଥାନ୍ତି। ଲିଭର୍‌ର ସ୍ଥିତି, ଏହାର ନିରାପତ୍ତା, ଏହାର କୌଣସି କ୍ଷତି ହୋଇଛି କି ନାହିଁ, ଏସବୁ ଜାଣିବା ପାଇଁ ଫାଇବ୍ରୋସ୍କାନ୍‌ ପରୀକ୍ଷା କରାଯାଇଥାଏ। ଆଜିକାଲି ଅନେକ ଲୋକ ଏହାକୁ ଅଣଦେଖା କରିବାରୁ ପ୍ରାଥମିକ ଭାବେ ଲିଭର୍‌ ଖରାପ ହେଉଛି। ପରବର୍ତ୍ତୀ ସମୟରେ ଲିଭର୍‌ ସିରୋସିସ୍‌ ଏବଂ ସ୍ଥଳବିଶେଷରେ ଲିଭର୍‌ ନଷ୍ଟ ମଧ୍ୟ ହୋଇଯାଉଛି। ସେତେବେଳକୁ ଜଣକ ପାଖରେ ଆଉ କୌଣସି ସାଧନ ମଧ୍ୟ ନଥାଏ। ଲିଭର୍‌ ବା ଯକୃତ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର୍‌ ଆମ ଶରୀରରେ ନଷ୍ଟ ହେଉଥିବା ଲୋହିତ ରକ୍ତକଣିକାରୁ ହିମୋଗ୍ଲୋବିନ୍‌ ବାହାର କରି ତାକୁ ଭାଙ୍ଗି ପୁଣି ନୂଆ ହିମୋଗ୍ଲୋବିନ୍‌ ପାଇଁ ଉପାଦାନ ସୃଷ୍ଟି କରିଥାଏ। ରକ୍ତ ଜମାଟ ବାନ୍ଧିବା ପାଇଁ ପ୍ରୋଥ୍ରୋମ୍ବିନ୍‌ ଓ ଫିବ୍ରିନୋଜେନ୍ ଭଳି ଯେଉଁସବୁ ଉପାଦାନର ଆବଶ୍ୟକତା ରହିଛି, ତାହା ଯକୃତରେ ହିଁ ତିଆରି ହୁଏ। ପିତ୍ତ କ୍ଷରଣ ହେଉଛି ଯକୃତର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଖାଦ୍ୟ ପାକସ୍ଥଳୀରୁ ଗ୍ରହଣୀ ମଧ୍ୟକୁ ପ୍ରବେଶ କରିବା ସମୟରେ ପିତ୍ତନଳୀ ଭିତରୁ ପିତ୍ତ ଆସି ଖାଦ୍ୟ ସହ ମିଶି ପାଚନ କ୍ରିୟାରେ ସାହାଯ୍ୟ କରେ। ରକ୍ତରେ ଗ୍ଲୁକୋଜ୍‌ର ପରିମାଣ ଅଧିକ ହେଲେ ଯକୃତଏହାକୁ ଗ୍ଲାଇକୋଜେନ୍‌ରେ ପରିଣତ କରି ନିଜ ଭିତରେ ସଞ୍ଚୟ କରି ରଖେ। ଉପବାସ ସମୟରେ ରକ୍ତରୁ ଗ୍ଲୁକୋଜ୍‌ ପରିମାଣ କମିଗଲେ ଯକୃତ ଗ୍ଲାଇକୋଜେନ୍‌କୁ ଗ୍ଲୁକୋଜ୍‌ରେ ପରିଣତ କରି ଶର୍କରାର ଭାରସାମ୍ୟ ରକ୍ଷା କରେ। ଯକୃତ ବା କଲିଜାରେ ତନ୍ତୁ ଜମିଗଲେ ବା ପ୍ରଦାହ ବା କ୍ଷତ ହୋଇ ସଂଯୋଜକ ତନ୍ତୁରେ ମୋଟାଦାଗ ଜମିଗଲେ, ଏହା ଯକୃତର କାର୍ଯ୍ୟକ୍ଷମତାକୁ କମାଇଦିଏ।

ଅତ୍ୟଧିକ ମଦ୍ୟପାନ, ଚର୍ବିଜାତୀୟ ଖାଦ୍ୟ, ହେପାଟାଇଟିସ୍ ‘ବି’, ‘ସି’ ଓ ‘ଡି’ ସଂକ୍ରମଣ, ମଧୁମେହ, ପିତ୍ତକୋଷ ରୋଗ କିମ୍ବା ଅତ୍ୟଧିକ ଲୌହକଣା ଜମିଗଲେ ଲିଭର୍‌ରେ ସୂତ୍ରତନ୍ତୁମୟତା ସୃଷ୍ଟି ହୁଏ ଓ ଯକୃତ ସଂକୁଚିତ ହୋଇ ଉପରି ଭାଗରେ ଛୋଟ ଛୋଟ ଫୁଲା ବା ଗ୍ରନ୍ଥିକା ସୃଷ୍ଟି ହୋଇ ସିରୋସିସ୍ ରୋଗରେ ରୂପାନ୍ତରିତ ହୁଏ। ଏହି ସୂତ୍ରତନ୍ତୁମୟତାକୁ ମାପିବା ପାଇଁ ଲିଭର୍‌ରୁ ଜୀବନ୍ତ ତନ୍ତୁ ନେଇ ପରୀକ୍ଷା କରାଯାଏ। ଏକ ଛୁଞ୍ଚି ସାହାଯ୍ୟରେ ଯକୃତରୁ ଏକ ଛୋଟ ଅଂଶ କାଟିନେଇ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରାଯାଏ। କିନ୍ତୁ ଏହା ଏକ କଷ୍ଟକର ପରୀକ୍ଷା ଓ ବେଳେବେଳେ ଆଭ୍ୟନ୍ତରୀଣ ରକ୍ତକ୍ଷରଣ ମାଧ୍ୟମରେ ରୋଗୀ ଅଧିକ କଷ୍ଟ ପାଆନ୍ତି। ତେଣୁ ଏହାକୁ ଫାଇବ୍ରୋସ୍କାନ୍‌ ଦ୍ବାରା ପରୀକ୍ଷା କରାଯାଇଥାଏ। ଏହା ଏକ ଅତ୍ୟଧିକ ସୂକ୍ଷ୍ମମାନର ଯନ୍ତ୍ର। ଅଲ୍‌ଟ୍ରାସାଉଣ୍ଡ୍‌ର ଶଳାକା (ପ୍ରୋବ୍‌) ପରି ଏହାର ମଧ୍ୟ ଏକ ଶଳାକା ଥାଏ, ଯାହାକି ଡାହାଣ ଛାତିର ନିମ୍ନଭାଗରେ ରଖି ବୋତାମ ଚିପିଲେ କଲିଜାର କଠିନତା ମାପିହୁଏ। ଦଶ ମିନିଟ ଭିତରେ ଏହି ପରୀକ୍ଷା ଶେଷ ହୁଏ। ଏଥିରେ କୌଣସି କଷ୍ଟ ହୁଏନାହିଁ ବା ରକ୍ତ ବାହାରେ ନାହିଁ।

ଏହି ପରୀକ୍ଷା ପୂର୍ବରୁ ଖାଲି ପେଟ ରହିବା ଜରୁରି। ଅତ୍ୟଧିକ ମୋଟା ବ୍ୟକ୍ତି, ଯେଉଁମାନଙ୍କ ପେଟରେ ପାଣି ଜମିଯାଇଛି, ବୟସ୍କ ବ୍ୟକ୍ତିମାନଙ୍କର ଫାଇବ୍ରୋସ୍କାନ୍ ଠିକ୍ ଭାବରେ କରିହୁଏ ନାହିଁ। ଯେଉଁମାନଙ୍କର ହୃତ୍‌ପିଣ୍ଡରେ ପେସ୍‌ମେକର୍‌ ବା ଗତିଚାଳକ ଲାଗିଛି ବା ଗର୍ଭବତୀମାନଙ୍କର ଫାଇବ୍ରୋସ୍କାନିଂ ପରୀକ୍ଷା ନିଷେଧ। ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଡାକ୍ତରଖାନାରେ ଏହି ବ୍ୟୟବହୁଳ ପରୀକ୍ଷାର ବ୍ୟବସ୍ଥା ନାହିଁ। କେବଳ କିଛି ଘରୋଇ ଡାକ୍ତରଖାନାରେ ଏହାର ପରୀକ୍ଷା ବ୍ୟବସ୍ଥା ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button