ଧଉଳି: ଭୁବନେଶ୍ବର – ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ସୁପରମାର୍ଟରେ ଅଗ୍ନିକାଣ୍ଡ। ୧୨ ଘଣ୍ଟା ହେଲା ଜଳୁଛି, କିନ୍ତୁ ଲିଭୁନି ନିଆଁ। ନାକେଦମ୍ ହେଲେଣି ଅଗ୍ନିଶମ ବାହିନୀ। ୪୦ଟି ଦମକଳ ଗାଡ଼ି ନିୟୋଜିତ। କାନ୍ଥ ଭାଙ୍ଗିବା ପାଇଁ କ୍ରେନ୍ ବ୍ୟବହାର କରାଯାଉଚି। ନିଆଁ ଲିଭାଇବାପାଇ ରୋବୋଟ୍ ଲାଗିଚି। ତଥାପି ନିଆଁକୁ ଆୟତ୍ତ କରାଯାଇପାରୁନି। ଶିଶୁପାଳଗଡ଼ ସୁପରମାର୍ଟରେ ଅଗ୍ନିକାଣ୍ଡ ଫଳରେ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୧ଟା ପାଖାପାଖି ନିଆଁ ଲାଗି ଯାଇଥିଲା। ଉକ୍ତ ମାର୍କେଟ କମ୍ପ୍ଲେକ୍ସର ତୃତୀୟ ମହଲାରେ ଥିବା ପାଲ୍ଟିକ ସାମଗ୍ରୀ ଓ ପୋଷାକ ପତ୍ର ସୋ ରୁମରେ ନିଆଁ ଲାଗି ଯାଇଥିଲା। ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା ଅନୁସାରେ ଦୋକାନରେ ସର୍ଟର ପଡ଼ି ସାରିଥାଏ। ସୋରୁମ ଭିତରେ ନିଆଁ ବ୍ୟାପି ଯାଇଥିଲା। ସୋ ରୁମ ଭିତରେ ଥିବା ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ହୁତୁହୁତୁ ହୋଇ ଜଳିଥିଲା। ଝରକା କବାଟ ପୋଡ଼ି ବାହାରକୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିଲେ। ବାହାରପଟୁ ପ୍ରତ୍ୟକ୍ଷଦର୍ଶୀ ନିଆଁ ଜଳୁଥିବା ଦେଖି କିଛି ଜଣାଶୁଣା କର୍ମଚାରୀଙ୍କୁ ଫୋନ କରି ଜଣାଇଥିଲେ। ଏହା ସହିତ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇଥିଲେ।
ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଘଟି ନିଆଁ ଲାଗିଥିବା ସନ୍ଦେହ
ଖବର ପାଇ ପ୍ରଥମେ ଅଗ୍ନିଶମ ବାହିନୀର ୩ଟି ଗାଡ଼ି ପହଞ୍ଚି ନିଆଁ ଲଭାଇଥିଲା। ହେଲେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସୋ ରୁମ ଭିତରେ ଥିବା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜଳି ଯାଇଥିଲା। ନୂଆଗାଁ ଓ ଶିଶୁପାଳଗଡ଼ ଅଞ୍ଚଳର ଯୁବକମାନେ ମଧ୍ୟ ନିଆଁ ଲିଭାଇବାରେ ସହଯୋଗ କରିଥିଲେ।
ସୂଚନା ଅନୁସାରେ ମାର୍କେଟ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଗ୍ରୋସରୀ ସାମଗ୍ରୀ , ଦ୍ବିତୀୟ ମହଲାରେ ପିଲାଙ୍କ କଣ୍ଢେଇ ଓ ତୃତୀୟ ମହଲାର ଅର୍ଦ୍ଧାଧିକ ଅଂଶରେ ପୋଷାକ ପତ୍ର ଓ ଅନ୍ୟାନ୍ୟ ବସ୍ତ୍ର ଏବଂ ଅନ୍ୟ ଫାଳକ ଅଂଶରେ ପ୍ଲାଷ୍ଟିକର କୁଣ୍ଡ ଓ ବ୍ୟାରେଲ ଭଳି ବିଭିନ୍ନ ସାମଗ୍ରୀ ବିକ୍ରି ସୋରୁମ ଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଘଟି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ପରେ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।
ସୌଜନ୍ୟ ସମ୍ବାଦ
