Ananya: କନକ ନ୍ୟୁଜ୍‌ର ‘ଅନନ୍ୟା’ ମଞ୍ଚରେ କହିଲେ ଉପମୁଖ୍ୟମନ୍ତ୍ରୀ: କୋଟିଏ ମହିଳାଙ୍କର ହେବ ମା‌ମୋଗ୍ରାଫି ପରୀକ୍ଷା

ମୋ ଶାଶୂଙ୍କ ଘାଣ୍ଟ ତରକାରୀ ମୋତେ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦିଏ। ସବୁ ସାମଗ୍ରୀର ଠିକ୍‌ ସମ୍ମିଶ୍ରଣ କିଭଳି ଘରେ ବି ପଞ୍ଚତାରକା ହୋଟେଲର ଦାମୀ ବ୍ୟଞ୍ଜନକୁ ମାତ୍‌ ଦେଇପାରେ ତାହା ଶାଶୂଙ୍କ ଘାଣ୍ଟ ମୋତେ ଶିଖାଇଛି।

ଭୁବନେଶ୍ବର: ମୋ ଶାଶୂଙ୍କ ଘାଣ୍ଟ ତରକାରୀ ମୋତେ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦିଏ। ସବୁ ସାମଗ୍ରୀର ଠିକ୍‌ ସମ୍ମିଶ୍ରଣ କିଭଳି ଘରେ ବି ପଞ୍ଚତାରକା ହୋଟେଲର ଦାମୀ ବ୍ୟଞ୍ଜନକୁ ମାତ୍‌ ଦେଇପାରେ ତାହା ଶାଶୂଙ୍କ ଘାଣ୍ଟ ମୋତେ ଶିଖାଇଛି। ଠିକ୍‌ ସେହିଭଳି ସମାଜରେ ପୁରୁଷ ତଥା ମହିଳାଙ୍କ ଭାଗିଦାରୀ ଓ ସମସ୍ତ ମହିଳା ଶକ୍ତିର ଉପଯୋଗ ରାଷ୍ଟ୍ର ତଥା ରାଜ୍ୟକୁ ଭିନ୍ନ ଏକ ବିକାଶ ଦିଗରେ ଆଗେଇ ନେଇପାରିବ। ସମାଜର ତୃଣମୂଳସ୍ତରର ମହିଳାମାନେ ସମ୍ଭ୍ରାନ୍ତଶ୍ରେଣୀୟ ମହିଳାଙ୍କଠାରୁ ଅଧିକ ସାହସୀ। ଏହା ମହିଳାଙ୍କୁ ଉପରକୁ ଉଠାଇବା ହିଁ ଆମର ଉଦ୍ଦେଶ୍ୟ। ୨୦୪୭ ମସିହା ସୁଦ୍ଧା ମାନବ ସମ୍ବଳର ୭୦% ମହିଳା କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ହୋଟେଲ୍‌ ଲାଇଫ୍‌ଠାରେ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ‘ଅନନ୍ୟା’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତୀ ପରିଡ଼ା ନେତୃତ୍ବର ସ୍ବପ୍ନ ଦିଗରେ ଆଗେଇବା ପାଇଁ ମହିଳାମାନଙ୍କୁ ଲଢ଼େଇ କରିବା ଲାଗି ପରାମର୍ଶ ଦେଇଥିଲେ। ଲଢ଼େଇରେ ମଜା ଥାଏ ଏବଂ ସଫଳତାରେ ଆନନ୍ଦ ମିଳେ ବୋଲି ସେ କହିଥିଲେ।

‘ପ୍ରଭାତୀ ପରି଼ଡ଼ାଙ୍କ ସହିତ ଗୋଟିଏ ସନ୍ଧ୍ୟା’ କାର୍ଯ୍ୟକ୍ରମରେ ମଞ୍ଚ ତଳେ ଉପସ୍ଥିତ ରାଜ୍ୟର ବିଶିଷ୍ଟ ମହିଳାମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ମହିଳା ଭାଗିଦାରୀ, ମହିଳାଙ୍କ ମାନସିକ ସ୍ଥିତି, ମହିଳା
ସଶକ୍ତୀକରଣ ଦିଗରେ ସରକାରଙ୍କ ଯୋଜନା ଓ ଲକ୍ଷ୍ୟ, ସମସ୍ତ ମହିଳାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଏହାର ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଦିନକୁ ଦିନ ମହିଳାମାନଙ୍କ ମଧ୍ୟରେ ସ୍ତନକର୍କଟ ବଢ଼ିବାରେ ଲାଗିଥିବା ବେଳେ ଏହାର ସମାଧାନସ୍ବରୂପ କୋଟିଏ ମହିଳାଙ୍କର ମାଗଣା ମାମୋଗ୍ରାଫି ପରୀକ୍ଷା କରିବାକୁ ସରକାର ଯୋଜନା କରୁଥିବା ସେ କହିଥିଲେ। ସିଏସ୍‌ଆର୍‌-ପିପିପି ମୋଡ୍‌‌ରେ ଯେପରି ରାଜ୍ୟର ସମସ୍ତ ମହିଳାଙ୍କର ମାମୋଗ୍ରାଫି ପରୀକ୍ଷା ସହ ସ୍ତନକର୍କଟ ବାବଦରେ ସେମାନଙ୍କୁ ସଚେତନ କରାଯାଇପାରିବ ସେ ନେଇ ପ୍ରୟାସ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଥିଲେ, ମହିଳାଙ୍କ ଭିତରେ ଏବେ ମାନସିକ ଅବସାଦ ବଢ଼ିବାରେ ଲାଗିଛି। ଏହି ମାନସିକ ଅବସାଦକୁ ଏତେ ଗୁରୁତ୍ବର ସହ ନେବାର କିଛି ଆବଶ୍ୟକତା ନାହିଁ। ନିଜର ଛୋଟ ଛୋଟ ନିଷ୍ପତ୍ତି ଆମକୁ ଖୁସି କରିପାରେ ଓ ମାନସିକ ସ୍ଥିତିକୁ ବଦଳାଇ ଦେଇପାରେ। ଏଣୁ ନିଜ ସମ୍ପର୍କରେ ଛୋଟ ଛୋଟ ନିଷ୍ପତ୍ତି ନେବାର ଅଭ୍ୟାସ କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଥିଲେ। ଏଥିସହ ଅଭିଭାବକତ୍ବ ଉପରେ ପରାମର୍ଶ ଦେଇ ସେ କହିଥିଲେ, ବାପା ମା’ମାନେ ପିଲାମାନଙ୍କ ଉପରେ ଅତ୍ୟଧିକ ଆଶା ଏବଂ ଚାପ ପକାଇବା ବନ୍ଦ କରନ୍ତୁ। ଛୁଆ ନିକଟକୁ ଯିବା ସମୟରେ ସ୍ବାମୀ-ସ୍ତ୍ରୀ ନିଜ ବୃତ୍ତିଗତ ଜୀବନର ପ୍ରତିଯୋଗିତାକୁ ଶୂନ କରିଦେବାର ସମୟ ଆସିଛି ବୋଲି ମତ ଦେଇଥିଲେ।

ଶାଶୂଙ୍କ ଘାଣ୍ଟ ମୋତେ ଶିଖାଇଛି ମହିଳା ସଶକ୍ତୀକରଣର କଥା

ଉପମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଇତିହାସରେ ଏଭଳି ଅନେକ ମହିଳା ଶାସକ, ସ୍ବାଧୀନତା ସଂଗ୍ରାମୀ, ରାଜନୈତିଜ୍ଞ ଓ ସମାଜସେବୀ ଅଛନ୍ତି, ଯେଉଁମାନଙ୍କର ସାର୍ବଜନୀନ କ୍ଷେତ୍ରରେ ଅଧିକରୁ ଅଧିକ ପ୍ରଚାରପ୍ରସାରର ଆବଶ୍ୟକତା ରହିଛି। ଜନ ସମୁଦାୟରେ ସେମାନଙ୍କ ବାବଦରେ ଅଧିକରୁ ଅଧିକ ଆଲୋଚନା କରିବାକୁ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଏକ ପାଭିଲିଅନ୍‌ କରାଯିବ। ଏଥିସହ ଓଡ଼ିଶାର ସମସ୍ତ ସଫଳ ମହିଳାଙ୍କ ଜୀବନୀ, ସଂଘର୍ଷକୁ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦସ୍ତାବିଜ ସଂଗ୍ରହ ଆରମ୍ଭ ହୋଇଯାଇଛି। ୨୦୨୭ ମାର୍ଚ୍ଚରେ ଏହା ଉନ୍ମୋଚିତ ହେବ। ସେହିପରି ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ହ୍ବିଲ୍‌ଚେୟାର ବ୍ୟବସ୍ଥା ପାଇଁ ଚିନ୍ତା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ନିଜ ଅବଦାନ ପାଇଁ ରାଜ୍ୟକୁ ଗର୍ବିତ କରିଥିବା ୫ ମହିଳା ସମ୍ବର୍ଦ୍ଧିତ ହୋଇଥିଲେ। ମାଷ୍ଟରସେଫ୍‌ ଇଣ୍ଡିଆ ସିଜନ୍‌-୯ରେ ଖାଣ୍ଟି ଓଡ଼ିଆ ଖାଦ୍ୟ ପରଷି ଓଡ଼ିଶା ପାଇଁ ଗୌରବ ଆଣିଥିବା ଦୁଇ ଭଉଣୀ ଅଞ୍ଜୁ ଓଝା ଓ ମଞ୍ଜୁ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ବିଶିଷ୍ଟ ଅଭିନେତ୍ରୀ ନମ୍ରତା ଦାସ, ଡାକ୍ତର ସେବା ମହାପାତ୍ର ଓ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି ବି ସମ୍ବର୍ଦ୍ଧିତ ହୋଇଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ମଞ୍ଚରେ ଉପସ୍ଥିତ ଥିଲେ। ସ୍ବସ୍ତିକା ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version