Andhramuhan 8 Panchayat: ଆନ୍ଧ୍ରମୁହାଁ ୮ ପଞ୍ଚାୟତବାସୀ

ବିକାଶରେ ପଛରେ ପଡ଼ିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ସୀମାନ୍ତ ୮ ପଞ୍ଚାୟତ। କୋଟିଆ ପ୍ରତି ତତ୍ପରତା ପ୍ରକାଶ କରି ପ୍ରଶାସନ ଅବହେଳା କରୁଥିବାରୁ ଆନ୍ଧ୍ର ମୁହାଁ ହୋଇଛନ୍ତି ଏହି....

କୋରାପୁଟ: ବିକାଶରେ ପଛରେ ପଡ଼ିଛି କୋରାପୁଟଜିଲ୍ଲା ପଟାଙ୍ଗି ବ୍ଲକର ସୀମାନ୍ତ ୮ ପଞ୍ଚାୟତ। କୋଟିଆ ପ୍ରତି ତତ୍ପରତା ପ୍ରକାଶ କରି ପ୍ରଶାସନ ଅବହେଳା କରୁଥିବାରୁ ଆନ୍ଧ୍ର ମୁହାଁ ହୋଇଛନ୍ତି ଏହି ପଞ୍ଚାୟତବାସୀ। ଯାହା ଆଗାମୀ ଦିନରେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଆନ୍ଧ୍ର ସୀମାନ୍ତରେ ବିବାଦୀୟ କୋଟିଆ ଭଳି ରହିଛି ନୂଆଗାଁ, ରାଲେଗଡା, ପେଟୁରୁ, ସୁଙ୍କି, ଆମ୍ଫାବାଲି, ତଳଗୋଲୁରୁ ଓ ସମ୍ବାଇ ପଞ୍ଚାୟତ। ବିଶେଷ କରି ନୂଆଗାଁ, ସମ୍ବାଇ, ତଳଗୋଲୁରୁ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶ କରି ସରକାରୀ ସହାୟତା ଯୋଗାଉଛି। ଭତ୍ତା, ରାସନ, ଶିକ୍ଷାବୃତ୍ତି, ଆବାସ ଯୋଜନାରେ ଓଡ଼ିଶା ଅପେକ୍ଷା ଅଧିକ ପ୍ରୋତ୍ସାହନ ରାଶି ଓ ସହାୟତା ପ୍ରଦାନ କରୁଛି ଆନ୍ଧ୍ର।
କୋଟିଆ ପଞ୍ଚାୟତକୁ ସରକାର ଅଗ୍ରାଧିକାର ଦେଇ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରି ବିକାଶକୁ ତ୍ବରାନ୍ବିତ କରୁଛନ୍ତି। କିନ୍ତୁ ଅନ୍ୟ ପଞ୍ଚାୟତକୁ ସେପରି ଫୋକସ୍‌ କରୁନାହାନ୍ତି। ଯେଉଁଥି ପାଇଁ ଅବହେଳିତ ପଞ୍ଚାୟତବାସୀ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଜୀବନ ଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ। ତଳଗୋଲୁରୁ, ଆମ୍ଫାବାଲି, ପେଟୁରୁ ପଞ୍ଚାୟତର ବହୁ ଗାଁ ପାହାଡ଼ିଆ ଅଞ୍ଚଳରେ ରହିଛି। ଚାଷ ଜମି ପର୍ଯ୍ୟାପ୍ତ ନ ଥିବାରୁ କେବଳ ତେନ୍ତୁଳି କିଛି ମାସ ପାଇଁ ରୋଜଗାର ମାଧ୍ୟମ ପାଲଟୁଛି। ବାକି ସମୟ ଲୋକେ ଦାଦନ ଖଟିବାକୁ ଆନ୍ଧ୍ର ଯାଉଛନ୍ତି। ତଳଗୋଲୁରୁ, ସୁଙ୍କି, ପେଟୁରୁ ପଞ୍ଚାୟତର ଅଧିକାଂଶ ଗାଁକୁ ପକ୍କା ରାସ୍ତା ନାହିଁ। ଯାତାୟତରେ ନଦୀ, ନାଳ ସାଜିଛି ବାଧକ। ଏହି ସବୁ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ମଧ୍ୟ ତଦ୍ରୁପ।

ଦୁର୍ଗମ ସୀମାନ୍ତ ଗାଁଗୁଡ଼ିକରେ ସ୍କୁଲ ନିୟମିତ ଖୋଲୁନି। ରାଲେଗଡ଼ା ଓ ସୁଙ୍କି ପଞ୍ଚାୟତରେ ତେଲୁଗୁ ଭାଷାର ପ୍ରଭାବ ରହିଛି। ବହୁ ଗାଁ ଲୋକ ଓଡ଼ିଆ ଭାଷା ବୁଝୁନାହାନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକ ବିନା ଡାକ୍ତରରେ ଚାଲିଛି। କୋଟିଆ ଭଳି ଅନ୍ୟ ୭ଟି ପଞ୍ଚାୟତର ସୀମାନ୍ତ ଗାଁ ମଧ୍ୟରୁ ନୂଆଗାଁ ପଞ୍ଚାୟତର କୁମ୍ଭିଗୁଡ଼ା, ଦିଗୁଗାବତର, ଏଟିବାଗାଡ଼, ସମ୍ବାଇ ପଞ୍ଚାୟତର ସୁନାବେଡ଼ା, ଜାମ୍ବଗୁଡ଼ା, ସୁଙ୍କି ପଞ୍ଚାୟତର ନିମାଲପାଡୁ, ଅଣ୍ଡ୍ରାଙ୍ଗି, ଗିନାଗେଲିପାଡୁ, ସାନଲମତାପାଡୁ, ପେଟୁରୁ ପଞ୍ଚାୟତର ମାଟାମ, ବୁରୁଗୁଲପାଡୁ, ଆମ୍ଫାବାଲି ପଞ୍ଚାୟତର ସାପ୍ରାଇଗୁଡା, ସିଡିମେଟା, ରାଲେଗୁଡା ପଞ୍ଚାୟତର ଗାଡିବାଲସା, ବିଟ୍ରା, ପିଲିକାବିଟ୍ରା, ମେଟାପାଡୁ, ତଳଗୋଲୁରୁ ପଞ୍ଚାୟତର ପଟୁଗୁଡା, ବାଙ୍ଗାରଗୁଡି, ପେଦାଗୁଡି, ଓଲାପାରୁ, ସାପ୍ରାଇଗୁଡା, ଡୁମୁରିଗୁଡା, ଜାମଗୁଡା, ମୁଲାପାଡୁ, ବାଟକିମେଡା ଓ ଦାରମପାଡ଼ୁ ଗ୍ରାମବାସୀ ଉଭୟ ସରକାରଙ୍କ ସୁବିଧା ହାତଉଛନ୍ତି। ତଳଗୋଲୁରୁ ପୂର୍ବତନ ସରପଞ୍ଚ ବଲଦାବୋଇ ପତି କହିଛନ୍ତି ସରକାର କୋଟିଆକୁ ଗୁରୁତ୍ୱ ଦେଇ ସୀମାନ୍ତ ପଞ୍ଚାୟତକୁ ଅବହେଳା କରୁଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version