ବିଶ୍ବରେ ଏଭଳି ଏକ ଜାଗା ଅଛି, ଯେଉଁଠି ପ୍ରାଣୀ ସାଜିବା କିଛି ତରୁଣତରୁଣୀଙ୍କର ଏକ ଅଭ୍ୟାସ ପାଲଟିଛି। ସେମାନେ ନିୟମିତ ଭାବେ ନିଜନିଜ ପସନ୍ଦର ପ୍ରାଣୀ ବେଶରେ ସଜେଇ ହୋଇ ଚଳପ୍ରଚଳ ହେଉଛନ୍ତି। ଆର୍ଜେଣ୍ଟିନାର ରାଜଧାନୀ ବୁଏନୋସ୍ ଆଇରିସ୍ର ଅନେକ ଯୁବା ନିଜକୁ ଅଣମାନବ ପ୍ରାଣୀ ଭାବରେ ପରିଚିତ କରୁଛନ୍ତି, ଯାହା ଏବେ ଭାଇରାଲ୍ ହେଉଛି। ନିୟମିତ ବ୍ୟବଧାନରେ ଏମାନେ ଏକତ୍ରିତ ହୁଅନ୍ତି ଏବଂ କୁକୁର, ବିଲେଇ, କୋକିଶିଆଳି ଭଳି ପ୍ରାଣୀଙ୍କ ମୁଖା ଓ ଲାଞ୍ଜ ଲଗାଇ ଚାରି ଗୋଡ଼ରେ ଚାଲନ୍ତି, ଡିଆଁଡେଇଁ କରନ୍ତି ଓ ଗଛ ଚଢ଼ନ୍ତି।
ପ୍ରାଣୀମାନଙ୍କ ସହିତ ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ଏକାକାର ହୋଇପାରୁଥିବା ଏହି ଗୋଷ୍ଠୀର ବ୍ୟକ୍ତିମାନେ ନିଜକୁ ‘ଥେରିଆନ୍’ କହୁଛନ୍ତି। ଆର୍ଜେଣ୍ଟିନାର ନାଗରିକମାନେ ଏହା ବିଶ୍ବାସ କରନ୍ତି ଯେ ଏହି ଭଳି ଆଚରଣ ଯୁବାଙ୍କୁ ଆତ୍ମ-ଅଭିବ୍ୟକ୍ତି ପାଇଁ ସୁଯୋଗ ଦେଉଛି। ବୁଏନୋସ୍ ଆଇରେସରେ ଥିବା ଇଣ୍ଟିଗ୍ରାଲ୍ ଥେରାପ୍ୟୁଟିକ୍ ସେଣ୍ଟର୍ର ମନୋବିଜ୍ଞାନୀ ତଥା ନିର୍ଦ୍ଦେଶକ ଡେବୋରା ପେଡେସ୍ ଭାବନ୍ତି ଯେ ‘ଥେରିଆନ୍’ମାନଙ୍କ ପିତାମାତା ଚିନ୍ତିତ ହେବା ଅନାବଶ୍ୟକ। ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ଏହା ହେଉଛି ଗୋଟିଏ ପ୍ରାଣୀ ସାଜିବାର ପ୍ରତୀକାତ୍ମକ ଅଭିବ୍ୟକ୍ତି ମାତ୍ର। କିଛି ସମୟର ଏଭଳି ଆଚରଣ ଦ୍ବାରା ସମାଜର କୌଣସି କ୍ଷତି ହୁଏ ନାହିଁ, ବରଂ ଏହା ଆମୋଦପ୍ରମୋଦର ଏକ ମାଧ୍ୟମ।
ସୌଜନ୍ୟ ସମ୍ବାଦ
