Arbitrary fees: ଉଠା ଦୋକାନୀଙ୍କଠାରୁ ମନଇଚ୍ଛା ଫି’ ଆଦାୟ: ଏସ୍ଏମ୍ସିରେ ପଶିଲା ଭିଜିଲାନ୍ସ
ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୭ଟି ଦୈନିକ ଓ ସାପ୍ତାହିକ ବଜାର ସାଙ୍ଗକୁ ରାସ୍ତାକଡ଼ରେ ବସୁଥିବା ଉଠାଦୋକାନୀଙ୍କଠାରୁ ମନଇଚ୍ଛା ଫି’ ଆଦାୟ ଘଟଣାରେ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇଆସୁଛି। ଏହାକୁ ନେଇ ପ୍ରଥମଥର ପାଇଁ ସମ୍ବଲପୁର ମହାନଗର ନିଗମରେ ପଶିଛି ଭିଜିଲାନ୍ସ।

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୭ଟି ଦୈନିକ ଓ ସାପ୍ତାହିକ ବଜାର ସାଙ୍ଗକୁ ରାସ୍ତାକଡ଼ରେ ବସୁଥିବା ଉଠାଦୋକାନୀଙ୍କଠାରୁ ମନଇଚ୍ଛା ଫି’ ଆଦାୟ ଘଟଣାରେ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇଆସୁଛି। ଏହାକୁ ନେଇ ପ୍ରଥମଥର ପାଇଁ ସମ୍ବଲପୁର ମହାନଗର ନିଗମରେ ପଶିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସର ଅତିରିକ୍ତ ଏସ୍ପି ସୁଜାତା ପଣ୍ଡାଙ୍କ ନେତୃତ୍ବରେ ଏକ ୩ଜଣିଆ ଟିମ୍ ଆଜି ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ତନାଘନା କରିଛନ୍ତି। ଏହି ସମୟରେ ଏସ୍ଏମ୍ସି କମିସନର ରେହାନ ଖତ୍ରୀ ଅନୁପସ୍ଥିତ ଥିବା ବେଳେ ଟିକସ ବିଭାଗ ଦାୟିତ୍ବରେ ଥିବା ସହକାରୀ କମିସନର ଅଶୋକ ମିଶ୍ର ଓ ଜଣେ ଟାକ୍ସ କଲେକ୍ଟରଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ଏସ୍ଏମ୍ସି କର୍ତ୍ତୃପକ୍ଷ ବିନା ଟେଣ୍ଡରରେ ଓ ବିନା ରସିଦରେ ଉଠା ଦୋକାନୀଙ୍କଠାରୁ ଟଙ୍କା ଆଦାୟ କରିବା ଘଟଣାକୁ ସ୍ବୀକାର କରିଥିବାବେଳେ ଏବେ କିଛିଦିନ ହେବ ରସିଦ୍ ଆରମ୍ଭ କରିଥିବା ମାନିଛନ୍ତି। ଲୋକଙ୍କଠାରୁ ଆଦାୟ ହେଉଥିବା ଏହି ଟଙ୍କାର ହିସାବ କହିଲେ କେବଳ ଏକ କ୍ୟାସ୍ବୁକ୍, ଏସ୍ଏମ୍ସି କର୍ତ୍ତୃପକ୍ଷଙ୍କ ନିକଟରେ ଅନ୍ୟ କୌଣସି ଦସ୍ତାବିଜ ହିଁ ନାହିଁ। ତେଣୁ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇ ଭିଜିଲାନ୍ସ ଟିମ୍ ସେଠାରୁ ଫେରିଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




