ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍ ତଥା ସ୍ବନାମଧନ୍ୟ ଶିକ୍ଷାବିତ୍, ଗବେଷକ ଓ ପ୍ରଶାସନିକ ଅଧିକାରୀ ପ୍ରଫେସର ଡକ୍ଟର ବଳରାମ ପାଣି ଜାତୀୟ ସ୍ତରରେ ବେଶ୍ ସୁପରିଚିତ। ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓପନ୍ ଲର୍ଣ୍ଣିଂ ବିଭାଗର ନିର୍ଦ୍ଦେଶକ ପଦବିରୁ ନେଇ ଭାସ୍କରାଚାର୍ଯ୍ୟ ଆପ୍ଲାଏଡ୍ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପର୍ଯ୍ୟନ୍ତ ବିଭିନ୍ନ ଦାୟିତ୍ବ ସେ ସଫଳତାର ସହିତ ତୁଲାଇଛନ୍ତି। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଓ ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି ପ୍ରଫେସର ପାଣି। ଭାରତର ନଦୀ ଓ ଭୂତଳ ଜଳ, ଭୂମି ଉପରେ ବ୍ୟାପୁଥିବା ଇ-ବର୍ଜ୍ୟ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବଂ ଓଡ଼ିଶାର ମାଟି-ପାଣି-ପବନର ଦୁଃସ୍ଥିତି ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିଛନ୍ତି ବରିଷ୍ଠ ପ୍ରତିନିଧି ବିଭୂତି ପତି
ବଳରାମଙ୍କ ବିଶେଷ କଥା
ପ୍ରଫେସର ଡକ୍ଟର ବଳରାମ ପାଣି ଅନଗୁଳ ଜିଲ୍ଲା କଣିହାଁ ବ୍ଲକ୍ର ବିଜିଗୋଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବାପା ଲିଙ୍ଗରାଜ ପାଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ ଓ ମା’ ଶକୁନ୍ତଳା ପାଣି ସାଧାରଣ ଗୃହିଣୀ। କିନ୍ତୁ ମା’ଙ୍କ ପ୍ରେରଣା ଓ ମାର୍ଗଦର୍ଶନ ତାଙ୍କ ଅଧ୍ୟୟନର ମୂଳଦୁଆ ପକାଇଥିଲା। ସେ ନିଜ ଗାଁ ସରକାରୀ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚମାଧ୍ୟାମିକ ବିଦ୍ୟାଳୟରେ ପ୍ରଥମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟରେ ଆଇଏସ୍ସି ଓ ବିଏସ୍ସି ଅଧ୍ୟୟନ କରିଥିଲେ। ଏହାପରେ ସେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଏମ୍ଏସ୍ସି କରି ଦିଲ୍ଲୀସ୍ଥିତ ଜବାହରଲାଲ୍ ନେେହରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ)ରେ ପରିବେଶ ବିଜ୍ଞାନ ଓ ପରିବେଶ ରସାୟନ (ଏନ୍ଭାଇରନ୍ମେଣ୍ଟ୍ ସାଇନ୍ସ ଆଣ୍ଡ୍ କେମିଷ୍ଟ୍ରି)ରେ ଏମ୍ଫିଲ୍ ଓ ପିଏଚ୍ଡି କରିଥିଲେ।
ବୃତ୍ତିଗତ ଜୀବନରେ ପ୍ରଫେସର ପାଣି ୩୩ରୁ ଉର୍ଦ୍ଧ୍ବ ପୁସ୍ତକ ଏବଂ ୮୯ଟି ଗବେଷଣାତ୍ମକ ସନ୍ଦର୍ଭ ରଚନା କରିଛନ୍ତି। ଏଗୁଡ଼ିକ ବିଶ୍ବର ସ୍ବନାମଧନ୍ୟ ସାଇନ୍ସ୍ ଜର୍ଣ୍ଣାଲ୍ମାନଙ୍କରେ ପ୍ରକାଶିତ ହୋଇଛି। ପରିବେଶ ଓ ରସାୟନ ବିଜ୍ଞାନ ସଂପର୍କିତ ତାଙ୍କର ୭ଟି ଗବେଷଣା ମଧ୍ୟ ବିଶ୍ବରେ ଆଦୃତି ଲାଭ କରିଛି। ପରିବେଶ ଓ ରସାୟନ ବିଜ୍ଞାନ, ଜଳ ପ୍ରଦୂଷଣ, କୃତ୍ରିମ ଅଜୈବ ରସାୟନ (ସିନ୍ଥେଟିକ୍ ଇନ୍ଅର୍ଗାନିକ୍ କେମିଷ୍ଟ୍ରି), ବିଶ୍ଳେଷଣର ସାଧନ ପଦ୍ଧତି (ଇନ୍ଷ୍ଟ୍ରୁମେଣ୍ଟାଲ୍ ଅଫ୍ ଆନାଲାସିଷ୍ଟ୍) ଏବଂ ପଲିମର୍ ସାଇନ୍ସ ବିଭାଗରେ ପ୍ରଫେସର ପାଣି ଦେଶର ଜଣେ ସୁଦକ୍ଷ ଗବେଷକ ଓ ବିଶେଷଜ୍ଞ ଭାବେ ପରିଚିତ। ଅଧ୍ୟାପନା କ୍ଷେତ୍ରରେ ମହାନ୍ ଅବଦାନ ଓ ଗବେଷଣା ପାଇଁ ତାଙ୍କୁ ୨୦୨୩ରେ ବ୍ରିଟିସ୍ ସଂସଦ ପକ୍ଷରୁ ‘ସୋଲ୍ ଅଫ୍ ଇଣ୍ଡିଆ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏଥିସହିତ ସେ ‘ଓଡ଼ିଆ ରତ୍ନ’ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ସଂପ୍ରତି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ଥାପନ ହେବାକୁ ଯାଉଥିବା ଓଡ଼ିଆ ବିଭାଗର ସେ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରୁଛନ୍ତି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ଖୋଲିବାର ପରିକଳ୍ପନା କାହିଁକି ଆସିଲା? ଏହାର ସ୍ୱାତନ୍ତ୍ରୢ କ’ଣ? ଏ ଦିଗରେ କ’ଣ ଅଗ୍ରଗତି ହୋଇଛି?
ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଯୋଗଦେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଓଡ଼ିଆ ବିଭାଗ ଖୋଲିବାକୁ ପରିକଳ୍ପନା କରିଥିଲି। ଆମର ସୌଭାଗ୍ୟକୁ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷାମନ୍ତ୍ରୀ ହେଲେ। ତାଙ୍କ ସହ ଏ ପରିକଳ୍ପନା ବିଷୟରେ ଆଲୋଚନା କରିବା ପରେ ସେ ସମସ୍ତ ପ୍ରକାରର ସାହାଯ୍ୟ-ସହଯୋଗ ଯୋଗାଇଦେବାକୁ ଆଗେଇ ଆସିଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ଏଥିପାଇଁ ପ୍ରଥମେ ନିଜଆଡୁ କାର୍ଯ୍ୟାରମ୍ଭ କରିଥିଲେ। ଇତିମଧ୍ୟରେ ଓଡ଼ିଆ ବିଭାଗ ପାଇଁ ସମସ୍ତ ପ୍ରକାରର ଆର୍ଥିକ ପ୍ରାବନ୍ଧନ ହୋଇଛି ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଜମି ମଧ୍ୟ ମିଳିଛି। ଏଠାରେ କେବଳ ଓଡ଼ିଆ ଭାଷା-ସାହିତ୍ୟ ସ୍ନାତକୋତ୍ତର ପାଠ୍ୟକ୍ରମ ନୁହେଁ, ଓଡ଼ିଶାର କଳା-ସଂସ୍କୃତି, ସଂଗୀତ, ଲୋକନୃତ୍ୟ, ପରମ୍ପରା, ଇତିହାସ, ଐତିହ୍ୟ, ସାମ୍ବାଦିକତା, ଜନଜାତି ଏବଂ ଜୀବନଶୈଳୀ ଉପରେ ଏମ୍ଫିଲ୍, ପିଏଚ୍ଡି ଓ ଫେଲୋସିପ୍ ରହିବ। ଏଥିପାଇଁ ବିଦ୍ୟାର୍ଥୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦିଆଯିବ। ୟୁଜିସି ନିକଟରୁ ସମସ୍ତ ସ୍ବୀକୃତି ନିଆଯାଇ ପ୍ରାରମ୍ଭିକ ପ୍ରସ୍ତୁତି ସରିଛି। ଆସନ୍ତାବର୍ଷେ ମଧ୍ୟରେ ଏହି ବିଭାଗ କାର୍ଯ୍ୟ କରିବ ବୋଲି ମୁଁ ଆଶାବାଦୀ। ଏଥିପାଇଁ ଯଥାଶୀଘ୍ର ଅଧ୍ୟାପକ ନିଯୁକ୍ତି ଓ ବିଦ୍ୟାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଆମର କୁଳପତି ପ୍ରଫେସର ଯୋଗେଶ ସିଂ ମଧ୍ୟ ଆବଶ୍ୟକ ସହଯୋଗ ପ୍ରଦାନ କରୁଛନ୍ତି।
ଆପଣ ଦିଲ୍ଲୀ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ସଦସ୍ୟ ଓ ପରାମର୍ଶଦାତା ଅଛନ୍ତି। ଦିଲ୍ଲୀର ପ୍ରଦୂଷଣ ନିୟନ୍ତ୍ରଣ କରିହେଉ ନାହିଁ କାହିଁକି? କୃତ୍ରିମ ବର୍ଷା ଯୋଜନା ବିଫଳ ହେବାକୁ ନେଇ କ’ଣ କହିବେ?
ପ୍ରଥମତଃ କୃତ୍ରିମ ବର୍ଷା ଦିଲ୍ଲୀରେ ବିଫଳ ହୋଇନାହିଁ। ଆବଶ୍ୟକ ବାଦଲ ନଥିବାରୁ ଯେତିକି ପରିମାଣରେ ଦରକାର ଥିଲା ସେତିକି ହୋଇପାରିଲା ନାହିଁ। ତେବେ ଦିଲ୍ଲୀରେ ଅଙ୍ଗାରକ ନିର୍ଗମନକୁ ହ୍ରାସ କରିବାକୁ ବର୍ତ୍ତମାନ ସରକାରଙ୍କୁ କଠୋର ପଦେକ୍ଷପ ନେବାକୁ ପଡ଼ିବ ଏବଂ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଦୂଷଣମୁକ୍ତ ସମାଜ ଗଠନ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ବାନ ଏବଂ ଏଥିପାଇଁ ଆଉ ଘୋଷଣା ଓ ଭାଷଣ ଚାଲିବ ନାହିଁ। ବର୍ତ୍ତମାନ ଆକ୍ସନ୍ ମୋଡ୍ରେ କାମ କରିବାକୁ ପଡ଼ିବ। ଉତ୍ସରୁ ହିଁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପଡ଼ିବ। ସବୁକିଛି ବନ୍ଦ କରିଦେଲେ ଦେଶ ଓ ରାଜ୍ୟ ଚାଲିପାରିବ ନାହିଁ। ବିଭିନ୍ନ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନ କୌଶଳ ବ୍ୟବହାରକରି ଏସବୁକୁ ନିୟନ୍ତ୍ରଣ କରିହେବ। ଏଥିସହ ପ୍ରଦୂଷଣ ନିୟନ୍ତ୍ରଣ ଲାଗି କଡ଼ା ପଦକ୍ଷେପ ନିଆଯିବା ସହ ପରିଚାଳନାରେ ରାଜନୈତିକ ହସ୍ତକ୍ଷେପ ବନ୍ଦହେବା ଆବଶ୍ୟକ।
ଦିଲ୍ଲୀ ଆପଣଙ୍କ କର୍ମଭୂମି ହୋଇଥିବା ବେଳେ ଅନୁଗୁଳ ଆପଣଙ୍କ ଜନ୍ମମାଟି। ଓଡ଼ିଶା, ବିଶେଷକରି ଆପଣଙ୍କ ଜିଲ୍ଲାର ମାଟି-ପାଣି-ପବନ ବି ପ୍ରଦୂଷଣର ଶିକାର। ଏହାକୁ ନେଇ ଆପଣ ଚିନ୍ତିତ କି?
ଦେଖନ୍ତୁ, କୋଇଲା ଖଣି ଓ ଶିଳ୍ପ କାରଖାନା ଯୋଗୁଁ ଅନୁଗୁଳ ଜିଲ୍ଲା ବର୍ତ୍ତମାନ ପାଣି ଓ ପବନ ମଣିଷ ପାଇଁ କ୍ଷତିକାରକ ସ୍ତରରେ ପହଞ୍ଚିଗଲାଣି। ଶିଳ୍ପର ପାଉଁଶ ପୋଖରୀ, ଫ୍ଲୋରାଇଡ୍ ଓ କୋଇଲା ଖଣିର ପ୍ରଦୂଷଣ ପାଇଁ ସମଗ୍ର ଅନୁଗୁଳ ଜିଲ୍ଲା କ୍ରମେ ବିପଦ ମୁହଁକୁ ଚାଲିଯାଇଛି। ରାଜ୍ୟ ସରକାର, ଶିଳ୍ପ କାରଖାନାର ପରିଚାଳକ ଏବଂ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ଯୋଗଁୁ ଆମ ଅଞ୍ଚଳର ସାଧାରଣ ଲୋକଙ୍କ ଜୀବନଧାରଣରେ ସଂଗିନ ସମସ୍ୟା ସୃଷ୍ଟି ହୋଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅନୁଗୁଳ ଓ ତାଳଚେରର ବିଭିନ୍ନ ସ୍ଥାନରେ ପ୍ରଦୂଷଣ ଏଭଳି ସ୍ଥିତିରେ ପହଞ୍ଚିଲାଣି କି ବର୍ଷର ବିଭିନ୍ନ ସମୟରେ ଏଠାରେ କୃତ୍ରିମ ବର୍ଷା କରିବାର ଆବଶ୍ୟକତା ଅନୁଭୂତ ହେଲାଣି। କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଉତ୍ତମମାନର ଜଙ୍ଗଲ ସୃଷ୍ଟି ଲାଗି ଉଦ୍ୟମ ହେଉନାହିଁ। ଜମି, ଜଳାଶୟ, ଭୂତଳ ଜଳ ଓ ନଈନାଳକୁ ପ୍ରଦୂଷଣମୁକ୍ତ କରିବାକୁ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ସବୁକିଛି ଉପର ଠାଉରିଆ ଭାବରେ ଚାଲିଛି। ଏଥିପାଇଁ ଶିଳ୍ପ ଓ ଖଣିଖାଦନର ସିଏସ୍ଆର୍ ଫଣ୍ଡ୍ ବିନିଯୋଗ କରିବା ନିତାନ୍ତ ଆବଶ୍ୟକ।
ଶିଳ୍ପ ବର୍ଜ୍ୟ ଯୋଗୁଁ ଓଡ଼ିଶାର ବହୁ ନଦୀର ଜଳ ପ୍ରଦୂଷିତ ହେଉଛି। ଏହାର ନିରାକରଣ ଲାଗି ପ୍ରାଥମିକ ପଦକ୍ଷେପ କ’ଣ? ଏହାର ପ୍ରତିକାର ପାଇଁ ରାସାୟନିକ ପ୍ରକ୍ରିୟା ଅବଲମ୍ବନ କରାଯାଇ ପାରିବ?
କେବଳ ଆମ ରାଜ୍ୟ ନୁହେଁ, ପୂରା ଦେଶର ନଦୀ ଏହାର ଶିକାର। ଭାରତୀୟ ନଦୀଗୁଡ଼ିକର ଜଳ ପ୍ରଦୂଷଣ ମୂଳତଃ ଏହାର ଅବବାହିକାର ଭୂଗୋଳ ଓ ଭୂତତ୍ତ୍ବ ଦ୍ବାରା ହୋଇଥାଏ। ଯେପରିକି ଆର୍ସେନିକ୍, ଫ୍ଲୋରାଇଡ୍, ଲୌହ, ୟୁରାନିୟମ୍ ଓ ଲବଣାଂଶ ଭିନ୍ନ ଭିନ୍ନ ଅନୁପାତରେ ଥାଏ। ଏହା ବ୍ୟତୀତ ପ୍ରାକୃତିକ ତଥା ମନୁଷ୍ୟକୃତ କାରଣ ପାଇଁ ବ୍ୟାପକ ଅଞ୍ଚଳରେ ଜଳରେ ମାତ୍ରାଧିକ ନାଇଟ୍ରେଟ୍ ଦେଖାଯାଇଥାଏ। ଓଡ଼ିଶା ମଧ୍ୟ ଏଥିରୁ ମୁକ୍ତ ନୁହେଁ । ସ୍ଥାନୀୟ କୀଟନାଶକ, ଔଷଧୀୟ ଓ ଶିଳ୍ପ କାରଖାନାର ଦୂଷିତ ଜଳ ନଦୀରେ ମିଶି ପ୍ରଦୂଷଣ ହୋଇଥାଏ। ଏଥିଲାଗି ମୌଳିକ ବିଶୋଧନ ବ୍ୟତୀତ ଆକ୍ଟିଭେଟେଡ୍ କାର୍ବନ୍, ଆଡ୍ଭାନ୍ସ୍ଡ୍ ଅକ୍ସିଡେସନ୍ ସିଷ୍ଟମ୍, ଆୟନ୍ ଏକ୍ସଚେଞ୍ଜ୍ ଓ ନାନୋ ଟେକ୍ନୋଲୋଜି ପ୍ରୟୋଗକରି ଜଳକୁ ବିଶୋଧିତ କରାଯାଇ ପାରିବ।
ଭାରତରେ କୃଷି କ୍ଷେତ୍ରରୁ ପ୍ରଦୂଷଣ ବୃଦ୍ଧି ପାଉଛି? ତା’ କବଳରୁ ଜଳ ଓ ଜମିକୁ କିପରି ସୁରକ୍ଷିତ ରଖାଯାଇପାରିବ?
ଭାରତରେ କୃଷି କ୍ଷେତ୍ରରେ ବ୍ୟବହୃତ ସାର ଓ କୀଟନାଶକ ଯୋଗୁଁ ଜଳର ମାନ ଖରାପ ହୋଇଥାଏ। ପ୍ରଥମତଃ ସାର ଯୋଗୁଁ ଜଳ ଉତ୍ସରେ ଦଳ ପରିମାଣ ମାତ୍ରାଧିକ ବୃଦ୍ଧି ପାଇ ଅମ୍ଳଜାନ ପରିମାଣ ହ୍ରାସପାଏ। ଏହି ପ୍ରକ୍ରିୟାକୁ ‘ଇଉଟ୍ରୋଫିକେସନ୍’ କୁହାଯାଏ। ଇଉଟ୍ରୋଫିକେସନ୍ ଫଳରେ ଜଳଜୀବମାନେ କ୍ଷତିଗ୍ରସ୍ତ ହୁଅନ୍ତି, ଜଳର ପାନୀୟ ଉପଯୋଗିତା ହ୍ରାସପାଏ। ଏପରି ଅନେକ ଜଳାଧାର ଅଛି ଯେଉଁଠାରେ ପ୍ରଦୂଷଣ ଯୋଗୁଁ ଆଦୌ ଜଳଜୀବ ଦେଖାଯାଆନ୍ତି ନାହିଁ। ଏହା ଫଳରେ ଜୈବବିବିଧତାର ଦ୍ରୁତ ହ୍ରାସ ଘଟେ। ଏପରି ଜଳ ପ୍ରଦୂଷଣ ହ୍ରାସକରିବା ସକାଶେ କୃଷିକ୍ଷେତ୍ରରେ ଜୈବିକ ସାର ପ୍ରୟୋଗକୁ ପ୍ରୋତ୍ସାହିତ କରିବା ସହ ବଫର୍ ଷ୍ଟ୍ରିପ୍ ରଣନୀତି ଆପଣା ଯାଇପାରିବ। ସମନ୍ବିତ କୀଟ ପରିଚାଳନା ମାଧ୍ୟମରେ କୀଟର ଜୈବିକ ନିୟନ୍ତ୍ରଣ, କୀଟ ପ୍ରତିରୋଧୀ ଫସଲ କିସମକୁ ବିକଶିତ କରିବା ଏବଂ କୀଟନାଶକ ଭାର ହ୍ରାସ କରିବା ସକାଶେ ରାସାୟନିକ ପଦାର୍ଥର ନିୟନ୍ତ୍ରିତ ବ୍ୟବହାର ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ଜଳସେଚନ ମାଧ୍ୟମରେ ସାର ପ୍ରୟୋଗ, ଧୀରେ ଧୀରେ ମାଟିରେ ମିଶୁଥିବା ସାର ଓ ଜୈବିକ ସାରର ପ୍ରୟୋଗ (ଭର୍ମି କମ୍ପୋଷ୍ଟ୍) କରାଯିବା ବି ଜରୁରି।
ସୌଜନ୍ୟ ସମ୍ବାଦ
