Arunachal Pradesh: ଅରୁଣାଚଳ ପ୍ରଦେଶରେ ଶିଶୁ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ
ଅରୁଣାଚଳପ୍ରଦେଶର ନମସାଇରେ ପୁଲିସ ଏକ ଶିଶୁ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ କରିଛି। ୪୭ ଶିଶୁ ସମେତ ମୋଟ୍ ୫୧ ଜଣଙ୍କୁ ପୁଲିସ ଉଦ୍ଧାର କରିଛି। ଗରିବ ପରିବାରର ପିଲାମାନଙ୍କୁ ବେଆଇନ ଭାବେ ଚୋରାଚାଲାଣ କରି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ସହ ଏହି ମାମଲା ଜଡ଼ିତ।

ଇଟାନଗର : ଅରୁଣାଚଳପ୍ରଦେଶର ନମସାଇରେ ପୁଲିସ ଏକ ଶିଶୁ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ କରିଛି। ୪୭ ଶିଶୁ ସମେତ ମୋଟ୍ ୫୧ ଜଣଙ୍କୁ ପୁଲିସ ଉଦ୍ଧାର କରିଛି। ଗରିବ ପରିବାରର ପିଲାମାନଙ୍କୁ ବେଆଇନ ଭାବେ ଚୋରାଚାଲାଣ କରି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ସହ ଏହି ମାମଲା ଜଡ଼ିତ। ପୁଲିସ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିରନ୍ତର ତଦନ୍ତ, ଯାଞ୍ଚ ଏବଂ ମିଳିତ ଅପରେସନ୍ ଦ୍ବାରା ପ୍ରଥମ ପର୍ଯ୍ୟାୟରେ ୧୯ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଏହା ୩୮କୁ ବୃଦ୍ଧି ପାଇଲା ଏବଂ ଏବେ ଏହା ୫୧ରେ ପହଞ୍ଚିଛି। ଏଥିରେ ୪୭ ଜଣ ଶିଶୁ ଏବଂ ୪ ଜଣ ବୟସ୍କ ଲୋକ ଅଛନ୍ତି। ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।
ନମସାଇ ଏସ୍ପି ସାଙ୍ଗେ ଥିନ୍ଲେ କହିଛନ୍ତି, ନମସାଇ ଡିଏସ୍ପି ତଥା ତଦନ୍ତ ଅଫିସ୍ର କେଙ୍ଗୋ ଦିର୍ଚିଙ୍କ ନେତୃତ୍ବରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ନମସାଇ ଶିଶୁ କଲ୍ୟାଣ କମିଟି, ଚାଇଲ୍ଡ ହେଲ୍ପଲାଇନ ଏବଂ ଅନ୍ୟ ଶିଶୁ ସୁରକ୍ଷା ସଂସ୍ଥାର ମିଳିତ ସହଯୋଗରେ ଏହି ମାମଲାର ତଦନ୍ତ ହୋଇଛି। ଉଦ୍ଧାର ହୋଇଥିବା ଶିଶୁମାନଙ୍କର ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସଏସ)ର ଧାରା ୧୮୩ ଅଧୀନରେ ବୟାନ ରେକର୍ଡ କରାଯାଇଛି। ଥିନ୍ଲେ କହିଛନ୍ତି, ପୁଲିସ ଏହି ମାମଲାରେ ଆର୍ଥିକ କାରବାରକୁ ଭଲଭାବେଯାଞ୍ଚ କରୁଛି। ପୁଲିସ ନାବାଳକମାନଙ୍କ ବ୍ୟକ୍ତିଗତ ସୂଚନା ପ୍ରଦାନ କରିନାହିଁ। ସେମାନଙ୍କ ଗୋପନୀୟତା, ସମ୍ମାନ ଏବଂ ଅଧିକାରକୁ ସୁରକ୍ଷା ଦେବାପାଇଁ ପୁଲିସ ସେମାନଙ୍କ ସଂକ୍ରାନ୍ତରେ ବିଶେଷ ସୂଚନା ପ୍ରଦାନ କରିନାହିଁ। ଏହି ମାମଲାର ତଦନ୍ତ ଜାରି ରହିଛି ।
ସୌଜନ୍ୟ ସମ୍ବାଦ




