Attack: ବିଶ୍ୱଯୁଦ୍ଧ ସ୍ମୃତି ଦିବସ ପାଳନ ପୂର୍ବରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ବଡ଼ ଧରଣର ଆକ୍ରମଣ

ମସ୍କୋ: ମସ୍କୋ ମେ ୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମୃତି ଦିବସ ପାଳନ କରିବା ପାଇଁ ଦୁଇଦିନିଆ ଏକତରଫା ଅସ୍ତ୍ରବିରତି ଘୋଷଣା କରିଛି। କିନ୍ତୁ ତା’ ପୂର୍ବରୁ ଶୁକ୍ରବାର ରୁଷ୍ ଓ ୟୁକ୍ରେନ୍ ପରସ୍ପର ଉପରେ ବଡ଼ ଧରଣର ଆକ୍ରମଣ କରିଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନର ବାୟୁସେନା ଗତ ୨୪ ଘଣ୍ଟା ମଧ୍ୟରେ ୫୬ଟି ରୁଷୀୟ ଡ୍ରୋନ୍ ଖସାଇଦେଇଛି। ରୁଷ୍ ଅସ୍ତ୍ରବିରତି ପାଇଁ ସାମାନ୍ୟତମ ପ୍ରୟାସ ମଧ୍ୟ କରି ନାହିଁ। ତେଣୁ ୟୁକ୍ରେନ ଆଜି ଏହାର ଜବାବ ଦେବ। ଜେଲେନସ୍କି କହିଛନ୍ତି ଯେ ରୁଷ୍ ବିଭିନ୍ନ ପ୍ରକାରର ଡ୍ରୋନ୍ ସହିତ ୮୫୦ରୁ ଅଧିକ ଷ୍ଟ୍ରାଇକ୍ କରିବା ସହିତ କିବ୍ ଉପରେ ୧୪୦ରୁ ଅଧିକ ଷ୍ଟ୍ରାଇକ୍ କରିଛି।
ଅପରପକ୍ଷେ ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, କ୍ରେମଲିନର ଏକପାଖିଆ ଦୁଇ ଦିନିଆ ଅସ୍ତ୍ରବିରତିର ପ୍ରଥମ ଘଣ୍ଟାରେ ଗତରାତିରେ ୨୬୪ଟି ୟୁକ୍ରେନୀୟ ଡ୍ରୋନ୍ ଖସାଇ ଦିଆଯାଇଛି। ଭ୍ଲାଦିମିର ପୁଟିନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମେ ୯ କାର୍ଯ୍ୟକ୍ରମକୁ ୟୁକ୍ରେନ ଏକ ପ୍ରଚାରସର୍ବସ୍ବ କାର୍ଯ୍ୟକ୍ରମ କହି ଡ୍ରୋନ ମାଡ଼ କରିଛି ଏବଂ ରୁଷ୍ର ଅସ୍ଥାୟୀ ଯୁଦ୍ଧବିରତିକୁ ଉପହାସ କରିଛି। ରୁଷ୍ର ଅସ୍ତ୍ରବିରତି ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଜେଲେନସ୍କି ରୁଷ୍ର ସହଯୋଗୀମାନଙ୍କୁ ପରେଡରେ ଯୋଗ ନ ଦେବାକୁ ଚେତାବନୀ ଦେଇଥିଲେ। ଶେଷ ଦିନରେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣକୁ ଦ୍ୱିଗୁଣିତ କରିଥିବା ବେଳେ କିବ୍ ଏହାର ଜବାବ ଦେଇଛି।
ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ବାସିନ୍ଦା ଓ କୂଟନୀତିଜ୍ଞମାନଙ୍କୁ କିବ୍ ଛାଡିବାକୁ ଅନୁରୋଧ କରିଥିଲା। ଅସ୍ତ୍ରବିରତି ସମୟରେ ୟୁକ୍ରେନ ଆକ୍ରମଣ କଲେ ସମ୍ଭାବ୍ୟ ପ୍ରତିଶୋଧ ନିଆଯିବାର ଧମକ ଦେଇଥିଲା। ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହା ସମ୍ମୁଖ ଭାଗରେ ଗୁଳି ଚଳାଇବା ବନ୍ଦ କରିବ ଏବଂ ସାମରିକ ଭିତ୍ତିଭୂମି ଉପରେ ଦୀର୍ଘ ଦୂରଗାମୀ ଆକ୍ରମଣ ବନ୍ଦ କରିବ। ଯଦି ୟୁକ୍ରେନ୍ ଏହାକୁ ଅନୁସରଣ ନ କରେ, ତେବେ ମସ୍କୋ ଏହାର ଜବାବ ଦେବ। ରୁଷ୍ ପ୍ରତିବର୍ଷ ମେ ୯ରେ ରେଡ୍ ସ୍କୋୟାର ଦେଇ ଏକ ବିଶାଳ ସାମରିକ ପରେଡ୍ ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟ ଦିବସ ପାଳନ କରିଥାଏ।
ସୌଜନ୍ୟ ସମ୍ବାଦ




