Virus: ହଂତା ଭାଇରସ ବ୍ୟାପିଥିବା ଜାହାଜରେ ଦୁଇ ଭାରତୀୟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ କ୍ରୁଜ୍ ଜାହାଜ ଏମ୍‌ଭି ହୋଣ୍ଡିୟସରେ ୨ ଜଣ ଭାରତୀୟ ନାଗରିକ ଅଛନ୍ତି। ସେହି ଜାହାଜରେ ହଂତା ଭାଇରସ୍ ବ୍ୟାପିଛି। ବିବିସି ଅନୁଯାୟୀ, ଏପର୍ଯ୍ୟନ୍ତ ଜାହାଜରେ ହଂତା ଭାଇରସ୍ ସଂକ୍ରମଣର ପାଞ୍ଚଟି ମାମଲା ନିଶ୍ଚିତ ହୋଇଛି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି।

ଏଥି ସହିତ ନେଦରଲ୍ୟାଣ୍ଡର ଲିଡେନ୍ ୟୁନିଭର୍ସିଟି ମେଡିକାଲ୍ ସେଣ୍ଟରରେ ହଂତା ଭାଇରସ୍ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର କାରିନ୍ ଏଲେନ୍ ଭେଲ୍ଡକ୍ୟାମ୍ପ କହିଛନ୍ତି ଯେ ଏହି ଭାଇରସ୍ କରୋନା ପରି ନୁହେଁ। ହଂତା ଭାଇରସ୍ ମଣିଷରୁ ମଣିଷକୁ ବ୍ୟାପିବା ସହଜ ନୁହେଁ। ଏହାର ସଂକ୍ରମଣ କରୋନା ଭାଇରସ ପରି ଶୀଘ୍ର ହୁଏ ନାହିଁ। ହୁ କହିଛି ଯେ ଏହି ଘଟଣା ଗମ୍ଭୀର, କିନ୍ତୁ ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ବିପଦ କମ୍ ବୋଲି ବିବେଚନା କରାଯାଉଛି।

ଡାକ୍ତର କାରିନ୍ ଏଲେନ୍ ଭେଲ୍ଡକ୍ୟାମ୍ପ କହିଛନ୍ତି, ଏପରି କ୍ଷେତ୍ରରେ ସଂକ୍ରମିତ ରୋଗୀଙ୍କୁ ଏକ ପୃଥକ୍ ଆଇସୋଲେସନ ରୁମ୍‌ରେ ରଖାଯାଏ। ତାଲିମପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ଯତ୍ନ ନିଅନ୍ତି। ଲକ୍ଷଣ ଦେଖାଯିବା ପର୍ଯ୍ୟନ୍ତ ରୋଗୀଙ୍କୁ ଆଇସୋଲେସନରେ ରଖାଯାଏ। ଅବସ୍ଥା ସୁଧୁରିବା ପରେ ସେମାନଙ୍କର ପରୀକ୍ଷା କରାଯାଏ। ରିପୋର୍ଟ ନେଗେଟିଭ୍ ଆସିଲେ ଆଇସୋଲେସନକୁ ହଟାଇ ଦିଆଯାଇପାରେ। ହାର୍ଭାର୍ଡ ପ୍ରଫେସର ଆଲେନ କହିଛନ୍ତି ଯେ ହଂତା ଭାଇରସ୍ ଦ୍ୱାରା ସଂକ୍ରମିତ ଲୋକଙ୍କୁ ୪୦ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଏ।

ହୁ ଅନୁଯାୟୀ, ହଂତା ଭାଇରସ୍ ହେତୁ ତିନିଜଣଙ୍କ ମୃତ୍ୟୁ ମାମଲାରେ ଆଣ୍ଡିଜ୍ ଷ୍ଟ୍ରେନ୍ ସନ୍ଦେହ କରାଯାଉଛି, ଯାହା ମଣିଷ ମଧ୍ୟରେ ମଧ୍ୟ ବ୍ୟାପିପାରେ। ଆଣ୍ଡିଜ୍ ଷ୍ଟ୍ରେନ୍ ମୁଖ୍ୟତଃ ଦକ୍ଷିଣ ଆମେରିକାର ଆର୍ଜେଣ୍ଟିନା ଓ ଚିଲିରେ ଦେଖିବାକୁ ମିଳେ। ଆଣ୍ଡିଜ୍ ଷ୍ଟ୍ରେନ୍ ଅନ୍ୟ ହଂତା ଭାଇରସ୍‌ଠାରୁ ଭିନ୍ନ। ଏହା ସଂକ୍ରମିତ ମୂଷା କିମ୍ବା ସେମାନଙ୍କର ମଳତ୍ୟାଗ ଦ୍ୱାରା ବ୍ୟାପିଥାଏ, କିନ୍ତୁ କେତେକ କ୍ଷେତ୍ରରେ ଏହା ମଣିଷଠାରୁ ମଣିଷକୁ ମଧ୍ୟ ବ୍ୟାପିପାରେ। ତେବେ ଏହା କରୋନା ଭଳି ଦ୍ରୁତ ଗତିରେ ବ୍ୟାପେ ନାହିଁ।

ଭାରତ ପାଇଁ କୌଣସି ସ୍ୱାସ୍ଥ୍ୟ ବିପଦ ନାହିଁ: ଆଇସିଏମ୍ଆର୍

ଏକ କ୍ରୁଜ୍ ଜାହାଜରେ ଦୁଇ ଜଣ ଭାରତୀୟ ନାଗରିକ ହଂନ୍ତା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ ଆଶଙ୍କା ମଧ୍ୟରେ ଆଇସିଏମ୍ଆର୍‌ର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶକ ଡ. ନବୀନ କୁମାର ଶୁକ୍ରବାର କହିଛନ୍ତି ଯେ, ଭାରତ ପାଇଁ ତୁରନ୍ତ ଜନସ୍ୱାସ୍ଥ୍ୟ ପ୍ରତି କୌଣସି ବିପଦ ନାହିଁ। କୁମାର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ଭୂତାଣୁ ସଂକ୍ରମଣର କୌଣସି ପ୍ରମାଣ ନାହିଁ। ସେ କହିଛନ୍ତି ଯେ ହଂନ୍ତା ଭାଇରସ୍ ମୁଖ୍ୟତଃ ସଂକ୍ରମିତ ମୂଷା କିମ୍ବା ତା’ର ଲାଳ, ପରିସ୍ରା ଓ ମଳ ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷକୁ ସଂକ୍ରମିତ ହୁଏ। ଲୋକମାନେ ସାଧାରଣତଃ ଗୋଦାମ, ଜାହାଜ, ଖଳା ଓ ସଂରକ୍ଷଣ ଅଞ୍ଚଳ ପରି ବନ୍ଦ କିମ୍ବା ଖରାପ ବାୟୁ ଚଳାଚଳ କରୁଥିବା ସ୍ଥାନରେ ମୂଷାର ପରିସ୍ରା, ମଳ କିମ୍ବା ଲାଳର କଣିକା ପ୍ରଶ୍ବାସରେ ନେବା ଦ୍ୱାରା ସଂକ୍ରମିତ ହୁଅନ୍ତି। ସେ କହିଛନ୍ତି ଯେ ରିପୋର୍ଟ ହୋଇଥିବା ହଂନ୍ତା ଭାଇରସ୍ ମାମଲାଗୁଡ଼ିକ ନିର୍ଦ୍ଦଷ୍ଟ ସ୍ଥାନରେ ଘଟିଛି, ଭାରତରେ ଜନସ୍ୱାସ୍ଥ୍ୟ ପ୍ରତି ତୁରନ୍ତ ଏହାର କୌଣସି ବିପଦ ନାହିଁ। ଏକ କ୍ରୁଜ୍ ଜାହାଜରେ ଥିବା ଦୁଇଜଣ ଭାରତୀୟ ନାଗରିକ ହଂତା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ ତାଙ୍କ ମନ୍ତବ୍ୟ ଆସିଛି।

 

 

ସୌଜନ୍ୟ ସମ୍ବାଦ