
ସାଣ୍ଟା କ୍ଲାରା: ଫୁଟ୍ବଲ୍ ବିଶ୍ବକପ୍ରେ ଅଷ୍ଟ୍ରିଆ ବୁଧବାର ୩୬ ବର୍ଷ ପରେ ବିଜୟର ସ୍ବାଦ ପାଇଛି। ଏଠାରେ ଖେଳାଯାଇଥିବା ଗ୍ରୁପ୍-ଜେ ମ୍ୟାଚ୍ରେ ଏହି ଦଳ ୩-୧ ଗୋଲ୍ରେ ପଦାର୍ପଣକାରୀ ଜୋର୍ଡାନ୍କୁ ପରାସ୍ତକରିଛି। ୧୯୯୦ରେ ଆମେରିକାକୁ ହରାଇବା ପରେ ବିଶ୍ବକପ୍ରେ ଏହା ଥିଲା ଅଷ୍ଟ୍ରିଆର ପ୍ରଥମ ବିଜୟ।
ବିଶ୍ବକପ୍ରେ ଅଷ୍ଟ୍ରିଆର ପ୍ରଥମ ବିଜୟ
ଶେଷ ୬ ବିଶ୍ବକପ୍ ଖେଳି ନଥିବା ଅଷ୍ଟ୍ରିଆ ୨୧ତମ ମିନିଟ୍ରେ ଅଗ୍ରଣୀ ନେଇଥିଲା। ଜାଭର ଶ୍ଚଲାଗରଙ୍କ ପାସ୍ରେ ରୋମାନୋ ଶ୍ଚିମିଡ ଏହି ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧ ୧-୦ରେ ଶେଷ ହେବା ପରେ ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଜୋର୍ଡାନ୍ ଗୋଲ୍ଟି ଶୁଝି ସ୍ଥିତି ବରାବର କରି ଦେଇଥିଲା। ଜୋର୍ଡାନ ପାଇଁ ବିଶ୍ବକପ୍ର ଏହି ପ୍ରଥମ ଗୋଲ୍ଟି ଅଲୀ ଓଲ୍ୱାନ ଦେଇଥିଲେ। ୭୬ ମିନିଟ୍ରେ ଜୋର୍ଡାନର ୟାଜନ ଅଲ୍-ଆରବଙ୍କ ଆତ୍ମଘାତୀ ଗୋଲ୍ରେ ଅଷ୍ଟ୍ରିଆ ପୁଣି ଆଗୁଆ ହୋଇ ଯାଇଥିଲା। ଶେଷ ଇନ୍ଜୁରି ସମୟରେ ଅଷ୍ଟ୍ରିଆକୁ ମିଳିଥିବା ପେନାଲ୍ଟିକୁ ମାର୍କୋ ଅର୍ନାଉଟୋଭିକ୍ ଗୋଲ୍ରେ ପରିଣତ କରି ଦଳକୁ ୩-୧ରେ ବିଜୟ ଭେଟି ଦେଇଥିଲେ। ପରାଜୟ ସତ୍ତ୍ବେ ଜୋର୍ଡାନ୍ର ଅଲୀ ଓଲ୍ୱାନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସୌଜନ୍ୟ ସମ୍ବାଦ




