Bangladesh protests at ICJ: ରୋହିଙ୍ଗ୍ୟାଙ୍କୁ ବଙ୍ଗାଳୀ କୁହାଯିବା ନେଇ ଆଇସିଜେରେ ପ୍ରତିବାଦ କଲା ବାଂଲାଦେଶ

ବାଂଲାଦେଶ ସରକାର ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ମିଆଁମାରର ସାମ୍ପ୍ରତିକ ବୟାନ ଉପରେ କଡ଼ା ଆପତ୍ତି ଉଠାଇଛି। ରୋହିଙ୍ଗ୍ୟା ସମ୍ପ୍ରଦାୟକୁ ବେଆଇନ ବଙ୍ଗାଳୀ ପ୍ରବାସୀ ଭାବେ ଅଭିହିତ କରିବା ନେଇ ମିଆଁମାରର ପ୍ରୟାସକୁ ବାଂଲାଦେଶ ଐତିହାସିକ ତଥ୍ୟର ବିପରୀତ ବୋଲି କହିଛି।

ଢାକା: ବାଂଲାଦେଶ ସରକାର ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ମିଆଁମାରର ସାମ୍ପ୍ରତିକ ବୟାନ ଉପରେ କଡ଼ା ଆପତ୍ତି ଉଠାଇଛି। ରୋହିଙ୍ଗ୍ୟା ସମ୍ପ୍ରଦାୟକୁ ବେଆଇନ ବଙ୍ଗାଳୀ ପ୍ରବାସୀ ଭାବେ ଅଭିହିତ କରିବା ନେଇ ମିଆଁମାରର ପ୍ରୟାସକୁ ବାଂଲାଦେଶ ଐତିହାସିକ ତଥ୍ୟର ବିପରୀତ ବୋଲି କହିଛି। ଏହି ବିବାଦ ଆଇସିଜେରେ ରୋହିଙ୍ଗ୍ୟାଙ୍କ ପରିଚୟ ଅଧିକାରର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ମୋଡ଼ ବୋଲି କୁହାଯାଉଛି। ବାଂଲାଦେଶ କହିଛି, ମିଆଁମାରର ଏହି ଯୁକ୍ତି କେବଳ ନିଜ ଦେଶରେ ହେଉଥିବା ହିଂସାକୁ ଲୁଚାଇବା ପାଇଁ ଏକ ସୁଚିନ୍ତିତ ଯୋଜନା।

ବେଆଇନ ପ୍ରବାସୀ ଦାବିକୁ ଖଣ୍ଡନ

ମିଆଁମାର ରୋହିଙ୍ଗା ସମ୍ପ୍ରଦାୟକୁ ବଙ୍ଗାଳୀ ବୋଲି କହି ଅନ୍ତର୍ଜାତୀୟ ନ୍ୟାୟାଳୟରେ ବେଆଇନ ପ୍ରବାସୀ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରିଛି। ବାଂଲାଦେଶ ଏହି ଦାବିଗୁଡ଼ିକୁ ସଣ୍ଡନ କରି ଏକ ସରକାରୀ ବିବୃତ୍ତି ଜାରି କରିଛି। ଏହାକୁ ଏକ ଐତିହାସିକ ମିଥ୍ୟା ବୋଲି କହିଛି। ବାଂଲାଦେଶ କହିଛି ମିଆଁମାର ୨୦୧୭ ରେ ହୋଇଥିବା ଜାତିଗତ ନରସଂହାର ଓ ଅତ୍ୟାଚାର ଉପରୁ ବିଶ୍ୱର ଧ୍ୟାନ ହଟାଇବା ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରୁଛି।

ଐତିହାସିକ ମୂଳ ଓ ପରିଚୟ

ଐତିହାସିକ ପ୍ରମାଣରୁ ଜଣାପଡ଼େ ଯେ ରୋହିଙ୍ଗ୍ୟାମାନେ ମିଆଁମାରର ଆରାକାନ୍ ଅଞ୍ଚଳରେ ଶହ ଶହ ବର୍ଷ ଧରି ମୂଳତଃ ବାସ କରୁଥିବା ଏକ ସ୍ୱତନ୍ତ୍ର ଜାତିଗତ ଗୋଷ୍ଠୀ। ୧୭୮୫ ମସିହାରେ ବର୍ମା ସାମ୍ରାଜ୍ୟର ଉତ୍ଥାନ ପୂର୍ବରୁ ମଧ୍ୟ ସରକାରୀ ଦଲିଲରେ ସେମାନଙ୍କର ଉପସ୍ଥିତି ଓ ସାମାଜିକ ରୀତି ଲିପିବଦ୍ଧ ହୋଇଥିଲା। ରୋହିଙ୍ଗ୍ୟା ନାମଟି ପ୍ରକୃତରେ ଆରାକାନ୍‌ର ପୂର୍ବତନ ରାଜଧାନୀ ମରୋ ହାଙ୍ଗ ବା ରୋହାଙ୍ଗରୁ ଆସିଛି। ଯାହା ସେମାନଙ୍କର ପ୍ରାଚୀନ ଐତିହ୍ୟକୁ ଦର୍ଶାଇଥାଏ।

ଭାଷା ଓ ସାଂସ୍କୃତିକ ପାର୍ଥକ୍ୟ

ରୋହିଙ୍ଗ୍ୟା ସମ୍ପ୍ରଦାୟର ଭାଷାର ଚିଟାଗଙ୍ଗ ଉପଭାଷା ସହିତ କିଛି ସାମଞ୍ଜସ୍ୟ ରହିଛି। ତେବେ ସେମାନଙ୍କର ସଂସ୍କୃତି ଓ ପରମ୍ପରା ବଙ୍ଗାଳୀ ସମାଜଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସ୍ୱାଧୀନତା ପୂର୍ବରୁ ସେମାନେ ମିଆଁମାରର ରାଜନୀତି ଓ ସରକାରଙ୍କ ଏକ ସକ୍ରିୟ ତଥା ଅବିଚ୍ଛେଦ୍ୟ ଅଂଶ ଥିଲେ। ମିଆଁମାର ଏବେ ସେମାନଙ୍କୁ ସେମାନଙ୍କର ଐତିହାସିକ ଐତିହ୍ୟରୁ ପୃଥକ କରିବା ପାଇଁ ବଙ୍ଗାଳୀ ଭାବେ ଅଭିହିତ କରିବାର ଉଦ୍ୟମ କରୁଛି।

ନାଗରିକତା ଓ ଅଧିକାର ଛଡ଼ାଇ ନିଆଯାଇଛି

୧୯୮୨ ମସିହାର ବିବାଦୀୟ ନାଗରିକତା ଆଇନ ପୂର୍ବରୁ, ରୋହିଙ୍ଗ୍ୟା ସମ୍ପ୍ରଦାୟ ଦେଶରେ ପୂର୍ଣ୍ଣ ନାଗରିକତା ଅଧିକାର ଓ ଭୋଟ ଦେବାର ସ୍ୱାଧୀନତା ଉପଭୋଗ କରୁଥିଲେ। ୨୦୧୫ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଭୋଟ ଦେବାକୁ ଯୋଗ୍ୟ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ କ୍ରମାଗତ ଭାବରେ ରାଷ୍ଟ୍ରହୀନ କରିଦିଆଯାଇଥିଲା। ବାଂଲାଦେଶ ଅଭିଯୋଗ କରିଛି, ମିଆଁମାର ସେମାନଙ୍କୁ ଦେଶରୁ ତଡ଼ିବା ପାଇଁ ଜାତିଗତ-ଧାର୍ମିକ ଆଧାରରେ ବହୁ ଭେଦଭାବମୂଳକ ଆଇନ ପ୍ରଣୟନ କରିଛି।

ଅନ୍ତର୍ଜାତୀୟ ଚୁକ୍ତିନାମାର ଉଲ୍ଲଂଘନ

୧୯୭୮ ମସିହାର ଏକ ଦ୍ୱିପାକ୍ଷିକ ଚୁକ୍ତିନାମାରେ, ମିଆଁମାର ରୋହିଙ୍ଗ୍ୟାମାନଙ୍କୁ ବର୍ମାର ଆଇନଗତ ବାସିନ୍ଦା ଭାବରେ ସ୍ୱୀକୃତି ଦେଇଥିଲା । ସେମାନଙ୍କୁ ଅଧିକାର ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନ ମିଆଁମାର ନିଜର ପୂର୍ବ ଅନ୍ତର୍ଜାତୀୟ ପ୍ରତିଶ୍ରୁତି ଓ ୨୦୧୭-୧୮ ପ୍ରତ୍ୟର୍ପଣ ଚୁକ୍ତିନାମାର ଖୋଲାଖୋଲି ଉଲ୍ଲଂଘନ କରୁଛି। ସେମାନଙ୍କୁ ସୁରକ୍ଷା ଯୋଗାଇବାକୁ ମନା କରୁଛି। ଆଠ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ରୋହିଙ୍ଗ୍ୟାମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଦେଶରେ କୌଣସି ପରିବେଶ ସୃଷ୍ଟି ହୋଇନାହିଁ।

ଭିତ୍ତିହୀନ ଅଭିଯୋଗ ନେଇ ବିରୋଧ

ମିଆଁମାର ଦାବି କରିଛି, ୧୯୭୧ ମୁକ୍ତି ଯୁଦ୍ଧ ସମୟରେ ୫ ଲକ୍ଷ ବାଂଲାଦେଶୀ ଶରଣାର୍ଥୀ ବେଆଇନ ଭାବେ ରାଖାଇନ୍ ରାଜ୍ୟରେ ପ୍ରବେଶ କରିଥିଲେ। ବାଂଲାଦେଶ ଏହି ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। କାରଣ ମିଆଁମାର ଏହାକୁ ସମର୍ଥନ କରିବା ପାଇଁ କୌଣସି ଠୋସ୍ ପ୍ରମାଣପତ୍ର ପ୍ରଦାନ କରିପାରିନାହିଁ। ମିଆଁମାରର ଏହି ବିବୃତି କେବଳ ରୋହିଙ୍ଗ୍ୟାମାନଙ୍କୁ ସେମାନଙ୍କର ଆତ୍ମ-ପରିଚୟର ଅନ୍ତର୍ନିହିତ ଅଧିକାରରୁ ବଞ୍ଚିତ କରିବାର ଏକ ବିଫଳ ରାଜନୈତିକ ପ୍ରୟାସ ବୋଲି କୁହାଯାଉଛି।

ସୌଜନ୍ୟ ସମ୍ବାଦ

Exit mobile version