Berhampur Pickle : ବ୍ରହ୍ମପୁର ଆଚାର କେତେ ସୁରକ୍ଷିତ ? ଲେଖାହୁଏନି, ପାଟିରେ କହି ଦିଅନ୍ତି ଏକ୍ସପାଏରି ଡେଟ୍…

ବ୍ରହ୍ମପୁର, ୨୪/୮ : ସାରା ରାଜ୍ୟରେ ବ୍ରହ୍ମପୁର ଆଚାରର ନାଁ । ଦେଶବିଦେଶରେ ରହୁଥିବା ପରିଜନଙ୍କ ପାଇଁ ପଠାଯାଏ ଆଚାର । ସ୍ୱାଦ ଅନନ୍ୟ । ବଜାରରେ ୩୦ରୁ ଅଧିକ ପ୍ରକାରର ଆଚାର ବିକ୍ରି ହୁଏ । କେଉଁଠି ପ୍ୟାକିଂ ତ କେଉଁଠି ଖୋଲାରେ ବିକ୍ରି ହୁଏ । ବଜାରରେ ଅଧିକାଂଶ ଖାଦ୍ୟଦ୍ରବ୍ୟ ଅପମିଶ୍ରିତ ହେଉଥିବା ଅଭିଯୋଗ ହେଉଥିବାବେଳେ ଆଚାରର ଗୁଣମାନକୁ ନେଇ ଏବେ ପ୍ରଶ୍ନ ଉଠୁଛି । ପୁଣି ଆଚାରର ଏକ୍ସପାଇରି ତାରିଖ ବି କିଛି ରହୁନି । ପଚାରିଲେ ଦୋକାନୀ ମୁହଁରେ କହିଦିଅନ୍ତିଏହା ଛ’ମାସ ରହିବ ବା ବର୍ଷେ ରହିବ ।
ବ୍ରହ୍ମପୁର ବଜାରରେ ମାଳମାଳ ଆଚାର ଦୋକାନ । ବଡ଼ବଜାର, ଭାପୁର ବଜାର, କମାପଲ୍ଲୀ ଆଦି ସ୍ଥାନରେ ପ୍ରାୟ ୫୦ରୁ ଅଧିକ ଦୋକାନ ରହିଛି । ଏହା ସାଙ୍ଗକୁ ସହରର ପ୍ରମୁଖ ଛକ ଗୁଡ଼ିକରେ ବି ଦୋକାନ । ଆମ୍ବ, ଆମ୍ବସଡ଼ା, ଲେମ୍ବୁ, ପଣସ, ରସୁଣ, ଲାଲ ଲଙ୍କା, କଞ୍ଚା ଲଙ୍କା, ତେନ୍ତୁଳି, ବରକୋଳି, ଟମାଟୋ, କଇଥ, ଓଉ, ନବରତ୍ନ ଭଳି ଆଚାର ସହିତ ଚିଙ୍ଗୁଡ଼ି, ଚିକେନ୍ ଭଳି ଆମିଷ ଆଚାର ବି ବଜାରରେ ମିଳୁଛି । କିଲୋ ପ୍ରତି ୮୦ ଟଙ୍କାରୁ ଆରମ୍ଭ ହୋଇ ୬୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ଆଚାର ବିକ୍ରି ହେଉଛି । ତେବେ ଆଚାର କିଣିବାବେଳେ ଏହାର ପ୍ରସ୍ତୁତିରେ ପରିଚ୍ଛନ୍ନତା, ଗୁଣମାନ, କେତେଦିନ ଖରାପ ନହୋଇ ରହିବ- ଏଭଳି ପ୍ରଶ୍ନ ଗ୍ରାହକଙ୍କ ମନକୁ ଆସେ । ଆଚାର କିଣିବାକୁ ଆସିଥିବା ମ୍ରିନାଲ ମୁନମୁନ କହିଛନ୍ତି, ଖୋଲାରେ ରଖିଥିବା ଆଚାର ଦାମ କମ୍, କିନ୍ତୁ ହାଇଜେନିକ୍ ନାହିଁ । ଏକ୍ସପାଏରି ଡେଟ୍ ମଧ୍ୟ ନାହିଁ । ବର୍ଷା ପାଣି ଛିଟକି କରି ଆଚାର ବାଲଟିରେ ପଡୁଛି । ଏନେଇ ଫୁଡ୍ ସେଫଟି ବିଭାଗ ଗୁରୁତ୍ୱ ଦେଉ । ସୁବାସ ପଟ୍ଟନାୟକ କହିଛନ୍ତି, ଅନେକ ସମୟରେ ଭୁବନେଶ୍ୱର ଅଫିସକୁ ଯିବା ସମୟରେ ସହକର୍ମୀ ଓ ପରିଚିତ ବ୍ୟକ୍ତି ଆଚାର ନେଇ ଆସିବାକୁ କୁହନ୍ତି । ଆଚାର ଦେବା ସମୟରେ ଯେତେବେଳେ କେହି ମାନୁଫାକ୍ଚରିଂ, ଏକ୍ସପାଏରି ଡେଟ୍ ବିଷୟରେ ପଚାରିଲେ ଆମେ ଦ୍ୱନ୍ଦ୍ୱରେ ପଡ଼ିଯାଉ । ଏକ୍ସପାଏରି ଡେଟ୍ ଦୋକାନୀ ଲେଖନ୍ତିନି, ମୁହଁରେ କହିଦିଅନ୍ତି ।
ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡ଼ଙ୍ଗା କହିଛନ୍ତି, ବିଏମ୍ସି ପକ୍ଷରୁ ୪ଟି ୟୁନିଟ୍କୁ ଫୁଡ୍ ଲାଇସେନ୍ସ ଦିଆଯାଇଛି । ସମସ୍ତ ପ୍ୟାକିଂ ପ୍ରଡକ୍ଟସରେ ନିର୍ମାଣ ଓ ବ୍ୟବହାର ଯୋଗ୍ୟ ତାରିଖକୁ ବାଧ୍ୟତାମୂଳକ କରାଯାଇଛି । ଖୁଚୁରା ବିକୁଥିବା ବ୍ୟବସାୟୀ କେତେ ଦିନ ଭିତରେ ବ୍ୟବହାର କରିବେ ସେ ନେଇ ଗ୍ରାହକଙ୍କୁ ଜଣାଇବେ । ଏପରିକି ଆଚାରକୁ ସବୁବେଳେ ଘୋଡ଼ାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାହାର ପ୍ରସ୍ତୁତିକୁ ଧରି ନଷ୍ଟ ହେବାର ସମୟ ସ୍ଥିର ହୋଇଥାଏ । ସର୍ବାଧିକ ୧ ବର୍ଷ ପର୍ଯ୍ୟନ୍ତ ଆଚାର ବ୍ୟବହାର ଯୋଗ୍ୟ ହୋଇପାରିବ ।
ସୌଜନ୍ୟ ପ୍ରମେୟ




