ଜିଲ୍ଲା

ଟଙ୍କା ଜମାକୁ ୪ବର୍ଷ ବିତିଗଲାଣି, ବୋରୱେଲରେ ବିଦ୍ୟୁତ ସଂଯୋଗ ନାହିଁ

କେସିଙ୍ଗା, ୨୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ଉଠା ଜଳସେଚନ ନିଗମ ଲିମିଟେଡ଼ ଦାରା ଗଭୀର କୂପ ଖୋଲିବା ପାଇଁ ଗତ୨୦୨୨-୨୩ ମସିହାରେ ଚାଷୀମାନଙ୍କୁ ଆହ୍ବାନ କରିଥିଲେ। କେସିଙ୍ଗା ବ୍ଲକର ପ୍ରାୟ ଶତାଧିକ ଚାଷୀ ଗଭୀର କୂଅ ଖୋଲିବା ପାଇଁ ଗତ ୨୦୨୨-୨୩ ମସିହାରେ ଉଠା ଜଳସେଚନ ନିଗମ ନାମରେ ୨୦ହଜାର ଲେଖାଏଁ ବ୍ୟାଙ୍କ ଡ୍ରାଫ୍ଟ ପ୍ରସ୍ତୁତ କରି ଗଭୀର ନଳକୂପ ଖୋଲିବା ପାଇଁ ଡ୍ରାଫ୍ଟ ଜମା କରିଥିଲେ। କିନ୍ତୁ ଆଜକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିଲେ। ଏହିପରି ଘଟଣା ଘଟିଛି କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ପ୍ରାୟ ୫୦ଜଣ ଚାଷୀମାନେ ବ୍ୟାଙ୍କ ଡ୍ରାଫ୍ଟ ଜମା କରି ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି। ଚାଷୀ ମାନେ ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏମପି କଳାହାଣ୍ଡିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ବହୁବାର ଧରିତ୍ରୀ ଖବରରେ ପ୍ରକାଶିତ ହୋଇଥିଲା। ଚାଷୀମାନେ ଭବାନୀପାଟଣା ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଖବର ପ୍ରସାରଣ ପରେ ଓ ଚାଷୀଙ୍କ ଅଭିଯୋଗ ପରେ ଗତ ମାର୍ଚ୍ଚ ମାସରେ ବୋରୱେଲ ଖୋଲାଗଲା ଏବଂ ଯେଉଁମାନେ ସୋଲାର ପାଇଁ ଆବେଦନ କରିଥିଲେ ସେହି ଚାଷୀମାନଙ୍କ ସୋଲାର ସଂଯୋଗ କରାଯାଇଛି। କିନ୍ତୁ ଯେଉଁ ଚାଷୀମାନେ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରିଥିଲେ, ସେମାନଙ୍କୁ ଆଜକୁ ଚାରି ବର୍ଷ ବିତିଗଲାଣି ବିଦ୍ୟୁତ ସଂଯୋଗ ଦେଇ ନାହାନ୍ତି। ଗଭୀର କୂପରେ ବିଦ୍ୟୁତ ସଂଯୋଗ ପାଇଁ ଖମ୍ବା ଓ ଟ୍ରାନ୍ସଫର୍ମର ମଧ୍ୟ ସ୍ଥାପନ କରାଯାଇଛି। କିନ୍ତୁ ଆଜି ଯାଏ ଗଭୀର କୂପରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ଚାଷୀମାନେ ଅଳ୍ପ ବର୍ଷାରେ ଚାଷ କରିବାରେ ହନ୍ତସନ୍ତ ହେଉଛନ୍ତି। ଏହା ଓଡ଼ିଶା ଉଠା ଜଳସେଚନ ନିଗମ ଲିଃ ,ରାଜ୍ୟସରକାରଙ୍କ ଏକ ସଂସ୍ଥା। ବାଲସି ଗ୍ରାମର ଗୋଷ୍ଠୀ ଉଠା ଜଳସେଚନ ଦ୍ୱାରା ୭ଜଣଙ୍କୁ ନେଇ ଏହି ପ୍ରକଳ୍ପ ଗଠିତ ହୋଇ ଅଛି। ବାଲସି ଗ୍ରାମର ଜଣେ ଚାଷୀଙ୍କ ଜମି ନିକଟରେ ଟ୍ରାନ୍ସଫର୍ମର ସ୍ଥାପନ ହୋଇ ପମ୍ପ ହାଉସ ଯାଏ ତାର ଟଣା ସରିଛି। କିନ୍ତୁ ଠିକା ଏଜେନ୍ସି ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ମନ ମୁଖୀ ଯୋଗୁ ଚାଷୀମାନେ ହଇରାଣ ହେଉଛନ୍ତି। ଏ ସଂକ୍ରାନ୍ତରେ ଉଠା ଜଳସେଚନ ନିଗମ ଲିଃ ଭବାନୀପାଟଣା କନିଷ୍ଠ ଯନ୍ତ୍ରୀ ଶାନ୍ତନୁ ମାଝୀଙ୍କୁ ପଚାରିବାରୁ ବର୍ଷା ଛାଡ଼ିଲେ ବିଦ୍ୟୁତ ସଂଯୋଗ ଦିଆ ଯିବ ବୋଲି ପ୍ରକାଶ କରିଥିଲେ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button