Bhadrak: ଉବୁଟୁବୁ ଭଦ୍ରକ: ୩.୩୯ ଲକ୍ଷ ଲୋକ ପ୍ରଭାବିତ, ୭୨ ପଞ୍ଚାୟତର ୩୨୨ ଗାଁ’ରେ ପଶିଲା ପାଣି
ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ ବନ୍ୟାଜଳ ମାଡ଼ିଆସିବା ଫଳରେ ବୈତରଣୀ, ସାଳନ୍ଦୀ, ଗମେଇ, କାଂଶବାଂଶ, ରେବ-କପାଳି ଓ ଗେଙ୍ଗୁଟି ଉଛୁଳିଛି।

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ ବନ୍ୟାଜଳ ମାଡ଼ିଆସିବା ଫଳରେ ବୈତରଣୀ, ସାଳନ୍ଦୀ, ଗମେଇ, କାଂଶବାଂଶ, ରେବ-କପାଳି ଓ ଗେଙ୍ଗୁଟି ଉଛୁଳିଛି। ବର୍ତ୍ତମାନ ଉଭୟ ବୈତରଣୀ ଓ ସାଳନ୍ଦୀର ଜଳସ୍ତର ବିପଦ ସଙ୍କେତଠାରୁ ଢେର୍ ଉପରେ ରହିଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟର ଡେଇଁ ୨୦.୪୩ ମିଟରରେ ଏବଂ ରାଜଘାଟଠାରେ ସାଳନ୍ଦୀ ବିପଦ ସଙ୍କେତ ୧୭ ମିଟର ଡେଇଁ ୧୮.୭୦ ମିଟରରେ ପ୍ରବାହିତ ହେଉଛି। ବନ୍ୟାରେ ଭଦ୍ରକ ଜିଲ୍ଲାର ପ୍ରାୟ ୫୫ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ୭୨ଟି ପଞ୍ଚାୟତର ୩୨୨ଟି ଗାଁ’ର ୩ ଲକ୍ଷ ୩୯ ହଜାର ୭୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ପୌରପାଳିକା ଓ ଧୂଷୁରୀ ଏନ୍ଏସିର ୧୩ଟି ୱାର୍ଡରେ ମଧ୍ୟ ବନ୍ୟାପାଣି ପ୍ରବେଶ କରିଛି।
ସୂଚନା ଅନୁସାରେ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ତିହିଡ଼ି ବ୍ଲକ୍ର କିଛି ଅଞ୍ଚଳ ବୈତରଣୀ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ସାଳନ୍ଦୀ ନଦୀରେ ବନ୍ୟା ଯୋଗୁଁ ବନ୍ତ, ଭଦ୍ରକ ବ୍ଲକ୍, ଭଦ୍ରକ ସହର ଓ ତିହିଡ଼ି ବ୍ଲକ୍ ସହ ଚାନ୍ଦବାଲି ବ୍ଲକ୍ର କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ଗମେଇ ଓ କାଂଶବାଂଶ ବନ୍ୟା ଯୋଗୁଁ ବାସୁଦେବପୁର ବ୍ଲକ୍, ରେବ-କପାଳି ଓ ଗେଙ୍ଗୁଟିରେ ବନ୍ୟା ଯୋଗୁଁ ବନ୍ତ ଓ ଧାମନଗର ବ୍ଲକ୍ର କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଧାମନଗର ବ୍ଲକ୍ର ୧୭ଟି ପଞ୍ଚାୟତ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ର ୫ଟି ପଞ୍ଚାୟତର ଲୋକେ ପାଣିଘେରରେ ରହିଛନ୍ତି। ଭଦ୍ରକ ବ୍ଲକ୍ର ବାଉଦପୁର, ଗେଲପୁର ସହ ଭଦ୍ରକ ପୌରପାଳିକାର ୨୬, ୨୭, ୨୮, ୨୯ ନମ୍ବର ୱାର୍ଡରେ ବନ୍ୟାପାଣି ପଶିଛି। ୭ ନମ୍ବର ୱାର୍ଡର ଗବସାହି ଓ ଜେନାସାହି ଭାସୁଛି। ଧୂଷୁରୀ ଏନ୍ଏସିରେ ଅନେକ ଲୋକଙ୍କ ଘରେ ପାଣି ପଶିଛି। ଧାମନଗର ବ୍ଲକ୍ର ଷେଣ୍ଢପୁର ସେତୁ ବୁଡ଼ିବା ଫଳରେ ଧାମନଗର-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭଦ୍ରକର ବାଉଦପୁର-ସାଳନ୍ଦୀ ସେତୁ ମଧ୍ୟ ବୁଡ଼ିଯାଇଛି।
ସୌଜନ୍ୟ ସମ୍ବାଦ




