Rain: ଅବିଶ୍ରାନ୍ତ ବର୍ଷା: ପଶ୍ଚିମ ଓଡ଼ିଶା ବେହାଲ୍, ଇବ୍, ଜିରାରେ ବନ୍ୟା
ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ ୪ ଦିନ ହେଲା ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର, ବରଗଡ଼, ଦେବଗଡ଼ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ୨ ଦିନ ଧରି ବନ୍ଦ ରହିଛି।

ସମ୍ବଲପୁର/ବରଗଡ଼/ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ ୪ ଦିନ ହେଲା ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର, ବରଗଡ଼, ଦେବଗଡ଼ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ୨ ଦିନ ଧରି ବନ୍ଦ ରହିଛି। ଇବ୍ ଓ ଜିରା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ବର୍ଷା ଓ ବନ୍ୟା କାରଣରୁ ଛୋଟମୋଟ ଅଘଟଣ ଘଟିଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ମାଦଳିଆ ଗ୍ରାମର ପାହାଡ଼ି ନାଳରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ର ପିତାପାଲି ଗ୍ରାମରେ କାନ୍ଥ ଧସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଦେଇ ପ୍ରବାହିତ ହେଉଥିବା ମହାନଦୀର ପ୍ରମୁଖ ଉପନଦୀ ଇବ୍ରେ ଜଳସ୍ତର ବୃଦ୍ଧି ପାଇବାରୁ ଜିଲ୍ଲାର ସର୍ବପୁରାତନ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଫଳରେ ପୂଜାନୀତି ବାଧାପ୍ରାପ୍ତ ହେବା ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। ବୁଧବାର ବରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ବରଗଡ଼ ସହରରେ ୧୯୭ ମିଲିମିଟର ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସହର ତଳି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି। ଏହାକୁ ନେଇ ଲୋକେ ରାସ୍ତାରୋକ କରିଥିଲେ। ଜିରାନଦୀରେ ବନ୍ୟା ଆସି ନିର୍ମାଣାଧୀନ ରିଂରୋଡ୍ ବୁଡ଼ିଯାଇଛି। ଜିଲ୍ଲାର ଅନେକ ସ୍ଥାନରେ ଘର ଭାଙ୍ଗିଛି।
ବହୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍ଗୁଡ଼ିକ ମଧ୍ୟରୁ ବିଜେପୁରରେ ସର୍ବାଧିକ ୩୧୫ ମିମି ବର୍ଷା ହୋଇଛି। ବନ୍ୟାରେ ଭାସିଯିବାବେଳେ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେହିପରି ନଦୀମଧ୍ୟରେ ଥିବା ପମ୍ପ ହାଉସ୍ରେ ପାଣି ଘେରରେ ରହି ଯାଇଥିବା ୨ ଜଣ କର୍ମଚାରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଜିଲ୍ଲାର ଅନେକ ସ୍ଥାନରେ ପିଚୁ, ମୋରମ୍ ଓ ମାଟି ରାସ୍ତା ବର୍ଷାରେ ଧୋଇଯାଇ ଯାତାୟାତ ବିପଦପୂର୍ଣ୍ଣ ହୋଇଛି। ଗତ ୪ ଦିନର ବର୍ଷାରେ ସମ୍ବଲପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବୁଧବାର ବି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିଲା। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଘରଗୁଡ଼ିକ ଭାଙ୍ଗିବାର ଚିତ୍ର ସାମନାକୁ ଆସୁଛି। ତଳି ଅଞ୍ଚଳରୁ ପାଣି ଛାଡ଼ୁନି।
ସୌଜନ୍ୟ ସମ୍ବାଦ




