Bhadrak College: ଅବ୍ୟବସ୍ଥାରେ ଭଦ୍ରକ ମହାବିଦ୍ୟାଳୟ: ପଢ଼ୁଛନ୍ତି ୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ଉତ୍ତର ଓଡ଼ିଶାର ପ୍ରମୁଖ ତଥା ପୁରାତନ ମହାବିଦ୍ୟାଳୟ ଭିତରୁ ଭଦ୍ରକ ମହାବିଦ୍ୟାଳୟ ଅନ୍ୟତମ। ଏଠାରେ ୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଅତିଥି ଅଧ୍ୟାପକଙ୍କ ଦ୍ବାରା ପାଠପଢ଼ା ଚାଲିଛି।

ହରିହର ନାୟକ

ଭଦ୍ରକ: ଉତ୍ତର ଓଡ଼ିଶାର ପ୍ରମୁଖ ତଥା ପୁରାତନ ମହାବିଦ୍ୟାଳୟ ଭିତରୁ ଭଦ୍ରକ ମହାବିଦ୍ୟାଳୟ ଅନ୍ୟତମ। ଏଠାରେ ୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଅତିଥି ଅଧ୍ୟାପକଙ୍କ ଦ୍ବାରା ପାଠପଢ଼ା ଚାଲିଛି। ସରକାର ଏହାକୁ ନା ବିଶ୍ବବିଦ୍ୟାଳୟ ମାନ୍ୟତା ଦେଲେ ନା ବିକାଶ କଲେ। ଏ ନେଇ ଜିଲ୍ଲାରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ଭଦ୍ରକ ମହାବିଦ୍ୟାଳୟକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭଦ୍ରକ ମାଟିର ବରପୁତ୍ର ଉତ୍କଳ କେଶରୀ ଡକ୍ତର ହରେକୃଷ୍ଠ ମହତାବ ଏକ ପଲ୍ଲୀଶ୍ରୀ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ୧୯୯୩ ମସିହାରେ ଏହି ମହାବିଦ୍ୟାଳୟ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଲା।

ପଢ଼ୁଛନ୍ତି ୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ
ଅତିଥି ଅଧ୍ୟାପକଙ୍କ ଦ୍ବାରା ପାଠପଢ଼ା
ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲା ନା ବିକାଶ ହେଲା

ଓଡ଼ିଶାର ପ୍ରସିଦ୍ଧ ଓ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ଭାବରେ ଘୋଷଣା କରିବା ପାଇଁ ୨୫ ବର୍ଷରୁ ଅଧିକ ସମୟଧରି ଭଦ୍ରକର ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଛାତ୍ରଛାତ୍ରୀ ଦାବି କରି ଧାରଣା, ଧର୍ମଘଟ କରିଥିଲେ। ମାତ୍ର, ଏହି ମହାବିଦ୍ୟାଳୟ ଏବେ ଅବହେଳିତ ହୋଇରହିଛି। ମହାବିଦ୍ୟାଳୟର ଗୋଟିଏ ପରିସରରେ ଯୁକ୍ତଦୁଇଠାରୁ ଆରମ୍ଭକରି ସ୍ନାତକୋତ୍ତର ଯାଏଁ ଚାଲିଛି ପାଠପଢ଼ା। ଏହି କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ରେ ଅନେକ ଅଧ୍ୟାପକ ପଦ ଖାଲି ଥିବାବେଳେ ଅତିଥି ଅଧ୍ୟାପକଙ୍କୁ ନେଇ ଚାଲିଛି ପାଠପଢ଼ା।

ଦିନଥିଲା ଏହି କଲେଜର ନାଁ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଏଠାରେ ପଢ଼ିବା ପାଇଁ ନାମ ଲେଖାଉଥିଲେ। ହେଲେ ଏବେ ସେ ଶିକ୍ଷା ବାତାବରଣ ନାହିଁ। ବର୍ତ୍ତମାନ ଏହି କଲେଜରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୨୫୬୦ ଛାତ୍ରଛାତ୍ରୀ ପଢୁଛନ୍ତି। କ୍ୟାମ୍ପସ୍‌ରେ ଇଗ୍ନୋ ପାଠ୍ୟକ୍ରମରେ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ସେହିପରି ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ, ସମ୍ବଲପୁରର ଏକ ଶାଖା  ମହାବିଦ୍ୟାଳୟ ପରିସରରେ ଚାଲିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନିକଟରେ ରାଜ୍ୟ ସରକାର କେତେକ ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା‌ ହେବ ବୋଲି ଘୋଷଣା କରିଛନ୍ତି। ମାତ୍ର, ଭଦ୍ରକକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଘୋଷଣା କରାଯାଇନାହିଁ। ଏପରି ସ୍ଥିତିରେ ଭଦ୍ରକ ମହାବିଦ୍ୟାଳୟ ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version