ଭୁବନେଶ୍ବର: ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ। ତାହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ୍-ପୁରୀ ରେଳ ସେକ୍ସନରେ ଡବଲ୍ ଡିଷ୍ଟାଣ୍ଟ ସିଗ୍ନାଲିଙ୍ଗ(ଡିଡିଏସ୍) କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍କୁ ଇତି ମଧ୍ୟରେ ଅଟୋ ସିଗନାଲିଂ ହୋଇସାରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୬ ଜାନୁଆରି ସୁଦ୍ଧା କାର୍ଯ୍ୟ ଶେଷ ପରେ ଟ୍ରେନ୍ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚାଲିପାରିବ। ଏହା ଦ୍ବାରା ଟ୍ରେନ୍ ଯାତ୍ରା ସମୟ ହ୍ରାସ ପାଇବ। ସମୟାନୁବର୍ତ୍ତିତାରେ ଉନ୍ନତି ଆସିବା ସହ ଯାତ୍ରୀଙ୍କ ସୁବିଧା ମଧ୍ୟ ବୃଦ୍ଧି ପାଇବ।

