ଜାତୀୟ

Billionaire Club Expands: ବଢୁଛି ଭାରତର ବିଲିୟନେୟାର କ୍ଲବ୍, ୫ ବର୍ଷରେ ଅରବପତିଙ୍କ ସଂଖ୍ୟା ୪ ଗୁଣା

ନୂଆଦିଲ୍ଲୀ, ୨୮/୦୭ : ଚଉଡ଼ା ହେଉଛି ଦେଶର ଅରବପତି କ୍ଲବ । ଧନକୁବେରଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି । ସୋମବାର ସଂସଦରେ ଜାରି ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ଲୋକସଭା ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୨୫ ୨୬ ହିସାବ ବର୍ଷରେ ପ୍ରାୟ ୫୭୬ ବ୍ୟକ୍ତିବିଶେଷ ସେମାନଙ୍କ ଆୟକର ରିଟର୍ଣ୍ଣ (ଆଇଟିଆର୍)ରେ ମୋଟ ୧୦୦ କୋଟି ଟଙ୍କା କିମ୍ବା ତଦ୍ଦୁଦ୍ଧ୍ୱର୍ ଆୟ ଦର୍ଶାଇଛନ୍ତି । ପୂର୍ବବର୍ଷ ତୁଳନାରେ ଏହା ୩୯% ଅଧିକ ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକ ସଭାରେ ଲିଖିତ ଆକାରରେ ସୂଚନା ଦେଇଛନ୍ତି, ୨୦୨୫-୨୬ ଆସେସ୍‌ମେଣ୍ଟ ବର୍ଷ ଆଇଟିଆର୍ରେ ୧୦୦ କୋଟି କିମ୍ବା ଅଧିକ ଆୟ ଦର୍ଶାଇଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୫୭୬ରେ ପହଞ୍ଚିଛି । ଏହା ୨୦୨୧-୨୨ରେ ଥିଲା ୧୪୨ । ଉକ୍ତ ହିସାବରେ ୫ ବର୍ଷରେ ଟଙ୍କା ବିଲିୟନେୟାରଙ୍କ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇଛି । ଶ୍ରୀ ଚୌଧୁରୀ ଆହୁରି କହିଛନ୍ତି ଯେ, ଆୟକର ଆଇନ-୨୦୨୫ କିମ୍ବା ଆୟକର ଆଇନ-୧୯୬୧ ଅଧୀନରେ ବିଲିୟନେୟାର ବା ଅରବପତି ଶବ୍ଦର କୌଣସି ବୈଧାନିକ ପରିଭାଷା ନାହିଁ ।

୨୦୨୨-୨୩ରେ ୧୦୦ କୋଟି ଏବଂ ତଦ୍ଦୁର୍ଦ୍ଧ ଆୟ ବର୍ଗରେ ୩୦୧ ବ୍ୟକ୍ତିବିଶେଷ ଥିଲେ । ୨୦୨୩-୨୪ରେ ଏହା ୨୮୪କୁ ଖସିବା ପରେ ୨୦୨୪-୨୫ରେ ୪୧୫କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ଏହା ୫୦୦ ପାର୍ କରିଯାଇଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୨୨ରେ ୧୫ ବର୍ଷ ଏବଂ ତଦ୍ଦୁଦ୍ଧ୍ୱର୍ ବୟସ ବର୍ଗରେ ବେକାରି ହାର ଥିଲା ୩.୬% । ଏହା ୨୦୨୫ରେ ୩.୧%କୁ ହ୍ରାସ ପାଇଛି ।

ମନ୍ତ୍ରୀଙ୍କ କହିବାନୁସାରେ, ଆୟ ଏବଂ ସମ୍ପତ୍ତି ଅସମାନତାକୁ ହ୍ରାସ କରି ନିଯୁକ୍ତି ସୃଷ୍ଟି ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ରହିଛି ଏକ ପ୍ରଗତିଶୀଳ ଆୟକର ଢାଞ୍ଚା ଏବଂ ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ଗୃହ ନିର୍ମାଣ ଏବଂ ସାମାଜିକ ସୁରକ୍ଷାରେ ଅଧିକ ବ୍ୟୟବରାଦ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button