ପ୍ରଭାତ କୁମାର ମହାପାତ୍ର
ଛାନ୍ଦୋଗ୍ୟ ଉପନିଷଦରେ ଗୁରୁଦେବ ପ୍ରଜାପତି ଓ ଶିଷ୍ୟ ଇନ୍ଦ୍ରଙ୍କ ମଧ୍ୟରେ କଥୋପକଥନ ଅବସରରେ ପ୍ରଜାପତି ଇନ୍ଦ୍ରଙ୍କୁ ମନୁଷ୍ୟର ଅସଲ ଆତ୍ମସତ୍ତା ବା ‘ଆତ୍ମନ୍’ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି। ସେ ଚାରିଗୋଟି ସ୍ତର ଦେଇ ଆତ୍ମସତ୍ତାର ସଂଜ୍ଞା ନିରୂପଣ କରିବା ପୂର୍ବରୁ ତାହାର ସାଧାରଣ ଚରିତ୍ରର ଯେଉଁ ବର୍ଣ୍ଣନା କରିଛନ୍ତି, ତାହା ହେଉଛି ଏହିପରି: ଆତ୍ମସତ୍ତାକୁ ପାପ ସ୍ପର୍ଶ କରି ନ ଥାଏ, ବାର୍ଦ୍ଧକ୍ୟ ସ୍ପର୍ଶ କରି ନ ଥାଏ, ମୃତ୍ୟୁ କିମ୍ବା ଦୁଃଖ ସ୍ପର୍ଶ କରି ନ ଥାଏ, କ୍ଷୁଧା ଓ ତୃଷ୍ଣା ସ୍ପର୍ଶ କରି ନ ଥାଏ ଏବଂ ତା’ର କୌଣସି କାମନା ନ ଥାଏ।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ବୈଦିକ ବିଚାରରେ ଆତ୍ମସତ୍ତା ବା ଆତ୍ମନ୍ର କୌଣସି ସ୍ବତନ୍ତ୍ର ସ୍ଥିତି ନ ଥାଏ, ତାହା ହେଉଛି ‘ବ୍ରହ୍ମନ୍’ର ଅଂଶ, ଯିଏ ହେଉଛି ଏକ ଏକକ ବିଶ୍ବସତ୍ତା। ‘ତତ୍ ତ୍ବମ୍ ଅସି’। ଆତ୍ମନ୍ ହେଉଛି ବ୍ରହ୍ମନ୍, ବ୍ରହ୍ମନ୍ ହେଉଛି ଆତ୍ମନ୍। ଆମେ ଯାହାକୁ ଆମର ଏକାନ୍ତ ନିଜର ସତ୍ତା ବୋଲି ବିଶ୍ବାସ କରିଥାଉ, ତାହା ହେଉଛି କେବଳ ଏକ ମାୟା ବା ଭେଳିକି ମାତ୍ର। ମନୁଷ୍ୟ ସେତିକିବେଳେ ମୋକ୍ଷ ଲାଭ କରିଥାଏ, ଯେତେବେଳେ ସେ ନିଜର ସ୍ବତନ୍ତ୍ର ସତ୍ତା ସମ୍ବନ୍ଧରେ ଥିବା ଭ୍ରାନ୍ତ ଧାରଣାରେ ଅନ୍ତ ଘଟାଇ ବ୍ରହ୍ମନ୍ରେ ଲୀନ ହୋଇ ଯାଇଥାଏ। ଏଇ ସମୟରେ ବ୍ୟକ୍ତି ନିଜର ଆତ୍ମସତ୍ତା ବା ଅସ୍ମିତାକୁ ସଂପୂର୍ଣ୍ଣ ରୂପେ ପରିତ୍ୟାଗ କରିଥାଏ। କିନ୍ତୁ ଏହା ମଧ୍ୟ ହେଉଛି ଏକ ଭେଳିକି, କାରଣ ମୂଳରୁ ଆତ୍ମସତ୍ତା ବୋଲି କିଛି ନ ଥିବାରୁ, ବ୍ୟକ୍ତି ପରିତ୍ୟାଗ କରିବ କ’ଣ ବା କାହାକୁ?
ସମଗ୍ର ପାରମ୍ପରିକ ଭାରତୀୟ ଦର୍ଶନରେ ଏହି ଆତ୍ମସତ୍ତାଶୂନ୍ୟତା ଚିନ୍ତାଧାରା ପ୍ରତିଫଳିତ ହୋଇଥିବା ବେଳେ କପିଳ ମୁନି ପ୍ରବର୍ତ୍ତିତ ସାଂଖ୍ୟ ଦର୍ଶନରେ ଏହାର ଯେଉଁ ଚରମ ପରିପ୍ରକାଶ ଘଟିଥାଏ, ଏଇ ଉକ୍ତିଟି ତା’ର ସ୍ବାକ୍ଷର ବହନ କରିଥାଏ: ‘ନାସ୍ମି ନ ମେ ନାହମ୍’। ଏଇ ଉକ୍ତିଟି ବହନ କରୁଥିବା ସତ୍ୟ ହେଉଛି: ‘ମୋର ଅସ୍ତିତ୍ବ ନାହିଁ, କିଛି ବି ମୋର ନୁହେଁ, ମୁଁ କେହି ନୁହେଁ।’
ସନାତନ ହିନ୍ଦୁଧର୍ମର ଏଇ ଉପନିଷଦୀୟ ଦର୍ଶନ ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇ ଗୌତମ ବୁଦ୍ଧ ଯେଉଁ ଅନୁରୂପ ଧାରଣାର ସୃଷ୍ଟି ଓ ପ୍ରସାର ଘଟାଇଥିଲେ, ତାହା ମୂଳ ପାଲି ଭାଷାରେ ‘ଅନତ୍ତା’ ରୂପେ ସୁପରିଚିତ, ସଂସ୍କୃତରେ ଯାହା ହେଉଛି ‘ଅନାତ୍ମନ୍’। ବୁଦ୍ଧ ତାଙ୍କର ଏକ ପ୍ରସିଦ୍ଧ ପ୍ରବଚନରେ ବର୍ଣ୍ଣନା କରିଥିବା ଏଇ ଅନାତ୍ମନ୍ ଧାରଣା ଅନୁସାରେ ‘ରୂପ’, ‘ବେଦନା’, ‘ସଂଜ୍ଞା’, ‘ସଂସ୍କାର’ ଓ ‘ବିଜ୍ଞାନ’ ଭଳି ପାଞ୍ଚଗୋଟି ‘ସ୍କନ୍ଧ’ମାନଙ୍କର ସମାହାର ହୋଇଥିବା ଜଣେ ମନୁଷ୍ୟର ଏଇ ସ୍କନ୍ଧମାନଙ୍କୁ ଅତିକ୍ରମ କରି ‘ଆତ୍ମସତ୍ତା’ ବୋଲି କିଛି ନ ଥାଏ।
ଏଇ ଧାରଣାକୁ ପ୍ରାଞ୍ଜଳ ଭାବରେ ବୁଝାଇ ଦିଆଯାଇଛି ପ୍ରସିଦ୍ଧ ବୌଦ୍ଧଗ୍ରନ୍ଥ ‘ମିଳିନ୍ଦପହ୍ନ’ (‘ମିଳିନ୍ଦପ୍ରଶ୍ନ’)ରେ, ଯେଉଁଥିରେ ଭିକ୍ଷୁ ନାଗସେନ ଯବନ ରାଜା ମିଳିନ୍ଦ (ଗ୍ରୀକ୍ ନାମ- ମିନାଣ୍ଡର୍)ଙ୍କୁ ଏକ ରଥର ଉଦାହରଣ ସାହାଯ୍ୟରେ ‘ଅନତ୍ତା’ର ମର୍ମ ବୁଝାଇଛନ୍ତି। ନାଗସେନ କହିଛନ୍ତି ଯେଉଁଭଳି ବିଭିନ୍ନ ଅଂଶ (ଚକ, ଅଖ, ବାହୁ, ଶିଖର…)ମାନଙ୍କର ସମଷ୍ଟିରେ ନିର୍ମିତ ରଥର ଏଇ ଅଂଶମାନଙ୍କର ସମଷ୍ଟି ବ୍ୟତୀତ ଅନ୍ୟ କୌଣସି ସତ୍ତା ନ ଥାଏ, ଜଣେ ମନୁଷ୍ୟର ଉପରୋକ୍ତ ସ୍କନ୍ଧମାନଙ୍କର ସମଷ୍ଟି ବ୍ୟତୀତ ଅନ୍ୟ କୌଣସି ଆତ୍ମସତ୍ତା ନ ଥାଏ।
ଉପରେ ପ୍ରଦତ୍ତ ବର୍ଣ୍ଣନାମାନଙ୍କରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା, ଭାରତୀୟ ଦର୍ଶନରେ ବ୍ୟକ୍ତିର କୌଣସି ଆତ୍ମସତ୍ତାର ଉପସ୍ଥିତିକୁ ସ୍ବୀକାର କରାଯାଇ ନାହିଁ। ତେଣୁ ଏଥିରୁ ସ୍ବାଭାବିକ ଭାବରେ ଯେଉଁ ଏକ ସିଦ୍ଧାନ୍ତ ଆହରଣ କରାଯାଇ ପାରିବ, ତାହା ହେଲା, ଭାରତୀୟ ଦର୍ଶନରେ ଆତ୍ମସ୍ବାର୍ଥର ସ୍ଥାନ ନାହିଁ, କାରଣ, ଯାହାର ସତ୍ତା ନ ଥାଏ, ତାହାର ସ୍ବାର୍ଥ ଆସିବ କେଉଁଆଡୁ?
ସାଧାରଣତଃ ଏକ ଭ୍ରମାତ୍ମକ ଧାରଣା ବଳବତ୍ତର ଥିବା ଦେଖାଯାଇଥାଏ େଯ ଏଭଳି ଦାର୍ଶନିକ ବିଚାରମାନ କେବଳ ଶାସ୍ତ୍ରପୁରାଣ ମଧ୍ୟରେ ଆବଦ୍ଧ ହୋଇ ରହିଥାଏ, ଯାହାର ଦୈନନ୍ଦିନ ଜୀବନଯାପନ ସହିତ କୌଣସି ସଂପର୍କ ନ ଥାଏ। କିନ୍ତୁ ବାସ୍ତବରେ ଉଭୟଙ୍କ ମଧ୍ୟରେ ସଂପର୍କ ହେଉଛି ଘନିଷ୍ଠ। ଏକ ସଂସ୍କୃତି ତା’ର ଦାର୍ଶନିକମାନଙ୍କର ଚିନ୍ତାଧାରା ଦ୍ବାରା ପ୍ରଭାବିତ ଓ ପରିପୁଷ୍ଟ ହୋଇ ରୂପ ପରିଗ୍ରହଣ କରିଥାଏ। ଊନବିଂଶ-ବିଂଶ ଶତାବ୍ଦୀର ପ୍ରସିଦ୍ଧ ଅଷ୍ଟ୍ରୀୟ-ଜର୍ମାନ୍ ଗଣିତଜ୍ଞ-ଦାର୍ଶନିକ ଏଡମଣ୍ଡ୍ ହୁସର୍ଲ ପ୍ରଥମେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପରେ ମରିସ୍ ମର୍ଲ୍ୟୁପଣ୍ଟି ଓ ସିମନ୍ ଡି ବିଭ୍ବା ଆଦିଙ୍କ ଭଳି ଖ୍ୟାତନାମା ଫରାସୀ ଦାର୍ଶନିକମାନେ ବିସ୍ତୃତ ଆଲୋଚନା କରିଥିବା ଏହି ପ୍ରକ୍ରିୟାକୁ ଅଧଃକ୍ଷେପଣ (ସେଡିମେଣ୍ଟେସନ୍) ରୂପେ ନାମିତ କରାଯାଇଥାଏ।
ଏହା ଅନୁସାରେ ସଂସ୍କୃତିର ଭିତ୍ତି ହେଉଛି ଏକ ପ୍ରବହମାନ ସ୍ରୋତର ଶଯ୍ୟା ଭଳି। ଏକ ନଦୀର ସ୍ରୋତରେ ଭାସମାନ ପଦାର୍ଥମାନଙ୍କର ଅଧଃକ୍ଷେପଣ ଘଟି ଚାଲି ତା’ର ଶଯ୍ୟା ନିର୍ମିତ ଓ ଦୃଢ଼ୀଭୂତ ହୋଇଥିବା ଭଳି ଏକ ପ୍ରବହମାନ ସଂସ୍କୃତିରେ ତା’ର ଦାର୍ଶନିକମାନଙ୍କର ଚିନ୍ତାଧାରା ସବୁର ଅଧଃକ୍ଷେପଣ ଘଟି ତା’ର ମୂଳଭିତ୍ତି ସଦୃଶ ଶଯ୍ୟା ନିର୍ମିତ ହୋଇଥାଏ। ଏଇ ମୂଳଭିତ୍ତି ଉପରେ ହିଁ ସେଇ ସଂସ୍କୃତିରେ ଅନୁସୃତ ମୂଲ୍ୟବୋଧ, ବିଶ୍ବାସ ଆଦି ପ୍ରତିଷ୍ଠିତ ହୋଇଥାଏ। ପାରମ୍ପରିକ ଭାରତୀୟ ଦର୍ଶନରେ ଯେହେତୁ ଆତ୍ମସ୍ବାର୍ଥକୁ ତୁଚ୍ଛ କରାଯାଇଥାଏ, ପାରମ୍ପରିକ ଭାରତୀୟ ମୂଲ୍ୟବୋଧରେ ମଧ୍ୟ ତେଣୁ ତାହା ପ୍ରତିଫଳିତ ହୋଇ ଆସିଥିଲା। ସେଇ କାରଣରୁ ସର୍ବଦା କୁହାଯାଇଥିବା ଭଳି ପ୍ରାଚୀନ କାଳରୁ ଭାରତ ଅତୁଳନୀୟ ଆଧ୍ୟାତ୍ମିକ ପ୍ରଗତି ହାସଲ କରିଥିବା ବେଳେ ବସ୍ତୁବାଦୀ ପ୍ରଗତି ପ୍ରତି ସର୍ବଦା ଉଦାସୀନ ରହି ଆସିଥିଲା। କାରଣ ବସ୍ତୁବାଦୀ ପ୍ରଗତି ବା ବିତ୍ତାଶ୍ରୟୀ ପ୍ରଗତି ହେଉଛି ଆତ୍ମସ୍ବାର୍ଥଭିତ୍ତିକ ପ୍ରଗତି। ଆତ୍ମସତ୍ତାକୁ ସ୍ବୀକାର କରୁ ନ ଥିବା ଏକ ସଂସ୍କୃତି ଆତ୍ମସ୍ବାର୍ଥକୁ ଅନୁଧାବନ କରନ୍ତା କିପରି?
ଏହା ତେଣୁ ଏକ ଆମୋଦ ମିଶା ଆଶ୍ଚର୍ଯ୍ୟ ସୃଷ୍ଟି କରିଥାଏ ସେଇ ଭାରତର ସନ୍ତାନମାନେ ଏବେ ଗର୍ବ କରୁଛନ୍ତି ଯେ ସେମାନଙ୍କର ଦେଶ ବର୍ତ୍ତମାନ ସେଇ ବିତ୍ତାଶ୍ରୟୀ ପ୍ରଗତି ହାସଲ ଦୌଡ଼ରେ ଦ୍ରୁତତମ ଧାବକ ସାଜି ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇ ସାରିଲାଣି ଓ ଅନତି ବିଳମ୍ବେ ଏକ ବିକଶିତ ଦେଶରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖ ଅନାବଶ୍ୟକ, ଏଇ ବିକାଶ ଅବଶ୍ୟ ଆଧ୍ୟାତ୍ମିକ ବିକାଶ ନୁହେଁ, ଏହା ହେଉଛି ପାର୍ଥିବ ସଂପଦ ଆକାରରେ ବିକାଶ, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିର ସଂପଦରେ ବୃଦ୍ଧି ଘଟିବା ସହିତ ସମଗ୍ର ଦେଶର ସଂପଦରେ ମଧ୍ୟ ବୃଦ୍ଧି ସାଧିତ ହେବ। ଆଉ ଏଇ ବିକାଶ ହାସଲ କରିବା ପାଇଁ ଯେଉଁ ପନ୍ଥା ଅବଲମ୍ବନ କରାଯାଉଛି, ତାହା ହେଉଛି ଭାରତୀୟ ଦର୍ଶନ ପ୍ରଦର୍ଶିତ ଉପରୋକ୍ତ ଆତ୍ମସ୍ବାର୍ଥ-ନାକଚକାରୀ ମାର୍ଗର ସଂପୂର୍ଣ୍ଣ ବିପରୀତ: ସର୍ବାଧିକ ସମ୍ଭବ ଆତ୍ମସ୍ବାର୍ଥ ଅନୁଧାବନ ଦ୍ବାରା ଉଭୟ ବ୍ୟକ୍ତି ଓ ରାଷ୍ଟ୍ରର ସର୍ବାଧିକ ସମୃଦ୍ଧି ସାଧନ।
ସାଧାରଣତଃ ଆତ୍ମସ୍ବାର୍ଥ ଓ ସମୂହସ୍ବାର୍ଥକୁ ପରସ୍ପରର ପରିପନ୍ଥୀ ବୋଲି ବିଚାର କରାଯାଉ ଥିବାରୁ ଏହା ଏକ ଉଦ୍ଭଟ ବା ଅସଂଗତ ପନ୍ଥା ଭଳି ମନେ ହୋଇପାରେ। କିନ୍ତୁ ସତ କଥା ହେଲା ଆଜି କେବଳ ଭାରତ ନୁହେଁ, ପୃଥିବୀର ଯେଉଁ ବି ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ ହୋଇପାରିଛି, ତାହା ଏଇ ଆତ୍ମସ୍ବାର୍ଥ-ଅନୁଧାବନ ମାର୍ଗ ଅନୁସରଣ ଦ୍ବାରା ହିଁ ସମ୍ଭବ ହୋଇଛି।
ଆଜିକୁ ଠିକ୍ ଅଢ଼େଇ ଶହ ବର୍ଷ ତଳେ ଯେଉଁ ଜଣେ ଦାର୍ଶନିକ ସର୍ବପ୍ରଥମେ ଏଇ ଅସମ୍ଭବ ମନେ ହେଉଥିବା ଯାଦୁକରୀ ମାର୍ଗର ପରିକଳ୍ପନା କରିଥିଲେ, ସେ ସ୍ବାଭାବିକ ଭାବରେ କୌଣସି ଭାରତୀୟ ଦାର୍ଶନିକ ନ ଥିଲେ, ସେ ହେଲେ ସ୍କଟିସ୍ ଦାର୍ଶନିକ ଆଡାମ୍ ସ୍ମିଥ୍। ୧୭୭୬ରେ ପ୍ରକାଶିତ ଅର୍ଥଶାସ୍ତ୍ରର ସର୍ବପ୍ରଥମ ବିଧିବଦ୍ଧ ପୁସ୍ତକ ରୂପେ ବିବେଚିତ ତାଙ୍କର ପୁସ୍ତକ ‘ଆନ୍ ଇନ୍କ୍ବାରି ଇନ୍ଟୁ ଦି ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦି ୱେଲ୍ଥ ଅଫ୍ ନେସନ୍ସ’ (‘ରାଷ୍ଟ୍ରମାନଙ୍କର ସଂପଦର ଚରିତ୍ର ଓ କାରଣମାନ ସମ୍ବନ୍ଧରେ ଏକ ଅନୁସନ୍ଧାନ’) ବା ସଂକ୍ଷେପରେ ‘ଦି ୱେଲ୍ଥ ଅଫ୍ ନେସନ୍ସ’ରେ ସ୍ମିଥ୍ ସର୍ବପ୍ରଥମେ ଦର୍ଶାଇଥିଲେ ଯେ ଏକ ଅବାଧ ବଜାର ଅର୍ଥନୀତିର ପରିକଳ୍ପନା କରାଯାଇ ପାରିବ, ଯେଉଁଥିରେ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଅାତ୍ମସ୍ବାର୍ଥ ଅନୁଧାବନ କରିଥାଏ, ସେତେବେଳେ ସମଗ୍ର ସମାଜର ସମୂହ ସ୍ବାର୍ଥ ମଧ୍ୟ ସାଧିତ ହୋଇଥାଏ।
ସ୍ବାର୍ଥାନ୍ବେଷୀ ବ୍ୟକ୍ତିମାନଙ୍କର ଆଚରଣକୁ ସାମାଜିକ ହିତ ସାଧନ ଉଦ୍ଦେଶ୍ୟରେ ନିୟନ୍ତ୍ରଣ କରିବା ନିମିତ୍ତ କୌଣସି କେନ୍ଦ୍ରୀୟ ଯୋଜନା କିମ୍ବା ସାମାଜିକ ଶୃଙ୍ଖଳାର ଅନୁପସ୍ଥିତିରେ କେଉଁ ଅଦୃଶ୍ୟ ଶକ୍ତି ଦ୍ବାରା ଏଇ ଅସମ୍ଭବ ସମ୍ଭବ ହୋଇଥାଏ? ଏଇ ଶକ୍ତିର ନାମକରଣ କରିବା ପାଇଁ ସ୍ମିଥ୍ ଯାହାର ସାହାଯ୍ୟ ନେଇଥିଲେ, ତାହା ଅର୍ଥଶାସ୍ତ୍ର ନୁହେଁ, ତାହା ଥିଲା- ସାହିତ୍ୟ। ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ; କାରଣ ସ୍ମିଥ୍ ତାଙ୍କର ସେଇ ପୁସ୍ତକ ରଚନା କରିବା ସମୟରେ ଅର୍ଥଶାସ୍ତ୍ର ବୋଲି କୌଣସି ଶାସ୍ତ୍ରର ଆବିର୍ଭାବ ଘଟି ନ ଥିଲା ଓ ସେ ନିଜକୁ ଜଣେ ନୀତିଶାସ୍ତ୍ରୀୟ ଦାର୍ଶନିକ ତଥା ସାହିତ୍ୟିକ ବିଦ୍ବାନ ରୂପେ ଦେଖୁଥିଲେ। ସେ ଇଂରେଜୀ ସାହିତ୍ୟର ଅାନୁଷ୍ଠାନିକ ଅଧ୍ୟୟନ ଆରମ୍ଭ କରାଯିବାରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ଲିଖନ କଳା ଓ ବାକ୍ପଟୁତା (ରେଟରିକ୍) ଆଦି ବିଷୟରେ ମଧ୍ୟ ଶିକ୍ଷାଦାନ କରୁଥିଲେ।
ସ୍ମିଥ୍ଙ୍କର ତେଣୁ ସ୍ବାଭାବିକ ଭାବରେ ସେକ୍ସପିଅର୍ଙ୍କର ରଚନାବଳୀ ସହିତ ପ୍ରଗାଢ଼ ପରିଚିତି ଥିଲା (ସ୍ମିଥ୍ ଜନ୍ମ ଲାଭ କରିଥିଲେ ସେକ୍ସପିଅର୍ଙ୍କର ରଚନାବଳୀ ସମ୍ବଳିତ ‘ଫାଷ୍ଟ ଫଲିଓ’ ପ୍ରକାଶ ପାଇବାର ଠିକ୍ ଏକ ଶହ ବର୍ଷ ପରେ)। ସେକ୍ସପିଅର୍ଙ୍କର ଯେଉଁ ନାଟକରେ ଉପରୋକ୍ତ ନାମକରଣ ନିମିତ୍ତ ସ୍ମିଥ୍ଙ୍କ ମନକୁ ପାଇବା ଭଳି ଏକ ରୂପକ ମିଳିଗଲା, ତାହା ହେଉଛି ତାଙ୍କର ଆଲୌକିକ ନାଟକ- ‘ମାକ୍ବେଥ୍’। ଏଇ ନାଟକର ତୃତୀୟ ଅଙ୍କ, ଦ୍ବିତୀୟ ଦୃଶ୍ୟରେ ସ୍କଟ୍ଲାଣ୍ଡ୍ର ରାଜା ମାକ୍ବେଥ୍ ତାଙ୍କର ବନ୍ଧୁ ବାଙ୍କୋଙ୍କୁ ହତ୍ୟା କରିବା ପୂର୍ବରୁ ରାତ୍ରିର ଅନ୍ଧକାରର ‘ରକ୍ତବୋଳା ଅଦୃଶ୍ୟ ହାତ’କୁ ଆହ୍ବାନ କରି କହିଛନ୍ତି ଯେ ସିଏ ତାଙ୍କର ମନକୁ ଦୁର୍ବଳ କରୁଥିବା ମାନବିକତା ଓ ବିବେକ ସହିତ ତାଙ୍କର ବନ୍ଧନକୁ କାଟି ଖିନ୍ଭିନ୍ କରିଦେଉ(‘‘ଆଣ୍ଡ୍ ଉଇଥ୍ ଦାଏ ବ୍ଲଡି ଆଣ୍ଡ୍ ଇନ୍ଭିଜିବ୍ଲ ହାଣ୍ଡ୍ / କ୍ୟାନ୍ସେଲ୍ ଆଣ୍ଡ୍ ଟିଅର୍ ଟୁ ପିସେସ୍ / ଦ୍ୟାଟ୍ ଗ୍ରେଟ୍ ବଣ୍ଡ୍ ହୁଇଚ୍ କିପ୍ସ ମି ପେଲ୍!’’)। ମାକ୍ବେଥ୍ଙ୍କର ଏଇ ସଂଳାପରୁ ଏକ ବଜାର ଅର୍ଥନୀତିର ଅଦୃଶ୍ୟ ନିୟନ୍ତ୍ରକର ପ୍ରତିନିଧିତ୍ବ କରିବା ପାଇଁ ସ୍ମିଥ୍ଙ୍କୁ ଯେଉଁ ରୂପକଟି ମିଳିଗଲା, ତାହା ହେଉଛି- ‘ଇନ୍ଭିଜିବ୍ଲ ହାଣ୍ଡ୍’ ବା ‘ଅଦୃଶ୍ୟ ହାତ’ (‘ୱେଲ୍ଥ ଅଫ୍ ନେସନ୍ସ’ରେ ସ୍ମିଥ୍ ଥରଟିଏ ମାତ୍ର ଏଇ ରୂପକର ବ୍ୟବହାର କରିଥିଲେ ହେଁ, ଏହା ଅର୍ଥଶାସ୍ତ୍ରର ସମଗ୍ର ଇତିହାସରେ ବ୍ୟବହୃତ ପ୍ରସିଦ୍ଧତମ ରୂପକରେ ପରିଣତ ହୋଇସାରିଛି)। ଲକ୍ଷ୍ୟ କରିବା କଥା ଏଇ ରୂପକଟିକୁ ବ୍ୟବହାର କରିବା ବେଳେ ସ୍ମିଥ୍ ସେଥିରୁ ଦୁଇଟି ମଧ୍ୟରୁ ଗୋଟିଏ ବିଶେଷଣକୁ ବାଦ୍ ଦେଇଛନ୍ତି- ହାତଟି ହେଉଛି କେବଳ ‘ଅଦୃଶ୍ୟ’, ‘ରକ୍ତବୋଳା’ ନୁହେଁ।
ଏଇ ଅଦୃଶ୍ୟ ହାତ ହେଉଛି କାହାର ହାତ? ସ୍ମିଥ୍ଙ୍କ ଦ୍ବାରା ବର୍ଣ୍ଣିତ ବଜାର ନିୟମ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ଏହାର ପରିଚୟ ସ୍ପଷ୍ଟ ହୋଇଥାଏ। ଏହା ଅନୁସାରେ ଏକ ଅର୍ଥନୀତିରେ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସ୍ବାର୍ଥ ଅର୍ଥାତ୍ ଆତ୍ମସ୍ବାର୍ଥ ଦ୍ବାରା ପରିଚାଳିତ ହୋଇଥାନ୍ତି, ସେମାନଙ୍କ ମଧ୍ୟରେ ତୀବ୍ର ତଥା ପୂର୍ଣ୍ଣ ପ୍ରତିଯୋଗିତାର ଆବିର୍ଭାବ ଘଟିଥାଏ। ଏଥିଯୋଗୁଁ ଉତ୍ପାଦନକାରୀମାନେ ସେଇ ଦ୍ରବ୍ୟ ଓ ସେବାମାନ ଉତ୍ପାଦନ କରିଥାନ୍ତି, ଯେଉଁଥି ପ୍ରତି ସମାଜରେ ଚାହିଦା ଥାଏ; ସେଇ ପରିମାଣରେ ଉତ୍ପାଦନ କରିଥାନ୍ତି, ଯେତିକି ସମାଜ ଚାହିଁଥାଏ; ସେଇ ମୂଲ୍ୟରେ ବିକ୍ରୟ କରିଥାନ୍ତି, ଯାହା ସମାଜ ପ୍ରଦାନ କରିବାକୁ ପ୍ରସ୍ତୁତ ଥାଏ। ଅର୍ଥାତ୍ ପ୍ରତିଯୋଗିତା ଆତ୍ମସ୍ବାର୍ଥକୁ ଲଗାମ ଦେଇ ତାକୁ ଉଚିତ ମାର୍ଗରେ ପରିଚାଳିତ କରିଥାଏ।
ଏଭଳି ବଜାରରେ ଉଭୟ କ୍ରେତା ଓ ବିକ୍ରେତାଙ୍କ ସଂଖ୍ୟା ବିଶାଳ ହୋଇଥାଏ। କୌଣସି ଏକ ବିକ୍ରେତା ଯଦି ଲୋଭର ବଶବର୍ତ୍ତୀ ହୋଇ ଚଢ଼ା ଦରରେ ବିକ୍ରି କରିବାକୁ ଚେଷ୍ଟା କରେ, ତା’ର ସମସ୍ତ ଗ୍ରାହକ ତାକୁ ଛାଡ଼ି ତା’ର ପ୍ରତିଯୋଗୀମାନଙ୍କ ପାଖକୁ ଚାଲିଯିବେ; ଯଦି କୌଣସି ଉତ୍ପାଦନକାରୀ ନିଜର ଲାଭରେ ବୃଦ୍ଧି ଘଟାଇବା ପାଇଁ ଶ୍ରମିକମାନଙ୍କୁ ଦେଉଥିବା ପାରିଶ୍ରମିକରେ ହ୍ରାସ ଘଟାଏ, ତେବେ ତା’ର ସମସ୍ତ କର୍ମଚାରୀ ତାକୁ ଛାଡ଼ି ତା’ର ପ୍ରତିଦ୍ବନ୍ଦ୍ବୀମାନଙ୍କ ପାଖକୁ ଚାଲିଯିବେ। ତେଣୁ ଏଭଳି ଅର୍ଥନୀତିରେ ସମସ୍ତେ ଆତ୍ମସ୍ବାର୍ଥ ଦ୍ବାରା ପରିଚାଳିତ ହୋଇଥିଲେ ହେଁ, କେହି କାହାରିକୁ ଶୋଷଣ କରି ପାରି ନ ଥାଏ; ପ୍ରତିଦ୍ବନ୍ଦ୍ବିତାର ଅଦୃଶ୍ୟ ହାତ କାହାରିକୁ ବିପଥଗାମୀ ହେବାକୁ ନ ଦେଇ ସାମାଜିକ ସମନ୍ବୟ ରକ୍ଷା କରିଥାଏ; ଏହି ଅଦୃଶ୍ୟ ହାତରେ ମଇଳା ଲାଗି ନ ଥାଏ।
କିନ୍ତୁ ଯଦି ଏକ ଅର୍ଥନୀତିରେ ପ୍ରତିଯୋଗିତାର ଅବକ୍ଷୟ ଘଟି ଏକଚାଟିଆ ଶକ୍ତିର ଆବିର୍ଭାବ ଘଟେ, ତାହା ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଥାଏ ସତ, କିନ୍ତୁ ଏଥିସହିତ ତାହା କିପରି ସମାଜରେ ଆୟ ଓ ସଂପଦର ବିଷମ ବଣ୍ଟନ, ଶୋଷଣ, ଦାରିଦ୍ର୍ୟ ଓ ସାମାଜିକ ଅସ୍ଥିରତାକୁ ଜନ୍ମ ଦେଇଥାଏ, ଭାରତରେ ଆମେ ହେଉଛୁ ତାହାର ପ୍ରତ୍ୟକ୍ଷଦର୍ଶୀ। ପ୍ରତିଯୋଗିତାର ଅଭାବ ଆଡାମ୍ ସ୍ମିଥ୍ଙ୍କର ‘ଅଦୃଶ୍ୟ ହାତ’ରେ ଆଉ ଏକ ବିଶେଷଣ ଯୋଡ଼ି ଦେଇ ତାହାକୁ ମାକ୍ବେଥ୍ଙ୍କର ‘ଅଦୃଶ୍ୟ ରକ୍ତବୋଳା ହାତ’ରେ ପରିଣତ କରି ଦେଇଥାଏ।
ସ୍ମିଥ୍ଙ୍କର ଏହି ଆବିଷ୍କାରର ଅଢ଼େଇ ଶତାବ୍ଦୀ ପୂର୍ତ୍ତି ଅବସରରେ ଭାରତର ନୀତିନିର୍ଦ୍ଧାରକମାନେ ଆଜି ଏହାକୁ ମନେ ରଖି ଦେଶରେ ଏକଚାଟିଆ ଶକ୍ତିର ଆବିର୍ଭାବକୁ ପ୍ରତିହତ ଓ ପ୍ରତିଯୋଗିତାକୁ ପରିପୁଷ୍ଟ କରିବାକୁ କାର୍ଯ୍ୟ କରିବେ ବୋଲି ଆଶା କରାଯାଏ। ତାହାହିଁ ହେବ ଆମକୁ ପାର୍ଥିବ ପ୍ରଗତିର ବାଟ ଦେଖାଇଥିବା ଅର୍ଥଶାସ୍ତ୍ରର ଏହି ଜନକଙ୍କ ପ୍ରତି ଆମର ଉଚିତ କୃତଜ୍ଞତା ଓ ସମ୍ମାନ ପ୍ରଦର୍ଶନ।
(୨୦୨୬ରେ ଅର୍ଥଶାସ୍ତ୍ରର ସର୍ବପ୍ରଥମ ଗ୍ରନ୍ଥ ପ୍ରକାଶ ପାଇବାର ୨୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ)
(ମତାମତ ଲେଖକଙ୍କ ନିଜସ୍ବ)
୫୨-ଏ, ଶିବନଗର, ଟଙ୍କପାଣିରୋଡ଼, ଭୁବନେଶ୍ବର
ମୋ: ୭୯୭୮୪୮୩୯୫୧
ସୌଜନ୍ୟ ସମ୍ବାଦ
