ହିପୋକ୍ରିଟସଙ୍କ ଶପଥ ନେଇଥିବା ଅସଂଖ୍ୟ ଚିକିତ୍ସା ବିଶେଷଜ୍ଞ ‘ୟୁଥାନାସିଆ’କୁ ସର୍ବଶେଷ ଆଶ୍ରୟ ବୋଲି ବିଚାର ନ କରି ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଯନ୍ତ୍ରଣାମୁକ୍ତ ଜୀବନ ଉପଲବ୍ଧ କରାଇବା ଲାଗି ‘ପାଲିଏଟିଭ’ ଚିକିତ୍ସା ଓ ଔଷଧର ବିକାଶ ଦିଗରେ ଅହର୍ନିଶ ଗବେଷଣାରତ ଅଛନ୍ତି, ଯେଉଁ କାରଣରୁ ଅନେକ ପୀଡ଼ିତଙ୍କ ଯନ୍ତ୍ରଣାରେ ଉପଶମ ଘଟୁଛି, ସେମାନଙ୍କ ଶେଷ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ମଧ୍ୟ ଘଟୁଛି। ଏଭଳି ସ୍ଥଳେ ‘ପାଲିଏଟିଭ’ ଔଷଧ ଓ ସେବାର ବିକାଶ ଦ୍ବାରା ଯଦି ‘ୟୁଥାନାସିଆ’ ଅପ୍ରାସଙ୍ଗିକ ହୋଇ ପଡ଼େ, ତେବେ ତାହା ସୁନିଶ୍ଚିତ ଭାବେ ମାନବ ଜାତି ଲାଗି ଏକ ସୁସମ୍ବାଦ ହେବ।
ଗଲା ୧୧ ତାରିଖ ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ଦୁଇଜଣିଆ ଖଣ୍ଡପୀଠ ଦ୍ବାରା, ଆମ ଦେଶରେ ସର୍ବ ପ୍ରଥମ ଦୃଷ୍ଟାନ୍ତ ଭାବେ, ହରୀଶ ରାଣା ନାମକ ଜଣେ ୩୧ ବର୍ଷ ବୟସ୍କ ଯୁବକଙ୍କ ସକାଶେ ‘ୟୁଥାନାସିଆ’ କାର୍ଯ୍ୟକାରୀ କରିବା ନେଇ ସମ୍ମତି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗ୍ରୀକ୍ ଅଭିବ୍ୟକ୍ତି ‘ୟୁଥାନାସିଆ’ର ମର୍ମାର୍ଥ ‘ସ୍ବେଚ୍ଛାରେ ମୃତ୍ୟୁ ବରଣ’ ବୋଲି ସ୍ଥୂଳ ଭାବେ ବୁଝା ଯାଉଥିଲେ ହେଁ ଏହାର ଆଭିଧାନିକ ଅର୍ଥ ହେଉଛି ‘ଉତ୍ତମ ମୃତ୍ୟୁ’ (ଗୁଡ୍ ଡେଥ୍) ବା ‘ସହଜ ମୃତ୍ୟୁ’, ଯାହା ‘ୟୁଥାନାସିଆ’ର ଆବଶ୍ୟକତା ବା ପ୍ରାସଙ୍ଗିକତା ନେଇ ବିତର୍କର ପରିସରକୁ ବିସ୍ତୃତ କରିଥାଏ। କହିବା ବାହୁଲ୍ୟ ଯେ ଏଭଳି ଏକ ଅତ୍ୟନ୍ତ ସ୍ପର୍ଶକାତର, ମର୍ମସ୍ପର୍ଶୀ ଓ ପୀଡ଼ାଦାୟକ ପ୍ରସଙ୍ଗ ଦ୍ବାରା ଜନମତ ସ୍ପଷ୍ଟ ଭାବେ ବିଭାଜିତ ହେଉଥିଲେ ହେଁ ପ୍ରଶ୍ନ ଉଠିଥାଏ ଯେ ସାଂପ୍ରତିକ ସ୍ଥିତିରେ ଏହି ସଂଦର୍ଭକୁ ନୂତନ ଆଲୋକରେ ଦେଖିବାର ସମୟ ଉପନୀତ ହେଲାଣି କି?
ତେବେ, ପ୍ରଥମେ ଚୁମ୍ବକରେ ପୃଷ୍ଠଭୂମିର ଅବତାରଣା କରାଯାଉ। ୨୦୧୩ ମସିହାରେ, ଇଂଜିନିଅରିଂ ଛାତ୍ର, ହରୀଶ ରାଣା ଚାରି ମହଲା ଉପରୁ ତଳକୁ ଖସି ପଡ଼ି ଗୁରୁତର ମସ୍ତିଷ୍କ ଆଘାତ ହେତୁ ଗଭୀର ‘କୋମା’କୁ ଚାଲି ଯାଇଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ, ଦୀର୍ଘ ୧୩ ବର୍ଷ କାଳ, ସେ ଜୀବନ୍ମୃତ ସ୍ଥିତିରେ ପଡ଼ି ରହିଛନ୍ତି; ତାଙ୍କ ଆହାର, ରେଚନ ଓ ଶ୍ବାସକ୍ରିୟା ଆଦି ସବୁ କିଛିର ବ୍ୟବସ୍ଥା ରାଇଲସ ଟ୍ୟୁବ, କାଥେଟର ଓ ଟ୍ରକିଓଷ୍ଟୋମି ଆଦି ମାଧ୍ୟମରେ ସଂପାଦିତ ହେଉଛି; ଏକ ‘ଭେଜିଟେଟିଭ’ ଅବସ୍ଥାକୁ ଚାଲି ଆସିଥିବା ହରୀଶଙ୍କ ସକାଶେ ସୁସ୍ଥ ହେବାର ଲେଶ ମାତ୍ର ସମ୍ଭାବନା ବିଶେଷଜ୍ଞ ଡାକ୍ତରମାନେ ଦେଖି ନ ଥାଆନ୍ତି। ସୁତରାଂ, ଏଭଳି ଏକ ମର୍ମଭେଦୀ ସ୍ଥିତିରେ ହରୀଶଙ୍କ ବୃଦ୍ଧ ପିତାମାତା ନିଜ ସନ୍ତାନକୁ ଯନ୍ତ୍ରଣା ତଥା ବିକଳ ଅସ୍ତିତ୍ବରୁ ମୁକ୍ତି ଦେବା ଲାଗି ‘ୟୁଥାନାସିଆ’ ଲୋଡ଼ି ଅଦାଲତଙ୍କ ଆଶ୍ରୟ ନେଇଥିଲେ, ଯହିଁରେ ତିନି ବର୍ଷ ପରେ ଯାଇ ତାଙ୍କ ପ୍ରାର୍ଥନା ଗୃହୀତ ହୋଇଛି।
ଏଠାରେ ପ୍ରଣିଧାନଯୋଗ୍ୟ ଯେ ଦୀର୍ଘ ୪୦ ବର୍ଷ ଧରି ମୁମ୍ବାଇର କେ.ଇ.ଏମ. ହସପିଟାଲରେ ଚିକିତ୍ସାଧୀନ ଥିବା ଚଳତ୍ ଶକ୍ତି ଶୂନ୍ୟ ଅରୁଣା ଶାନବାଗଙ୍କ ସକାଶେ ‘ୟୁଥାନାସିଆ’ ଲୋଡ଼ି, ୨୦୧୦ ମସିହାରେ, ଲେଖିକା ପିଙ୍କି ବିରାନୀ କରିଥିବା ଏକ ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ ହେଁ ଏହି ବିଚାର କ୍ରମରେ ଭାରତରେ ‘ପାସିଭ’ (ନିଷ୍କ୍ରିୟ) ୟୁଥାନାସିଆ ଆଇନଗତ ବୈଧତା ଲାଭ କରିଥିଲା, ଯଦିଓ, ଅତ୍ୟନ୍ତ ବିରଳ କ୍ଷେତ୍ରରେ ନିଘଞ୍ଚ ସତର୍କତା ସହିତ ଚିକିତ୍ସା ବିଶେଷଜ୍ଞମାନଙ୍କ କଠୋର ଦୃଷ୍ଟି ତଳେ ଏବଂ ଅଦାଲତଙ୍କ ଅନୁମୋଦନ ପରେ ଏହା ସଂପାଦିତ ହୋଇପାରିବ ବୋଲି ମାର୍ଗ ନିର୍ଦ୍ଧାରିତ ହୋଇଥିଲା। ସୁତରାଂ, ସେହି ରାୟ (୨୦୧୧) ଆସିବାର ଦୀର୍ଘ ଦେଢ଼ ଦଶନ୍ଧି ପରେ ଯାଇ ହରୀଶ ରାଣାଙ୍କ କ୍ଷେତ୍ରରେ ‘ୟୁଥାନାସିଆ’ ବାସ୍ତବାୟିତ ହେବାକୁ ଯାଉଛି।
କହିବା ଅନାବଶ୍ୟକ ଯେ ହରୀଶଙ୍କୁ ଘରେ ରଖି ସେବାଯତ୍ନ କରୁଥିବା ତାଙ୍କ ପରିବାର ଗଭୀର ମାନସିକ ଯନ୍ତ୍ରଣା ସହିତ ଉତ୍କଟ ଅର୍ଥାଭାବର ମଧ୍ୟ ସମ୍ମୁଖୀନ ହେଉଥିଲା, ଯହିଁରେ ହରୀଶଙ୍କ ବୃଦ୍ଧ ପିତାଙ୍କୁ ବୁଲି ବୁଲି ସାଣ୍ଡଉଇଚ ବିକ୍ରି କରିବାକୁ ହେଉଥିଲା, ପାରିବାରିକ ଘର ବିକ୍ରି ହୋଇଯାଇଥିଲା ଏବଂ ପରିବାରର କନିଷ୍ଠ ପୁତ୍ର ଆଶିଷ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ହୋଇ ଭାଇଙ୍କ ସେବାଶୁଶ୍ରୂଷାରେ ମା’ଙ୍କୁ ସାହାଯ୍ୟ କରିବାରେ ନିମଗ୍ନ ଥିଲେ। ଏଥିରୁ ହୃଦବୋଧ ହୋଇଥାଏ ଯେ ଆମ ଦେଶର ଦୁର୍ବଳ ସାର୍ବଜନୀନ ଚିକିତ୍ସା ସୁବିଧା ପରିପ୍ରେକ୍ଷୀରେ, ଏଭଳି ଏକ ପରିସ୍ଥିତି ଉପୁଜିଲେ ମର୍ମ ବେଦନା ସହିତ ସେବାର ବ୍ୟୟ ବହୁଳତା ଏବଂ ସାଧନର ଅଭାବ କାରଣରୁ ସୃଷ୍ଟ ଆର୍ଥିକ ବୋଝ ଏବଂ ମାନସିକ ଓ ଶାରୀରିକ କ୍ଳାନ୍ତି ମିଶି ଯାଇ ପରିବାରଗୁଡ଼ିକୁ ତଳିତଳାନ୍ତ କରି ପକାନ୍ତି। ସେହି କାରଣରୁ ବୋଧହୁଏ ହରୀଶଙ୍କ ପିତା କହିଥିବା ଶୁଣିବାକୁ ମିଳିଛି ଯେ ତାଙ୍କର ଏଭଳି ଆବେଦନ ପଛରେ ନିହିତ ଆଉ ଏକ ଲକ୍ଷ୍ୟ ହେଲା ଏଭଳି ଦୁର୍ବିଷହ ସ୍ଥିତିରେ ଥିବା ଅସଂଖ୍ୟ ପରିବାର ପାଇଁ କଲ୍ୟାଣ ସାଧନର ବାଟ ଫିଟାଇବା! ତେବେ ‘ୟୁଥାନାସିଆ’ ସଂଦର୍ଭରେ ଭିନ୍ନ ମତବାଦୀମାନେ କହନ୍ତି ଯେ ଏଭଳି ଦୃଷ୍ଟାନ୍ତ ଦ୍ବାରା ପୀଡ଼ିତ ବ୍ୟକ୍ତିମାନଙ୍କୁ ଅନ୍ତିମ ସେବା ପ୍ରଦାନ କରିବାକୁ ଅନିଚ୍ଛୁକ ପରିବାରଗୁଡ଼ିକ ସକାଶେ ଏହା ଜଞ୍ଜାଳରୁ ପରିତ୍ରାଣ ପାଇବାର ଏକ ସୁଯୋଗ ସୃଷ୍ଟି କରିବ!
ପ୍ରକାଶ ଥାଉ କି କାନାଡା, ଜର୍ମାନି, ସ୍ବିଜରଲାଣ୍ଡ ଇତ୍ୟାଦି ଭଳି ହାତଗଣତି ଅଳ୍ପ କିଛି ଦେଶରେ ‘ଆକ୍ଟିଭ’ ବା ‘ସକ୍ରିୟ’ ୟୁଥାନାସିଆର ପ୍ରଚଳନ ଅଛି, ଯେଉଁଠି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ଅସରନ୍ତି ଓ ଅସହ୍ୟ ଯନ୍ତ୍ରଣା ମଧ୍ୟ ଦେଇ ଯାଉଥିବା କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଔଷଧ ଓ ଇଂଜେକସନ ମାଧ୍ୟମରେ ଗଭୀର ସୁସୁପ୍ତି ମଧ୍ୟକୁ ବାଟ କଢ଼ାଇ ନିଆଯାଏ, ଯେଉଁ ବାଟେ ଯନ୍ତ୍ରଣାଶୂନ୍ୟ ମହାପ୍ରସ୍ଥାନର ଦ୍ବାର ଖୋଲିଯାଏ। କିନ୍ତୁ ଆମେରିକା ବା ଭାରତ ଭଳି ଦେଶରେ ‘ନିଷ୍କ୍ରିୟ’ ୟୁଥାନାସିଆକୁ ସ୍ବୀକୃତି ମିଳିଛି। ‘ନିଷ୍କ୍ରିୟ ୟୁଥାନାସିଆ’ର ଅର୍ଥ ହେଲା ଯେଉଁମାନେ ‘ଲାଇଫ ସପୋର୍ଟ ସିଷ୍ଟମ’ ବା ‘ବଞ୍ଚେଇ ରଖିବାର ବ୍ୟବସ୍ଥା’ ଉପରେ ନିର୍ଭର କରି କୌଣସିମତେ ଅସ୍ତିିତ୍ବ ବଜାୟ ରଖିଥିବେ, ସେମାନଙ୍କ ଠାରୁ ଅତ୍ୟନ୍ତ ସୁକୁମାର ଭାବେ ଓ ବିଶେଷଜ୍ଞମାନଙ୍କ ତୀକ୍ଷ୍ଣ ଦୃଷ୍ଟି ତଳେ ସେହି ପ୍ରାଣପ୍ରଦାୟୀ ବ୍ୟବସ୍ଥା ଅପସାରଣ କରିନେଇ ପ୍ରାକୃତିକ ଭାବେ ମହାପ୍ରୟାଣର ପଥ ପ୍ରଶସ୍ତ କରି ଦିଆଯିବା। ତେବେ ସକ୍ରିୟ ହେଉ ବା ନିଷ୍କ୍ରିୟ; ୟୁଥାନାସିଆ ଭଳି ବିଷୟ ନୈତିକାଦର୍ଶ ଦୃଷ୍ଟିରୁ ଚିକିତ୍ସକମାନଙ୍କ ସକାଶେ ସଂଶୟର ହେତୁ ହୋଇଥାଏ। ଇତିହାସରୁ ଜଣାଯାଏ ଯେ ‘ହିପୋକ୍ରିଟସ’ ଶପଥ ନେଇ ଚିକିତ୍ସକମାନେ ଆବିର୍ଭୂତ ହେବା ପୂର୍ବରୁ ପ୍ରାଚୀନ ଗ୍ରୀସ ଓ ରୋମରେ ‘ୟୁଥାନାସିଆ’ର ପ୍ରଚଳନ ଥିଲା। ସେମିତି ପ୍ରାଚ୍ୟ ଭୂଖଣ୍ଡରେ ହିନ୍ଦୁମାନେ ‘ସମାଧି’ ଓ ଜୈନମାନେ ‘ସନ୍ତାରା’ ମାଧ୍ୟମରେ ମୃତ୍ୟୁକୁ ଇଚ୍ଛାଧୀନ ବିଷୟ କରି ରଖିଥିଲେ। ହିପୋକ୍ରିଟସଙ୍କ ଶପଥ ଜୀବନ ରକ୍ଷାକୁ ଧ୍ୟେୟ କରିଥିବାରୁ ଚିକିତ୍ସକମାନେ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଚିକିତ୍ସା ଜାରି ରଖନ୍ତି ଏବଂ ସମସ୍ତ ଆଶା ନିଃଶେଷ ହୋଇଯାଇଥିବା ସତ୍ତ୍ବେ କିଛି ଅଲୌକିକ ଘଟିବାର ଆଶା ମଧ୍ୟ ପରିହାର କରି ନ ଥାଆନ୍ତି। ‘ବିଙ୍ଗ ମୋର୍ଟାଲ’ ନାମକ ଏକ ବହୁଳ ପଠିତ ପୁସ୍ତକର ରଚୟିତା ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଆମେରିକୀୟ ସର୍ଜନ ଅତୁଲ ଗୋୱାଣ୍ଡେ କିନ୍ତୁ କହନ୍ତି ଯେ ଏଭଳି ଅଲୌକିକତା ପ୍ରାୟତଃ ଘଟି ନ ଥାଏ। ତେଣୁ ଆବଶ୍ୟକତା ଅନୁସାରେ ‘ୟୁଥାନାସିଆ’ ଦ୍ବାରା ଯନ୍ତ୍ରଣାରୁ ପରିତ୍ରାଣ ସପକ୍ଷରେ ସେ ମତ ଦିଅନ୍ତି। ସେ କହିଥାଆନ୍ତି ଯେ ଆଜିକୁ ଶହେ ବର୍ଷ ପୂର୍ବରୁ ମନୁଷ୍ୟମାନଙ୍କ ଅନ୍ତିମ କ୍ଷଣମାନ ନିଜ ଘରେ ଓ ପରିବାର ସଦସ୍ୟଙ୍କ ମଧ୍ୟରେ କଟୁଥିଲା, ଯାହା ଥିଲା ଆଶ୍ବାସନାକାରୀ। କିନ୍ତୁ, ସଂପ୍ରତି ଅଧିକାଂଶ ସ୍ଥଳେ ମନୁଷ୍ୟର ଅନ୍ତିମ ସମୟ ଅତିବାହିତ ହେଉଛି କୌଣସି ହସପିଟାଲର ବିଜନ ‘ଆଇ.ସି.ୟୁ.’ରେ, ଅପରିଚିତମାନଙ୍କ ଗହଣରେ। ସେଠାରେ ଆୟୁ ଦୀର୍ଘ ହେବାର ପ୍ରତିଶ୍ରୁତି ମିଳୁଛି ସତ, କିନ୍ତୁ ବିଡ଼ମ୍ବନା ହେଲା, ଅର୍ଜିତ ଆୟୁଷତକ ଆଶୀର୍ବାଦ ପରିବର୍ତ୍ତେ ଅଭିଶାପ ଭଳି ପ୍ରତୀତ ହେଉଛି। ଏଭଳି ଅସହାୟ ଓ ବିକଳ ଅସ୍ତିତ୍ବରୁ ମୁକ୍ତି ଲାଗି ‘ଉତ୍ତମ ମୃତ୍ୟୁ’ ବା ‘ଗୁଡ୍ ଡେଥ୍’ ଅଭିଳଷିତ ହୋଇଥାଏ ବୋଲି ସେ କହନ୍ତି। କିନ୍ତୁ, ଏଣେ, ହିପୋକ୍ରିଟସଙ୍କ ଶପଥ ନେଇଥିବା ଅସଂଖ୍ୟ ଚିକିତ୍ସା ବିଶେଷଜ୍ଞ ‘ୟୁଥାନାସିଆ’କୁ ସର୍ବଶେଷ ଆଶ୍ରୟ ବୋଲି ବିଚାର ନ କରି ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଯନ୍ତ୍ରଣାମୁକ୍ତ ଜୀବନ ଉପଲବ୍ଧ କରାଇବା ଲାଗି ‘ପାଲିଏଟିଭ’ ଚିକିତ୍ସା ଓ ଔଷଧର ବିକାଶ ଦିଗରେ ଅହର୍ନିଶ ଗବେଷଣାରତ ଅଛନ୍ତି, ଯେଉଁ କାରଣରୁ ଅନେକ ପୀଡ଼ିତଙ୍କ ଯନ୍ତ୍ରଣାରେ ଉପଶମ ଘଟୁଛି, ସେମାନଙ୍କ ଶେଷ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ମଧ୍ୟ ଘଟୁଛି। ଏଭଳି ସ୍ଥଳେ ‘ପାଲିଏଟିଭ’ ଔଷଧ ଓ ସେବାର ବିକାଶ ଦ୍ବାରା ଯଦି ‘ୟୁଥାନାସିଆ’ ଅପ୍ରାସଙ୍ଗିକ ହୋଇ ପଡ଼େ, ତେବେ ତାହା ସୁନିଶ୍ଚିତ ଭାବେ ମାନବ ଜାତି ଲାଗି ଏକ ସୁସମ୍ବାଦ ହେବ।
ଗଣମାଧ୍ୟମରେ ପ୍ରକାଶିତ ହୋଇଛି ଯେ ସର୍ବୋଚ୍ଚ ଅଦାଲତର ବିଚାରପତି ଦ୍ବୟ ଅଶ୍ରୁସଜଳ ଚକ୍ଷୁରେ ହରୀଶଙ୍କ ‘ୟୁଥାନାସିଆ’କୁ ସ୍ବୀକୃତି ପ୍ରଦାନ କରିଛନ୍ତି। ହରୀଶଙ୍କ ପିତାମାତାଙ୍କ ସକାଶେ ଏହା ହୋଇଥିବ ଏକାଧାରରେ ଆଶ୍ବସ୍ତି ଓ ଅଶ୍ରୁ ତର୍ପଣର ଏକ ବିଚିତ୍ର ସନ୍ଧି କ୍ଷଣ। ଏକ ନିର୍ବେଦ ଅସ୍ତିତ୍ବର ବୈକଲ୍ୟରୁ ମୁକ୍ତି ଦେବା ସକାଶେ ନିଜ ପ୍ରାଣ ଠାରୁ ଅଧିକ ପ୍ରିୟ ସନ୍ତାନର ହାତ ଧରି ମହାପ୍ରସ୍ଥାନର ଦ୍ବାର ନିକଟରେ ଛାଡ଼ି ଦେଇ ଆସିଥିବା ଭାଗ୍ୟକୁ ନେଇ ଆଉ ଅଧିକ କ’ଣ ବା ଲେଖାଯାଇପାରେ!
ସୌଜନ୍ୟ ସମ୍ବାଦ
