ଭୁବନେଶ୍ବର: ବିଏମ୍ସି ପୁଷ୍କରିଣୀ ଉନ୍ନତୀକରଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଏହା ଯେ ତୃଣମୂଳସ୍ତରର ଲକ୍ଷ୍ୟ ସାଧନ କରିପାରୁନି ଓ ଏହି ଟଙ୍କା ବାଟମାରଣାରେ ଯାଉଛି, ତାହାର ଉଦାହରଣ ପାଲଟିଛି ପୁରୁଣା ଭୁବନେଶ୍ବରର ଐତିହ୍ୟ ନନ୍ଦକିଶୋର ପୁଷ୍କରିଣୀ। ଅଞ୍ଚଳବାସୀ ବାରମ୍ବାର ବିଏମ୍ସି କମିସନର ଚଞ୍ଚଳ ରାଣାଙ୍କୁ ଚିଠି ଲେଖି ପୁଷ୍କରିଣୀକୁ ସଫା କରିବାରେ ବିଫଳ ହେବା ପରେ ଶେଷରେ ନିଜସ୍ବ ଖର୍ଚ୍ଚରେ ଏହାକୁ ସଫା କରିଛନ୍ତି।
ଅଞ୍ଚଳବାସୀ ଅନେକ ଥର ନନ୍ଦକିଶୋର ପୁଷ୍କରିଣୀ ସଂପର୍କରେ କମିସନର୍ଙ୍କୁ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ବିଏମ୍ସି ଏହାକୁ ଗୁରୁତ୍ବ ଦେଲାନି କି ସଫା କରିବାର କିଛି ବ୍ୟବସ୍ଥା କଲାନି। ଏଣୁ ଅଞ୍ଚଳବାସୀ ଚାନ୍ଦା କରି ଏହି ପୋଖରୀରୁ ଦଳ ଓ ଅନ୍ୟାନ୍ୟ ଆବର୍ଜନା ସବୁ ସଫା କରିଛନ୍ତି। ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି ବିଏମ୍ସି ୱାର୍ଡ ନମ୍ବର ୫୯ରେ ପୁରାତନ ଜାତୀୟ ରାଜପଥ କଡ଼ ଗ୍ୟାରେଜ ଛକ ନନ୍ଦକିଶୋର ନଗରଠାରେ ଥିବା ପୁଷ୍କରିଣୀ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ପରିତ୍ୟକ୍ତ ଓ ଅବ୍ୟବହୃତ ଅବସ୍ଥାରେ ପଡ଼ିଛି। ଫଳରେ ପରିବେଶ ପ୍ରଭାବିତ ହେଉଛି ଏବଂ ଏହି ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଛି।
ଏହି ପ୍ରସଙ୍ଗରେ ୨୦୧୮ ମସିହାରେ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ହାଇକୋର୍ଟ ତୁରନ୍ତ ନନ୍ଦକିଶୋର ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ବିଏମ୍ସି କମିସନରଙ୍କୁ ଆଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଘଂନ କରାଯାଇଛି। ଅପରପକ୍ଷେ ଲୋକେ ପୁଷ୍କରିଣୀକୁ ସଫା କରିବାର ୩ ଦିନ ପରେ କମିସନର୍ ଶ୍ରୀ ରାଣା ଅନ୍ୟ ଅଧିକାରୀଙ୍କ ସହ ପୁରୁଣା ଭୁବନେଶ୍ବର ଅଞ୍ଚଳ ପରିଦର୍ଶନରେ ଆସି ନନ୍ଦକିଶୋର ପୁଷ୍କରିଣୀ ସ୍ଥିତି ଦେଖିଥିଲେ। ଅଞ୍ଚଳବାସୀ ପୁଷ୍କରିଣୀ ପୁନରୁଦ୍ଧାର ପ୍ରସଙ୍ଗ ଉଠାଇଥିଲେ। କମିସନର୍ ଶ୍ରୀ ରାଣା ଏହାର ପୁନରୁଦ୍ଧାର ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଛନ୍ତି।
ସୌଜନ୍ୟ ସମ୍ବାଦ