Breaking

Boundary determination: ସୀମା ନିର୍ଦ୍ଧାରଣରେ ତ୍ରୁଟି: ଦୋ’ଛକିରେ କୁଲାବେଡ଼ାବାସୀ

ପ୍ରଦୀପ ପାଢ଼ୀ

କୋରାପୁଟ: ଘର, ଚାଷ ଜମି, ପାଠପଢ଼ା କୋରାପୁଟରେ। ଜୀବିକା ପଡ଼ୋଶୀ ଜିଲ୍ଲାମାଲକାନଗିରି। ପ୍ରଶାସନ ମଧ୍ୟ ସୀମା ନିର୍ଦ୍ଧାରଣ ନ କରି ଯୋଗାଇ ଚାଲିଛି ସେବା। ଫଳରେ ଗୋଟିଏ ଗାଁରେ ୨ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି ଚାଲିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର କୁଲାବେଡ଼ାରେ ଏପରି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ପ୍ରଶାସନ ଦଣ୍ଡାବାଡ଼ିକୁ ରାଜସ୍ବ ଗାଁ ମାନ୍ୟତା ଦେଇଛି। ଗ୍ରାମବାସୀଙ୍କ ଚାଷ ଜମି ଓ ରେକର୍ଡ଼ପତ୍ର ରହିଛି କୋରାପୁଟ ଜିଲ୍ଲାରେ। ଅପରପଟେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ‌୍ ଖୁଟୁଣିପାଲ୍ଲି ପଞ୍ଚାୟତର କୁଲାବେଡ଼ା ଗାଁ ଭାବି ମାଲକନଗିରି ଜିଲ୍ଲା ସମସ୍ତ ସରକାରୀ ଯୋଜନା ଗ୍ରାମବାସୀଙ୍କୁ ଯୋଗାଇ ଚାଲିଛି। ଗାଁର ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଲୋକଙ୍କୁ ମାଲକାନଗିରି ଜିଲ୍ଲା ସୁବିଧା। ଏମିତିକି ଜନଗଣନା ସମୟରେ ଗାଁ ଲୋକ କୋରାପୁଟ ଜିଲ୍ଲା ଜନଗଣନା ଅଧିକାରୀଙ୍କୁ ବିରୋଧ କରି ମାଲକାନାଗିରି ଜିଲ୍ଲାରେ ସାମିଲ ପାଇଁ ଦାବି କରିଥିଲେ। ଜୟପୁର ଉପଜିଲ୍ଲାପାଳ ଓ ବୈପାରିଗୁଡ଼ା ତହସିଲଦାର ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ।

ଘର କୋରାପୁଟ, ସୁବିଧା ମାଲକାନଗିରିରୁ
ଗାଁରେ ଦୁଇ ଜିଲ୍ଲାର ସ୍କୁଲ, ଅଙ୍ଗନବାଡ଼ି 
ଥାନା ନୁହେଁ, ଗାଁରେ ମାମଲାର ସମାଧାନ

କୁଲାବେଡାରୁ ଉଭୟ ଜିଲ୍ଲାର ପଞ୍ଚାୟତ କାର୍ଯ୍ୟାଳୟ ପ୍ରାୟ ୧୪ କିମି ଦୂର। ଦଣ୍ଡାବାଡ଼ିକୁ ଘାଟି ରାସ୍ତା ଦେଇ ଲୋକେ ଯାତାୟାତ କରୁଛନ୍ତି। ଅନ୍ୟ ଦିଗରେ ଖୁଟୁଣିପାଲ୍ଲିକୁ ସମତଳ ଓ ପକ୍କା ରାସ୍ତା ରହିଛି। ଗାଁରୁ ‌ବୈପାରିଗୁଡ଼ା ବ୍ଲକ୍‌ ସଦରମହକୁମା ୩୫ କିମି ‌ଓ ମାଥିଲି ବ୍ଲକ୍‌ ୧୭ କିମି। ଦୈନନ୍ଦିନ ଜୀବିକା ଓ ସରକାରୀ ସୁବିଧା ପାଇଁ କୁଳବେଡ଼ାବାସୀ ମାଲକାନାଗିରି ଜିଲ୍ଲା ଉପରେ ନିର୍ଭରଶୀଳ। ଗାଁର ୧୧୪ ପରିବାର ମଧ୍ୟରୁ କୋରାପୁଟ ଜିଲ୍ଲା ଅଧୀନରେ ୧୧୦ ଓ ମାଲକାନଗିରି ଜିଲ୍ଲାର ରାଜସ୍ବ ଗାଁରେ ୪ଟି ପରିବାର ରହୁଛନ୍ତି। ଏହି ଗାଁରେ ଦୁଇଟି ଜିଲ୍ଲାର ୨ଟି ସ୍କୁଲ ଓ ୨ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କୋରାପୁଟ ଜିଲ୍ଲା ସ୍କୁଲରେ ପିଲା କମ୍‌, ମାଲକାନାଗିରି ଜିଲ୍ଲା ସ୍କୁଲରେ ଅଧିକ ପିଲା। ଉଚ୍ଚଶିକ୍ଷା ପାଇଁ ମାଥିଲି କଲେଜ ଉପରେ ଛାତ୍ରଛାତ୍ରୀ ନିର୍ଭରଶୀଳ। ମାଲକାନାଗିରି ଜିଲ୍ଲା ପ୍ରଶାସନ ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଭତ୍ତା, ରାସନ, ମନରେଗାରେ ଜବ୍‌କାର୍ଡ, ଆବାସ ଯୋଜନା, କୃଷି ଉପକରଣ, ସ୍ବାସ୍ଥ୍ୟବୀମା ସମସ୍ତ ସୁବିଧା ଯୋଗାଉଛି। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବି ଅନୁରୂପ ସେବା ଯୋଗାଇଦିଆଯାଉଛି। ଗ୍ରାମବାସୀଙ୍କ ପାଖରେ ଉଭୟ ଜିଲ୍ଲାର ଭୋଟର୍‌କାର୍ଡ ରହିଛି। ବିଧାନସଭା ନିର୍ବାଚନରେ ଗାଁରେ ୩୭୫ ଭୋଟର କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ତେବେ ଏହି ଗାଁରେ କୌଣସି ବିବାଦ ଦେଖାଦେଲେ ଥାନା ଓ କୋର୍ଟକୁ ନଯାଇ ଗାଁ’ରେ ହଁ ସମାଧାନ କରିଥାନ୍ତି ଗ୍ରାମବାସୀ। ଦୁଇ ଜିଲ୍ଲାର ଥାନା ଅଧୀନରେ ଗାଁ ଥିବାରୁ ଗ୍ରାମବାସୀ ଏପରି ନିଷ୍ପତ୍ତି ନେଇଛନ୍ତି। କୁଲାବେଡ଼ା ଗ୍ରାମବାସୀ ସୀମା ନିର୍ଧାରଣ ପାଇଁ ଦୁଇ ଜିଲ୍ଲା ପ୍ରଶାସନକୁ ବହୁବାର ଅନୁରୋଧ କରିଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନି।

ସୌଜନ୍ୟ ସମ୍ବାଦ

Show More
Back to top button