BRICS summit: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ବଡ଼ ପଦକ୍ଷେପ: ଅରୁଣାଚଳ ପ୍ରଦେଶର ମାନଚିତ୍ର ସଂଶୋଧିତ, ସାମିଲ ହେଲା ୨୭ଟି ଭୌଗୋଳିକ ସ୍ଥାନ
ଆଗାମୀ ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତ ସରକାର ଅରୁଣାଚଳ ପ୍ରଦେଶର ସରକାରୀ ରାଜନୈତିକ ମାନଚିତ୍ରକୁ ସଂଶୋଧିତ କରିଛନ୍ତି।

ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତ ସରକାର ଅରୁଣାଚଳ ପ୍ରଦେଶର ସରକାରୀ ରାଜନୈତିକ ମାନଚିତ୍ରକୁ ସଂଶୋଧିତ କରିଛନ୍ତି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହି ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବା ସମ୍ଭାବନା ଥିବା ବେଳେ ଏହି ନୂତନ ମାନଚିତ୍ରରେ ଚୀନ ସୀମାନ୍ତରେ ଥିବା ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଗିରିପଥ, ହ୍ରଦ, ଜନବସତି ଏବଂ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ସହ ଜଡ଼ିତ ସ୍ମାରକୀଗୁଡ଼ିକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଇ ଚିହ୍ନିତ କରାଯାଇଛି।
ଚୀନ ପକ୍ଷରୁ କ୍ରମାଗତ ଭାବେ ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗନାନ୍’ ବା ‘ଦକ୍ଷିଣ ତିବ୍ଦତ’ କହି ନିଜର ଦାବି ଉପସ୍ଥାପନ କରିବା ସହ ବିଭିନ୍ନ ସ୍ଥାନର ପୁନଃନାମକରଣ କରାଯାଉଥିବା ବେଳେ ଭାରତ ସରକାର ଏହି ମାନଚିତ୍ର ମାଧ୍ୟମରେ ବେଜିଂକୁ ଏକ ଶକ୍ତ ଜବାବ ଦେଇଛନ୍ତି। ଯଦିଓ ଏହି ପ୍ରକ୍ରିୟା ଦ୍ୱାରା ଭାରତର ସୀମାରେଖାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ମାତ୍ର ସୀମାନ୍ତରେ ଭାରତର ସାର୍ବଭୌମତ୍ୱ ଏବଂ ପ୍ରଶାସନିକ ସ୍ଥିତିକୁ ଏହା ଅଧିକ ସୁଦୃଢ଼ କରିଛି ବୋଲି ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ଏହି ନୂତନ ସରକାରୀ ମାନଚିତ୍ରରେ ସମୁଦାୟ ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ଭୌଗୋଳିକ ବୈଶିଷ୍ଟ୍ୟକୁ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି। ଏହାମଧ୍ୟରେ ୪ଟି ପ୍ରମୁଖ ପାହାଡ଼ିଆ ଗିରିପଥ ଯଥା ‘ଡଜୋ ଲା’, ‘ରିଜା ଲା’, ‘ପୁକୁର ଲା’ ଏବଂ ‘ଥାଗ୍ ଲା’ ଅନ୍ତର୍ଭୁକ୍ତ ଅଛି। ବିଶେଷ କରି ‘ଥାଗ୍ ଲା’ର ଅନ୍ତର୍ଭୁକ୍ତି ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। କାରଣ, ୧୯୬୨ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟ ଏହି ସ୍ଥାନରୁ ହିଁ ଆରମ୍ଭ ହୋଇଥିଲା। ଏହାସହିତ ଏକ ଉଚ୍ଚ ପାର୍ବତ୍ୟ ହ୍ରଦକୁ ଏହାର ଭାରତୀୟ ନାମ ‘ସାମ୍ବୋ ସରୋବର’ ଭାବେ ଚିହ୍ନିତ କରାଯାଇଛି।
ସୌଜନ୍ୟ ସମ୍ବାଦ




