ରାଜ୍ୟ

BRICS Technical Session: ବ୍ରିକ୍ସ ବୈଷୟିକ ଅଧିବେଶନ ଉଦ୍‌ଘାଟିତ: ଓଡ଼ିଶା ନମୁନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପୁରୀମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବ୍ରିକ୍ସ (ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା) ବିପର୍ଯ୍ୟୟ ଆଶଙ୍କା ହ୍ରାସ ଗୋଷ୍ଠୀର ବୈଷୟିକ ଅଧିବେଶନକୁ ଉଦ୍‌ଘାଟନ କରିଛନ୍ତି। ତାଜ୍‌ ହୋଟେଲ୍‌ ପରିସରରେ ଆୟୋଜିତ ଏହି ବୈଠକରେ ସେ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଓ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶା ପ୍ରତିବଦ୍ଧ ବୋଲି କହିଥିଲେ। ଏଥିସହିତ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଢୁଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଓ ଅନ୍ତଃରାଜ୍ୟ ସହଯୋଗ ବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ।

ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତ ହେବ ବିଶ୍ବସ୍ତରୀୟ ଢାଞ୍ଚା 

ମୁଖ୍ୟମନ୍ତ୍ରୀ କହିଥିଲେ, ଜୀବନ, ଜୀବିକା ଓ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବାକୁ ଅନ୍ତର୍ଜାତୀୟ ସମୁଦାୟ ପ୍ରାଥମିକତା ଦେଉ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଶ୍ବ ସ୍ୱୀକୃତିପ୍ରାପ୍ତ ବିପର୍ଯ୍ୟୟ ପରିଚାଳନା ମଡେଲ୍‌ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଆମ ମଡେଲ୍‌ ଶୂନ୍ୟ ମୃତ୍ୟୁହାର ନୀତି ଉପରେ ଆଧାରିତ। ପ୍ରମାଣ ଆଧାରିତ ଯୋଜନା, ଆଗୁଆ ସୂଚନା ପ୍ରଣାଳୀ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ବିଭିନ୍ନ ସଂସ୍ଥାର କ୍ଷମତା ବୃଦ୍ଧି ଓ ସମାବେଶୀ ଶାସନ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ଏହାକୁ ସୁଦୃଢ଼ କରୁଛି। ଭାରତର ବିକାଶ ସୂଚୀରେ ବିପର୍ଯ୍ୟୟ ଆଶଙ୍କା ହ୍ରାସକୁ ସ୍ଥାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ନିକଟରେ ଅନୁମୋଦିତ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଗ୍ରିନ୍‌ଫିଲ୍ଡ ଉପକୂଳ ରାଜମାର୍ଗ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା କ୍ଷମତାକୁ ଶକ୍ତିଶାଳୀ କରିବ। ବିଶେଷକରି ବାତ୍ୟା ପ୍ରବଣ ଉପକୂଳରେ ବିକଳ୍ପ ପରିବହନ କରିଡର୍‌ ଭାବେ କାର୍ଯ୍ୟକରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିଭଳି ୮,୩୦୭ କୋଟି ଟଙ୍କା ବିନିଯୋଗରେ ୧୧୧ କିଲୋମିଟର ବ୍ୟାପୀ କ୍ୟାପିଟାଲ୍‌ ରିଜିଅନ୍‌ ରିଂରୋଡ୍‌ ଏବଂ ନିତି ଆୟୋଗ ସହାୟତାରେ କେନ୍ଦ୍ରୀୟ ଅନୁଦାନରୁ ୫,୦୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ମଧ୍ୟ ବିକଳ୍ପ ଭାବରେ ଛିଡ଼ା ହେବ ବୋଲି ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ। ଅନ୍ୟତମ ଅତିଥି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ୧୯୯୯ ମସିହା ମହାବାତ୍ୟାରୁ ମିଳିଥିବା ଶିକ୍ଷା ଆମକୁ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଛି। ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଥିବା ପ୍ରତି ବ୍ୟକ୍ତିଙ୍କ ପାଖକୁ ସୂଚନା ପହଞ୍ଚାଇବାର ବ୍ୟବସ୍ଥା ସୃଷ୍ଟି କରିପାରିଛୁ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଓ ବିଭାଗୀୟ ମୁଖ୍ୟ କୃଷ୍ଣ ଏସ୍ ବତ୍ସ ଏବଂ ଏନ୍‌ଡିଏମ୍‌ଏ ସଦସ୍ୟା ରୀତା ମିଶ୍ର ବକ୍ତବ୍ୟ ରଖିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button