ନୂଆଦିଲ୍ଲୀ: ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ୧୬୩ କିଲୋମିଟର ଏହି ରାଜପଥ ନିର୍ମାଣ ହେବ। ଏହି ମେଗା ପ୍ରକଳ୍ପରେ ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ଉପକୂଳ ରାଜପଥ ରାମେଶ୍ବର ଠାରୁ ପାରାଦୀପରେ ପହଞ୍ଚିବ। ଅର୍ଥାତ ଏହି ପ୍ରକଳ୍ପ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଳ୍ଲାକୁ ଛୁଇଁବ। ଏହି ପ୍ରକଳ୍ପ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିକାଶରେ ସହାୟକ ହେବ।
ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥର ପ୍ରକଳ୍ପ ଅଂଶ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁର ଜିଲ୍ଲା ଦେଇ ଗତି କରୁଛି। ୧୬ ନମ୍ବର ଜାତୀୟ ରାଜପଥର ଏହା ହେଉଛି ସ୍ୱର୍ଣ୍ଣ ଚତୁର୍ଭୁଜର ଅଂଶ ଏବଂ ଏହା ପୂର୍ବରୁ ଏକ ୬ ଥାକିଆ ରାଜପଥ ଅଟେ, ଯାହା ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ପ୍ରମୁଖ ସହର ଦେଇ ଗତି କରୁଛି। ଜାତୀୟ ରାଜପଥ ୨୧୬ ଭୁବନେଶ୍ୱର-ପୁରୀକୁ ସଂଯୋଗ କରୁଛି ଏବଂ ଏହା ସାତପଡ଼ା ଏବଂ କୋଣାର୍କ ଆଡକୁ ସଂପ୍ରସାରିତ ହୋଇଛ।
ଦୁଇଟି ପ୍ୟାକେଜ୍ରେ ନିର୍ମାଣ ହେବାକୁ ଥିବା ଏହି ସଡ଼କପଥର ମୋଟ ଦୈର୍ଘ୍ୟ ୧୬୦.୧୮ କିଲୋମିଟର ରହିବ। ଏଥିରେ ମୋଟ ୮୩୦୦.୭୯ କୋଟି ଟଙ୍କା ବ୍ୟୟ ହେବ। ରାମେଶ୍ବରରୁ କୋଣାର୍କ ପର୍ଯ୍ୟନ୍ତ ୭୯.୪୦ କିମିର ୪-ଥାକିଆ ବିଶିଷ୍ଟ ରାସ୍ତା ପାଇଁ ମୋଟ୍ ୫୩୦୪.୮୦ କୋଟି ଟଙ୍କା ଓ ୮୦.୭୮ କିମି ବିଶିଷ୍ଟ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୨ ଥାକିଆ ବିଶିଷ୍ଟ ରାସ୍ତା ପାଇଁ ୨୯୯୫.୯୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ୧୭.୫ ବର୍ଷର ରିହାତି ଅବଧି ପ୍ରଦାନ କରାଯିବ।
ଏହି ପ୍ରକଳ୍ପକୁ ଓଡ଼ିଶା ଭିତ୍ତିଭୂମି ବିକାଶରେ ନୂଆ ଅଧ୍ୟାୟର ଆରମ୍ଭ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ମହତ୍ବପୂର୍ଣ୍ଣ ପ୍ରକଳ୍ପ ରାଜ୍ୟରେ ସଡ଼କ ସଂଯୋଗକୁୁ ସୁଦୃଢ଼ କରିବ, ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା ହ୍ରାସ କରିବ ଏବଂ ପର୍ଯ୍ୟଟନ, ବାଣିଜ୍ୟ, ଲଜିଷ୍ଟିକ୍ସ ଓ ଅର୍ଥନୈତିକ ପ୍ରଗତି ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ସେ ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସହାୟତା ଓ ରାଜ୍ୟର ପ୍ରଗତି ନିମନ୍ତେ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଛନ୍ତି।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ଏହି ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲ୍ଲା ଦେଇ ଗତି କରିବ। ଏନ୍ଏଚ୍-୧୬ର ଅଂଶ ଭାବେ ଖୋର୍ଦ୍ଧା, ଭୁବନେଶ୍ବର ଓ କଟକ ଦେଇ ପୂର୍ବରୁ ୬-ଲେନ୍ ବିଶିଷ୍ଟ ରାଜପଥ ରହିଛି। ଭୁବନେଶ୍ବରକୁ ପୁରୀ ସହ ଯୋଡ଼ୁଥିବା ଏନ୍ଏଚ୍-୩୧୬ ସାତପଡ଼ା ଓ କୋଣାର୍କ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ପୂର୍ବରୁ ପୁରୀରୁ କୋଣାର୍କ ଏବଂ ପୁରୀରୁ ସାତପଡ଼ାକୁ ଥିବା ରାସ୍ତାର ଜ୍ୟାମିତିକ ଡିଜାଇନ ଅତ୍ୟନ୍ତ ଦୁର୍ବଳ ରହିଛି। ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ସେଥିରେ ବ୍ୟାପକ ସୁଧାର ଘଟିବ।
ଏହି ପ୍ରକଳ୍ପର ପ୍ରଥମ ପ୍ୟାକେଜ୍ରେ ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪ ଥାକିଆ ଏବଂ ପ୍ୟାକେଜ୍-୨ରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ପେଭ୍ଡ ସୋଲଡର୍ ସହ ୨ ଥାକିଆ ବିଶିଷ୍ଟ ରାସ୍ତା ତିଆରି ହେବ। ଏହାଦ୍ୱାରା ଗାଡ଼ିର ଗତି ଘଣ୍ଟାପ୍ରତି ୧୦୦ କିଲୋମିଟର ସୁନିଶ୍ଚିତ ହେବ ଏବଂ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାରେ ଗମନାଗମନ ଦକ୍ଷତା ବୃଦ୍ଧି ପାଇବ। ଏହି ପ୍ରକଳ୍ପ ଆଞ୍ଚଳିକ ଗମାନଗମନକୁ ବୃଦ୍ଧି କରିବ ଏବଂ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ।
ଏହି ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ ହ୍ରାସ ପାଇବାର ଆଶା କରାଯାଉଛି। ଯାତ୍ରୀ ଏବଂ ମାଲ ପରିବହନ ପାଇଁ ନିରାପଦ, ଦ୍ରୁତ ଏବଂ ନିରବଚ୍ଛିନ୍ନ ସଂଯୋଗୀକରଣ ପ୍ରଦାନ କରାଯିବ। ଏହା ସହିତ ଏହି ପ୍ରକଳ୍ପ ଇନ୍ଧନ ବ୍ୟବହାର, କାର୍ବନ ନିର୍ଗମନ ଏବଂ ଯାନବାହନ ପରିଚାଳନା ଖର୍ଚ୍ଚରେ ଯଥେଷ୍ଟ ହ୍ରାସ ଆଣିବ।
ସୌଜନ୍ୟ ସମ୍ବାଦ

