ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ଆଇପିଏଲ ୨୦୨୬ ଫାଇନାଲରେ ୭୫ ରନର ଏକ ଚମତ୍କାର ଇନିଂସ ସହିତ ଆରସିବିକୁ ଚାମ୍ପିଅନସିପ୍ ଟାଇଟଲ ହାସଲ କରାଇଥିବା ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ମ୍ୟାଚରେ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ଦେଖି ମାର୍ଲେସ୍ ପ୍ରଶଂସା କରିବା ସହିତ ଅଷ୍ଟ୍ରେଲୀୟ କ୍ରିକେଟର୍ସ ଜୋସ ହେଜଲବୁଡ ଏବଂ ଟିମ୍ ଡେଭିଡଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଥିଲେ। ଉଭୟ ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ ୨୦୨୬ ଆରସିବି ଦଳର ସଦସ୍ୟ ଥିଲେ।
ମାର୍ଲେସ୍ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ। ମାର୍ଲେସ୍ କହିଛନ୍ତି, “ଗତ ବର୍ଷ ଆଇପିଏଲ ଫାଇନାଲ୍ ହେବାର ଠିକ୍ ଗୋଟିଏ ଦିନ ପୂର୍ବରୁ ମୁଁ ଏଠାରେ ଥିଲି। ଏଥର ମଧ୍ୟ ସେହିପରି ଘଟିଥିଲା। ପୁଣି ଥରେ ଆମେ ଆରସିବିକୁ ଆଇପିଏଲ ଚାମ୍ପିଅନ୍ ଭାବରେ ଉଭା ହେବାର ଦେଖିଲୁ। ରବିବାର (ଜୁନ୍ ୧) ଆଇପିଏଲ ଫାଇନାଲରେ ଆରସିବିର ବିଜୟର ନାୟକ ବିରାଟ କୋହଲି ୭୫ରନ କରି ଅପରାଜିତ ରହିଥିଲେ ଏବଂ ତାଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବରେ ସମ୍ମାନିତ କରାଯାଇଥିଲା। ମୁଁ ବିଶେଷ ଭାବରେ ଜୋଶ ଏବଂ ଟିମ୍ ସହିତ ତାଙ୍କ ଯୋଗଦାନକୁ ପ୍ରଶଂସା କରୁଛି। ଆରସିବିର ଆଇପିଏଲ ବିଜୟ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଭାଗୀଦାରୀର ଏକ ସ୍ପଷ୍ଟ ଝଲକ ପ୍ରଦାନ କରିଥିଲା। କୋହଲି ଅଷ୍ଟ୍ରେଲିଆରେ ବେଶ ଜଣାଶୁଣା ନାମ। ଭାରତ ଭଳି ଆମ ଦେଶରେ ମଧ୍ୟ କୋହଲିଙ୍କୁ ଘରେଘରେ ଲୋକେ ଚିହ୍ନିଛନ୍ତି।
ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ଆରସିବି ସଫଳତାର ସହ ୧୮ ଓଭରରେ ଲକ୍ଷ୍ୟ ହାସଲ କରି ଗୁଜରାଟ ଟାଇଟାନ୍ସକୁ ୧୫୫/୮ ସ୍କୋରରେ ସୀମିତ ରଖିଥିଲା। ଏହି ମ୍ୟାଚରେ ବିରାଟ କୋହଲି ୪୨ ବଲରେ ୭୫ ରନରେ ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ୩ ଛକା ଏବଂ ୯ ଚୌକା ଥିଲା। ଟିମ୍ ଡେଭିଡ୍ ୧୭ ବଲରେ ୪ ଚୌକା ସହିତ ୨୪ ରନର ଅବଦାନ ଦେଇଥିଲେ। ଏହି ସମୟରେ, ଜୋସ ଚାରି ଓଭରରେ ୩୭ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।
ସୌଜନ୍ୟ ସମ୍ବାଦ

